ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଏକାମ୍ର ସ୍ପୋର୍ଟସ୍ ଲିଟେରାରି ଫେଷ୍ଟିଭାଲ। ମୁଖ୍ୟମନ୍ତ୍ରୀ ଏହି ମେଗା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲକୁ ଉଦ୍‌ଘାଟନ କରି କହିଛନ୍ତି, “ଏହି ଫେଷ୍ଟିଭାଲ ଲୋକଙ୍କ ମନରେ ହକି ଖେଳ ପ୍ରତି ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି କରିବ। ଏହା ଖେଳାଳି ଓ ଖେଳକୁ ଭଲ ପାଉଥିବା ଲୋକଙ୍କୁ ଏକାଠି କରିବ। ଓଡ଼ିଶାରୁ ମଧ୍ୟ ଅନେକ ପ୍ରତିଷ୍ଠିତ ହକି ଖେଳାଳି ବାହାରିଛନ୍ତି। ସେମାନେ ଦେଶ ବିଦେଶକୁ ଯାଇ ଖେଳି ଓଡ଼ିଶା ପାଇଁ ଅନେକ ଗୌରବ ଆଣିଛନ୍ତି।”

“ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେବାକୁ ଯାଉଛି ‘ପୁରୁଷ ହକି ବିଶ୍ୱକପ’। ଏଥିରେ ୧୬ଟି ଦେଶ ଅଂଶଗ୍ରହଣ କରିବେ। ଦେଶ ବିଦେଶରୁ ଯେଉଁ ଖେଳାଳିମାନେ ଓଡ଼ିଶାକୁ ଆସିବେ, ସେମାନେ ଭଲ ସ୍ମୃତି ନେଇ ଘରକୁ ଫେରିବେ ବୋଲି ଆଶା ରହିଛି”, କହିଛନ୍ତି ନବୀବ ପଟ୍ଟନାୟକ।

ଇମର୍ଜିଂ ସ୍ପୋର୍ଟସ୍, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ମେଗା କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି।

ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଭୁବନେଶ୍ୱରରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଗୁରୁବାର ଭୁବନେଶ୍ୱରରେ ଦେଶ ବିଦେଶରୁ ଅନେକ ତାରକା କ୍ରୀଡାବିତ୍‌ମାନେ ପହଞ୍ଚିଛନ୍ତି।

ସେମାନଙ୍କ ମଧ୍ୟରେ ଅଛନ୍ତି ଜାମାଇକା ଜନ୍ମିତ କାନାଡିଆନ ଆଥଲେଟ୍‌ ବେନ୍‌ ଜନସନ୍‌, ପୂର୍ବତନ ଭାରତୀୟ ହକି ଅଧିନାୟକ ଧନରାଜ ପିଲେ, ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍‌ଡ ଆଥଲେଟ୍‌ ଶାନ୍ତି ସୁନ୍ଦରରାଜନ, ଅଷ୍ଟ୍ରେଲିଆର ହକି ଅଲିମ୍ପିଆନ ବ୍ରେଂଟ ଲିଭ୍‌ମୋର, ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଓ ଅନ୍ୟମାନେ।

Comment