ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ହଜାର ହଜାର ଚାଷୀ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି।

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ସୋମବାର ଚାଷୀ ଆନ୍ଦୋଳନ ଡାକରା ଦେଇଛି। ଏହି ବିଶାଳ ଚାଷୀ ସମାବେଶରେ ଯୋଗଦେବା ପାଇଁ ହଜାର ହଜାର ଚାଷୀ ପଦଯାତ୍ରାରେ ଆସି ଭୁବନେଶ୍ୱର ଉପକଣ୍ଠ ହଂସପାଳଠାରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ସରକାର, ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସମାବେଶକୁ ଘୋର୍‌ ବାରଣ କରିଛନ୍ତି। ସେଥିପାଇଁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ପ୍ରଭୃତି ଜିଲ୍ଲାମାନଙ୍କରୁ ଆସୁଥିବା ଚାଷୀମାନଙ୍କୁ ତମାଣ୍ଡୋଠାରେ ଅଟକ ରଖା ଯାଇଥିଲା।

ଏଥିସହ ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟରେ ବ୍ୟାପକ ପୋଲିସ ମୂତୟନ କରାଯାଇ ଚାଷୀମାନଙ୍କୁ ଭୁବନେଶ୍ୱର ପ୍ରବେଶକୁ ବାରଣ କରାଯାଇଥିଲା। ସେଠାରେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇ ଶାନ୍ତିରକ୍ଷା ପାଇଁ ଉଦ୍ୟମ କରାଯାଇଛି।

ଅପରପକ୍ଷରେ ତମାଣ୍ଡୋଠାରେ ଚାଷୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏହାଛଡ଼ା ତମାଣ୍ଡୋଠାରେ ପୋଲିସ ପକ୍ଷରୁ ନିର୍ମାଣ କରାଯାଇଥିବା ବ୍ୟାରିକେଟ୍‌କୁ ଚାଷୀମାନେ ଭାଙ୍ଗି ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରି ଯାଇଛନ୍ତି। ଅପରପକ୍ଷରେ ୧୪୪ ଧାରାକୁ ଭାଙ୍ଗି ରାଜଧାନୀରେ ପଶିଲେ ଚାଷୀ। ଖଣ୍ଡଗିରି ନିକଟରେ କିଛି ଚାଷୀଙ୍କୁ ଗିରଫ କରିଛି ପୋଲିସ।

ସ୍ଥାନୀୟ ପୋଲିସ କହିବାନୁସାରେ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ବିଶାଳ ଚାଷୀ ମହାସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଚାଷୀ ଆସି ଭୁବନେଶ୍ୱର ଉପକଣ୍ଠ ହଂସପାଳ ଓ ତମାଣ୍ଡୋରେ ଏକତ୍ରିତ ହୋଇଛନ୍ତି। ଏଥିସହ ସେମାନେ ସେମାନଙ୍କର ଦାବି ଉପସ୍ଥାପନ କରିବେ ବୋଲି ସ୍ଥିର କରିଛନ୍ତି। ମାତ୍ର ଚାଷୀମାନେ ଯେପରି ଭୁବନେଶ୍ୱର ଭିତରେ ପଶି ନ ପାରିବେ ସେଥିପାଇଁ ଉଦ୍ୟମ ଜାରି ରହିଛି।

ଗତ ରବିବାର ଦିନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ହଂସପାଳଠାରେ ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ଓ ଅନ୍ୟ ଚାଷୀ ନେତାମାନଙ୍କ ସହିତ ଆଲୋଚନା କରିଥିଲେ। ତେବେ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ସାମାଜିକ ସୁରକ୍ଷା ନେଇ ଅଧ୍ୟାଦେଶ ଜାରି କରିବାକୁ ଚାଷୀମାନେ ଅଡ଼ି ବସିଥିବାରୁ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

Comment