ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୋଟରଙ୍କ ମୁଡ୍‌ ଏବେ କ’ଣ ଅଛି? ଏହା ଜାଣିବା ପାଇଁ ଏବିପି – ସି ଭୋଟରଙ୍କ ପକ୍ଷରୁ କରାଯାଇଥିଲା ସର୍ଭେ।

ଓଡ଼ିଶାରେ ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତାହାଲେ କିଏ ମାରିବ ବାଜି? ଓଡ଼ିଶାବାସୀ କେଉଁ ଦଳ ପ୍ରତି ଆସ୍ଥା ପ୍ରକଟ କରିବେ? କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଭୋଟର?

ଏସବୁ ଜାଣିବା ପାଇଁ ଏବିପି – ସି ଭୋଟର ପକ୍ଷରୁ କରାଯାଇଥିଲା ସର୍ଭେ। ହେଲେ ଏହି ସର୍ଭେ ଯେଉଁ ରିପୋର୍ଟ ପ୍ରକାଶ କରିଛି ସେଥିରେ ରାଜ୍ୟ ରାଜନୀତି ହଲ୍‌ଚଲ୍ ହୋଇଯାଇଛି।

ଓଡ଼ିଶାବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରିବାକୁ ଚାହୁଁଥିବା ସର୍ଭରେୁ ଜଣାପଡ଼ିଛି। ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତାହାଲେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ଏଥିରୁ ଜଣାପଡ଼ିଛି। ଶାସକ ବିଜେଡିର ଆସନ ସଂଖ୍ୟା କମିବା ସହ କଂଗ୍ରେସର ଆସନ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସର୍ଭେ ଆକଳନ କରିଛି।

ଓଡ଼ିଶାର ମୋଟ ୨୧ଟି ଲୋକସଭା ଆସନରୁ ବିଜେପି ୧୨ଟି, ବିଜେଡି ୬ ଏବଂ କଂଗ୍ରେସ ୩ଟି ଆସନ ପାଇପାରେ ବୋଲି ସର୍ଭେ ରିପୋର୍ଟ ସ୍ପଷ୍ଟ କରିଛି।

୨୦୧୪ରେ ୨୧ଟି ଆସନରୁ ବିଜେଡି ଏକାକୀ ୨୦ଟି ଆସନ ପାଇଥିବା ବେଳେ ବିଜେପି ଗୋଟିଏ ଆସନ ପାଇଥିଲା। କଂଗ୍ରେସ ଖାତା ଖୋଲିବାରେ ସମର୍ଥ ହୋଇ ନଥିଲା।

କିନ୍ତୁ ଏଥର ୨୦୧୪ ଭଳି ଗଣିତ ହେବ ନାହିଁ ବୋଲି ସି ଭୋଟର ସର୍ଭେରୁ ଜଣାପଡ଼ିଛି।

ବିଜେପି ଏବଂ ବିଜେଡି ଭିତରେ ୨୦୧୯ ଲଢ଼େଇକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ସି ଭୋଟର ସର୍ଭେ ରିପୋର୍ଟ ରାଜନୀତି ପାଣିପାଗକୁ ଉଷ୍ମ କରିଦେଇଛି।

ଏବିପି ସି-ଭୋଟର କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ସର୍ଭେ କରିଥିଲା। ରିପୋର୍ଟ ଅନୁଯାୟୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ଲୋକେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି।

୫୬ ପ୍ରତିଶତ ଲୋକଙ୍କର ପ୍ରଥମ ପସନ୍ଦ ମୋଦି ହୋଇଥିବା ବେଳେ ୩୬ ପ୍ରତିଶତ ଲୋକଙ୍କର ପସନ୍ଦ ହେଉଛନ୍ତି ରାହୁଲ ଗାନ୍ଧି।

ଲୋକସଭାର ମୋଟ ୫୪୩ଟି ଆସନରୁ ଏନଡିଏ ୩୦୦, ଉପା ୧୧୬ ଏବଂ ଅନ୍ୟମାନେ ୧୨୭ଟି ଆସନ ପାଇପାରନ୍ତି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ଏହି ସର୍ଭେ ରିପୋର୍ଟ ଆହୁରି କହିଛି ଯେ ଦକ୍ଷିଣ ଭାରତରେ ଥିବା ୫ଟି ରାଜ୍ୟରୁ ବିଜେପିକୁ ବିଶେଷ ସଫଳତା ମିଳିବ ନାହିଁ।

ତାମିଲନାଡୁ, କେରଳ, ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକରେ ମୋଟ ୧୨୯ଟି ଆସନ ରହିଛି। ଏଥିରୁ ବିଜେପିକୁ ୨୦ ଏବଂ କଂଗ୍ରେସକୁ ୩୪ଟି ଆସନ ମିଳିପାରେ। ବାକି ଆସନରେ ଆଞ୍ଚଳିକ ଦଳର ପ୍ରାର୍ଥୀ ଜିତିବାର ସମ୍ଭାବନା ରହିଛି।

ସେହିପରି ପଶ୍ଚିମବଙ୍ଗରେ ବି ବିଜେପିକୁ ଭଲ ସଫଳତା ମିଳିବ ନାହିଁ। ୪୨ଟି ଆସନରୁ ବିଜେପିକୁ ମାତ୍ର ୯, କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବୋଲି ସର୍ଭେରୁ ଜଣାପଡ଼ିଛି। ୩୨ଟି ଆସନକୁ ଟିମ୍‌ସି କବ୍‌ଜା କରିପାରେ ବୋଲି ଆକଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here