ଓଡ଼ିଶାଲାଇଭ୍ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ ଉପରେ ନରେନ୍ଦ୍ର ମୋଦିଙ୍କ ସରକାର ବ୍ରହ୍ମାସ୍ତ୍ର ପ୍ରୟୋଗ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ମାନମାନିକୁ ରୋକିବା ପାଇଁ ଇତିହାସରେ ପ୍ରଥମ ଥର ସକାଶେ ସେକ୍ସନ ୭ର ବ୍ୟବହାର କରାଯାଇଛି। ଆରବିଆଇ ଆକ୍ଟ ୧୯୩୪ରେ ଥିବା ଅନୁଛେଦ ୭କୁ ପୂର୍ବରୁ କୌଣସି ସରକାର କାମରେ ଲଗାଇ ନଥିଲେ।
ଏହି ଆଇନରେ ଗୋଟିଏ ବ୍ୟବସ୍ଥା ରହିଛି ଯେ, କେନ୍ଦ୍ର ସରକାର ଚାହିଁଲେ ସର୍ବସାଧାରଣଙ୍କ ସ୍ୱାର୍ଥ ହାସଲ ପାଇଁ ରିଜର୍ଭ ବ୍ୟାଙ୍କକୁ ସିଧାସଳଖ ନିର୍ଦ୍ଦେଶ ଦେଇପାରିବେ। ଏହି ଆଦେଶକୁ ରିଜର୍ଭ ବ୍ୟାଙ୍କ ମାନିବାକୁ ବାଧ୍ୟ। ଏହି ଘଟଣା ପରେ ଏବେ ଆଶଙ୍କା କରାଯାଉଛି ଯେ, ଆଗାମୀ ଦିନରେ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ବିବାଦ ଅଧିକ ଘନୀଭୂତ ହେବ।

ଇକନୋମିକ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ୧୯୩୪ ଆଇନର ଧାରା ୭ ଅନ୍ତର୍ଗତ ଭାରତ ସରକାରଙ୍କ ହାତରେ ଯେଉଁ ଅଧିକାର ରହିଛି, ତାହାକୁ ଦୁଇ ସପ୍ତାହ ତଳୁ ବ୍ୟବହାର ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖି କେନ୍ଦ୍ର ସରକାର କହିଥିଲେ ଯେ, ଅଣବ୍ୟାଙ୍କିଂ ଆର୍ଥିକ ସଂସ୍ଥା ବା ଏନବିଏଫସି ପାଇଁ ଅର୍ଥ ବା ଲିକବିଡିଟି, ଦୁର୍ବଳ ବ୍ୟାଙ୍କକୁ ଅଧିକ ପୁଞ୍ଜି ଯୋଗାଇବା ଓ ଏମ୍ଏସଏମ୍ଇ ସେକ୍ଟରକୁ ଋଣ ଦେବା ପାଇଁ ପଦକ୍ଷେପ ନିଆଯାଉ। ଏହି ଚିଠି ନିର୍ଦ୍ଦେଶ ପାଇବା ପରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ବିଚଳିତ ହୋଇ ପଡ଼ିଥିବା କୁହାଯାଉଛି।
ରାଜନୀତି ମହଲରେ ଅନୁମାନ କରାଯାଉଛି ଯେ, କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ହିଁ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ କ୍ଷୁବ୍ଧ ହୋଇ ଏକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ରିଜର୍ଭ ବ୍ୟାଙ୍କର ସ୍ୱାଧୀନତାରେ ସରକାର ହସ୍ତକ୍ଷେପ କଲେ ପରିଣାମ ସାଙ୍ଘାତିକ ହେବ।


















