ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ପାଳିତ ହେବ ଆଲୋକର ପର୍ବ ଦୀପାବଳି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରଙ୍ଗୀନ ଆଲୋକରେ ଆଲୋକିତ ହେବ। ଦୀପାବଳିରେ ବାଣ ଫୁଟାଇବାକୁ ସର୍କୁଲାର ଜାରି କଲା କମିଶନରେଟ ପୋଲିସ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

କଟକ ଓ ଭୁବନେଶ୍ୱରରେ ରାତି ୮ ରୁ ୧୦ ଫୁଟାଇପାରିବେ ବାଣ। ୧୨୫ ଡେସିବେଲରୁ ଅଧିକ ଶବ୍ଦ ହେଉଥିବା ବାଣ ଫୁଟାଇ ପାରିବେନି। ଚାଇନା ବାଣର ମାଳ ଫୁଟାଇବାକୁ ମନା କରାଯାଇଛି। ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ପାଖରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।

ବିଜୁ ପଟ୍ଟନାୟକ ବିମାନ ବନ୍ଦର ଆଖପାଖରେ ରକେଟ ବାଣ ଓ ଆକାଶ ଦ୍ୱୀପ ନ ଲଗାଇବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଲେଜର ଲାଇଟ୍ ନପକାଇବାକୁ ମଧ୍ୟ ସେ ନିବେଦନ କରିଛନ୍ତି।

ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ” ବିମାନ ଆଖପାଖରେ ରକେଟ କିମ୍ବା ଆକାଶ ଦ୍ୱୀପ ଲଗାଇବା ଦ୍ୱାରା ବିମାନଯାତ୍ରାରେ ଅସୁବିଧା ଉପୁଜିବା ସହ ବିମାନ ସୁରକ୍ଷା ପ୍ରତି ଆଞ୍ଚ ଆସିଥାଏ।”

ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବାକୁ ପୋଲିସ ପକ୍ଷରୁ କୁହାଯାଇଛି ଏବଂ ଜନବସତିଠାରୁ ଦୂରରେ ଖୋଲା ପଡିଆରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ବାଣ ଫୁଟାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ସ୍ଥାନରେ ସମସ୍ତେ ବାଣ ଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି।

Comment