ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ଦନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣରୁ ସୌଭାଗ୍ୟ ବଶତଃ ଖସି ଆସିଥିବା ଦୂରଦର୍ଶନ ନ୍ୟୁଜ୍ ଟିମ୍ର ସହକାରୀ କ୍ୟାମେରାମ୍ୟାନ ମୌର ମୁକୁଟ ଶର୍ମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ ହୋଇଛି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି।
ଏହି ମୋବାଇଲ୍ ଭିଡିଓରେ ନକ୍ସଲ ଆକ୍ରମଣ ବେଳର ଦୃଶ୍ୟ ନଥିଲେ ମଧ୍ୟ ଗୁଳି ଚାଳନାର ଶବ୍ଦ ସ୍ପଷ୍ଟ ଶୁଭୁଛି। ନକ୍ସଲ ଆକ୍ରମଣ ବେଳେ କ୍ୟାମେରାମ୍ୟାନ ମୌର ମୁକୁଟ ଏକ ଖାଲରେ ପଡ଼ି ଯାଇଥିଲେ। ସେଇଠି ସେ ମୋବାଇଲ୍ ଫୋନ୍ରେ ନିଜ ପରିବାର ଲୋକଙ୍କ ପାଇଁ ଏକ ବାର୍ତ୍ତା ରେକର୍ଡ କରି ଦେଇଥିଲେ।
ନକ୍ସଲଙ୍କ ଆକ୍ରମଣରୁ ବର୍ତ୍ତିବା ଅସମ୍ଭବ ବୋଲି ଜାଣିବା ପରେ, ମୌର ମୁକୁଟ ନିଜ ମୋବାଇଲରୁ ତାଙ୍କ ମାଆଙ୍କୁ ବାର୍ତ୍ତା ଦେବା ଲାଗି ଚାହିଁଥିଲେ। ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ପ୍ରବଳ ଗୁଳି ବର୍ଷଣ ଚାଲିଥିବା ବେଳେ ହିଁ ତଳେ ଶୋଇ ପଡ଼ି ଧୀରେ ଧୀରେ ସେ ଏହି ଭିଡିଓ ରେକର୍ଡ କରିଥିବା ଦେଖାଯାଉଛି।

ଭିଡିଓରେ ମୌର ମୁକୁଟ ନିଜ ମାଆଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ମାଆ ଆମକୁ ନକ୍ସଲମାନେ ଘେରି ଯାଇଛନ୍ତି। ମାଆ ମୁଁ ତୁମକୁ ବହୁତ ଭଲପାଏ। ମୁଁ ହୁଏତ ଆଉ ବଞ୍ଚି ନ ପାରେ ମାଆ। ଯଦି ମୁଁ ନ ବଞ୍ଚେ ତେବେ ବ୍ୟସ୍ତ ହେବନି। ଏ କଥା କହୁଥିବା ବେଳେ ସେ ଖୁବ୍ ଭୟଭୀତ ଥିବା ଦେଖିବାକୁ ମିଳୁଛି।
ତେବେ ବୁଧବାର ଏହି ଭିଡିଓଟି ଭାଇରାଲ ହୋଇଛି। ନକ୍ସଲଙ୍କ ଆକ୍ରମଣରୁ ବଞ୍ଚିବା ଅସମ୍ଭବ ବୋଲି ସେ ଭିଡିଓରେ ବୟାନ କରୁଛନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖି ଆଉ ଭୟ କରୁ ନଥିବା ମୌର ମୁକୁଟ କୋହଭରା କଣ୍ଠରେ କହିଛନ୍ତି, “ମାଆ ମୁଁ ତତେ ବହୁତ ଭଲ ପାଏ।”


















