ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଟକରେ ଚାଷୀମାନଙ୍କ ସହ ରାତି କାଟିଛନ୍ତି।

ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ସଙ୍ଗଠନ। ଯାଜପୁର କୁଆଖିଆରୁ ବାହାରିଥିବା ଚାଷୀ ପଦଯାତ୍ରା ଶୁକ୍ରବାର ରାତିରେ କଟକରେ ପହଞ୍ଚିବା ପରେ ଏଥିରେ ସାମିଲ ହୋଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଚାଷୀଙ୍କ ଦାବିକୁ ସମର୍ଥନ କରିବା ସହ କଂଗ୍ରେସ ଦଳ ସେମାନଙ୍କ ସହ ରହିଛି ବୋଲି ଆଶ୍ୱାସନା ଦେଇଥିଲେ। ଗତ ରାତିରେ ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟମାନେ କଟକ ଗୋପାଳପୁରଠାରେ ରାତ୍ରିଯାପନ କରିଥିଲେ। ସେମାନଙ୍କ ସହ ନିରଞ୍ଜନ ମଧ୍ୟ ରାତି କାଟିଥିଲେ।

ଚାଷୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସରକାର ସେମାନଙ୍କ ଦାବି ତୁରନ୍ତ ପୂରଣ କରିବାକୁ ଦାବି କରିଥିଲେ। କଟକ ନଗର କଂଗ୍ରେସ କମିଟି ସଭାପତି ଇଂ ମହମ୍ମଦ ମୋକିମ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଚାଷୀମାନେ କୌଣସି ରାଜନୀତିକ ଦଳର ନୁହନ୍ତି। ସେମାନେ ସେମାନଙ୍କ ହକ୍ ପାଇଁ ଲଢ଼େଇ କରୁଛନ୍ତି। ଦୀର୍ଘଦିନ ହେଲା ପ୍ରାଇସ୍, ପ୍ରେଷ୍ଟିଜ ଏବଂ ପେନସନ ପାଇଁ ଚାଷୀମାନେ ଦାବି କରୁଥିଲେ ମଧ୍ୟ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଶୁଣୁ ନାହାନ୍ତି।”

କଟକରୁ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ୱର ଆସିବେ। ୫ ତାରିଖରେ ପିଏମ୍‌ଜିରେ ବଡ଼ ଧରଣର ଆନ୍ଦୋଳନ କରିବେ। ଅକ୍ଟୋବର ୨୯ରୁ ଚାଷୀ ପଦଯାତ୍ରା ଆରମ୍ଭ ହୋଇଛି।

Comment