ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱକପ୍ ହକି ପୂର୍ବରୁ ଝଲସିବ ଏକାମ୍ର କ୍ଷେତ୍ର। ବିନ୍ଦୁ ସାଗରରେ ହେବ ଲାଇଟ ଆଣ୍ଡ ସାଉଣ୍ଡ ଶୋ’।

ଭୁବନେଶ୍ୱରସ୍ଥିତ ବିନ୍ଦୁ ସାଗରରେ ମ୍ୟୁଜିକାଲ ଫାଉଣ୍ଟେନ ଏବଂ ଲେଜର ଶୋ’ ପରୀକ୍ଷାମୂଳକ ଭାବେ ପ୍ରଦର୍ଶନ କରାଯାଇଛି। ରବିବାର ଦିନ ଏହି ଲେଜର ଶୋ’ର ପରୀକ୍ଷା କରାଯାଇଥିଲା।

ଓଡ଼ିଶାର ଇତିହାସ, କଳା, ପର୍ବପର୍ବାଣୀ ଏବଂ ଐତିହ୍ୟକୁ ଆଲୋକ ଓ ଶବ୍ଦ ମାଧ୍ୟମରେ ଉପସ୍ଥାପନ କରାଯିବ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୯ କୋଟି ଟଙ୍କା ବ୍ୟୟରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ବର୍ତ୍ତମାନ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ଶୋ’ ଚଳାଇବାକୁ ଯୋଜନା କରାଯାଇଛି। ଆଲୋକର ଖେଳ ସହ ମହାଦେବଙ୍କ ଶ୍ଳୋକରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇଉଠିବ। ଏହି ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ପାଇଁ କେତେ ମିନିଟର ଶୋ’ ହେବ, କ’ଣ ସ୍କ୍ରିପ୍ଟ କରାଯିବ, ଏହାର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି।

ଏହାର କାର୍ଯ୍ୟ ଶେଷ ହେବା ପରେ ବିଧିବଦ୍ଧ ଉଦ୍‌ଘାଟନ କରାଯାଇ ସନ୍ଧ୍ୟାରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରାଯିବ।

ରବିବାର ସନ୍ଧ୍ୟାରେ ଏହି ଲାଇଟ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟକ୍ରମ ଦେଖିବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ମେୟର ଅନନ୍ତ ନାରାୟଣ ଜେନା ଏବଂ ସ୍ଥାନୀୟ କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ।

Comment