ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅକ୍ଟୋବର ୨୯ ତାରିଖ। ମହାବାତ୍ୟାକୁ ୧୯ ବର୍ଷ ପୂରିଛି। ମହାବାତ୍ୟାରେ ପ୍ରାଣ ହରାଇଥିବା ପରିବାରବର୍ଗ ଏବଂ ପୀଡ଼ିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ମହାବାତ୍ୟାର କରାଳ ରାତିକୁ ମନେପକାଇବା ପାଇଁ ସୋମବାର ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପାକ୍ ସୂଚନା ପ୍ରଦାନ କେନ୍ଦ୍ରର ଲୋକାର୍ପଣ କରିଛନ୍ତି।
ଓଡ଼ିଶା ବିପର୍ଯ୍ୟୟ ପ୍ରାକ୍ ସୂଚନା ବ୍ୟବସ୍ଥା କ୍ଷେତ୍ରରେ ଏହା ଅଭିନବ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଆଜି ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ଅନୁଷ୍ଠିତ ହୋଇଥିଲା।
“ଓଡ଼ିଶା ପ୍ରତିବର୍ଷ କିଛି ନା କିଛି ପ୍ରାକୃତି ଦୁର୍ବିପାକାର ସାମ୍ନା କରୁଛି। କିନ୍ତୁ ଏହାକୁ ଦୃଢ଼ତାର ସହ ମୁକାବିଲା କରିବା ପାଇଁ ଓଡ଼ିଶା ପ୍ରୟାସ କରୁଛି। ପ୍ରାକୃତିକ ଦୁର୍ବିପାକରେ ଜାତୀୟ ହାର ତୁଳନାରେ ଓଡ଼ିଶାରେ କ୍ଷୟକ୍ଷତି ସଂଖ୍ୟା ହ୍ରାସ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବାତ୍ୟା, ବନ୍ୟା, ସୁନାମୀ, ବଜ୍ରପାତରୁ ଓଡ଼ିଶାବାସୀଙ୍କୁ ରକ୍ଷା କରିବା ପାଇଁ ବିପର୍ଯ୍ୟୟ ପ୍ରାକ୍ ସୂଚନା କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରାକୃତିକ ଦୁର୍ବିପାକ ଆସିବା ପୂର୍ବରୁ ଲୋକମାନଙ୍କୁ ଏହି କେନ୍ଦ୍ର ଆଗୁଆ ସୂଚନା ପ୍ରଦାନ କରିବ। ବିଶେଷକରି ବାତ୍ୟା ସମ୍ପର୍କରେ ସୂଚନା ଦେବା ପାଇଁ ୧୨୨ଟି ସ୍ଥାନରେ ଟାୱାର ନିର୍ମାଣ କରାଯିବ। ସାଇରନ ଜରିଆରେ ଲୋକଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ, ରାଜସ୍ୱ ମନ୍ତ୍ରୀ ମହେ୍ଶ୍ୱର ମହାନ୍ତି, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।