ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ନୂଆ ଟିମ ଗଠନ କରିଛନ୍ତି। ଏହି ଟିମରେ ଯୁବକମାନଙ୍କୁ ଅଧିକ ପ୍ରତିନିଧିତ୍ୱ ଦିଆଯାଇଛି। ନିରଞ୍ଜନ ଏହି ଟିମ ଉପରେ ଢ଼େର ବିଶ୍ୱାସ ରଖୁଥିବା ସ୍ପଷ୍ଟ ହୋଇଛି। ସଂଗଠନ ସଜାଡ଼ିବା ସହିତ ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ ଏହି ଟିମକୁ ଦିଆଯାଇଛି।

ପିସିସି ସଂଗଠନ ମହାସଚିବ ବିଶ୍ୱଜିତ ଦାସଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବୁଥ ସ୍ତରରେ ଦଳର ଉପସ୍ଥିତିକୁ ମଜବୁତ କରିବା ପାଇଁ ଓ ଏଗୁଡ଼ିକୁ ସକ୍ରିୟ କରିବା ଉଦ୍ଦେଶ୍ୟରେ ସଭାପତି ଜିଲ୍ଲା ଓ ବିଭିନ୍ନ ସଂଗଠନମାନଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି।

ଏହି ଦାୟିତ୍ୱ ଅନୁସାରେ, କଂଗ୍ରେସ ଉପସଭାପତି ଅନନ୍ତ ସେଠୀଙ୍କୁ ଶୃଙ୍ଖଳା କମିଟିର ଆବାହକ ନିଯୁକ୍ତ କରାଯାଇଛି। ତା’ଛଡ଼ା ଏଆଇସିସି କାର୍ଯ୍ୟକ୍ରମ, ହିସାବ ପତ୍ର, ନିର୍ବାଚନ ପ୍ରସ୍ତୁତି ଓ ପ୍ରଚାର କମିଟିର ସଦସ୍ୟ ଭାବେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟତମ ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ସମେତ ସ୍ୱାଧିନତା ସଂଗ୍ରାମୀ ବିଭାଗ, କଳା ଓ ସଂସ୍କୃତି ବିଭାଗ ତଥା ସେବାଦଳ ସଙ୍ଗଠନ ଦାୟିତ୍ୱ ଅର୍ପଣ କରାଯାଇଛି।

ବିଜୟଲକ୍ଷ୍ମୀ ସାହୁଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ସହ ପଞ୍ଚାୟତିରାଜ ସେଲ; ସଦନ ନାୟକଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ବ୍ୟତୀତ ଅବସରପ୍ରାପ୍ତ ସାମରିକ ବିଭାଗ ଦାୟିତ୍ୱ ଦିଆଯାଇଛି। ଅମର ନାଥ ପ୍ରଧାନ ପିସିସି ସଭାପତିଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଅଧ୍ୟାପକ କୈଳାସ ଆଚାର୍ଯ୍ୟଙ୍କ ପାଇଁ କଳା ଓ ସଂସ୍କୃତି ବିଭାଗ ରଖା ଯାଇଥିବା ବେଳେ ତାଙ୍କୁ ଶିକ୍ଷକ କଂଗ୍ରେସ, ବୁଦ୍ଧିଜୀବୀ ବିଭାଗ; ଶିବାନନ୍ଦ ରାୟଙ୍କୁ ଯାଜପୁର ଜିଲ୍ଲା ସହିତ ନିର୍ବାଚନ କମିଶନ ଓ ଆଇନ ପ୍ରକୋଷ୍ଠ ଦାୟିତ୍ୱରେ ରଖାଯାଇଛି।

କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲଙ୍କୁ ବଲାଙ୍ଗୀର ଜିଲ୍ଲାର ଦାୟିତ୍ୱ ଦିଆ ଯାଇଥିବା ବେଳେ ଅର୍ଥ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିଭଳି ମିଡିଆ ବିଭାଗ ମୁଖ୍ୟ ସତ୍ୟ ପ୍ରକାଶ ନାୟକଙ୍କୁ ଗଣମାଧ୍ୟମ ଓ ଯୋଗାଯୋଗ ଦାୟିତ୍ୱ ଦିଆଯାଇଛି।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ପ୍ରୋଟୋକଲ ଦାୟିତ୍ୱ, ବିସ୍ମୟ ମହାପାତ୍ରଙ୍କୁ ମେରା ବୁଥ, ମେରା ଗୌରବ ତଥା ଡାଟା ଆନାଲିସିସ ଦାୟିତ୍ୱରେ ରଖାଯାଇଛି। ଏଥି ସହିତ ଅନ୍ୟ କଂଗ୍ରେସ ଉପସଭାପତି ଓ ସଚିବମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ରଖାଯାଇଛି। ଏହି ସବୁ ନିଯୁକ୍ତି ଫଳରେ ଦଳର ସଂଗଠନ ଅଧିକ ଦୃଢ଼ ହେବ ଓ ନିର୍ବାଚନକୁ ସାମ୍ନା କରିହେବ ବୋଲି ଦଳର ତୁଙ୍ଗ ନେତାମାନେ ବିଶ୍ୱାସ କରୁଛନ୍ତି।

LEAVE A REPLY

Please enter your comment!
Please enter your name here