ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷରେ ଧରାପଡ଼ିଲା ମଣିଷ ଖିଆ ବାଘୁଣୀ ସୁନ୍ଦରୀ। ଚନ୍ଦକାରୁ ଆସିଥିବା କୁମ୍‌କୀ ହାତୀ ଯଶୋଦା ପିଠିରେ ବସି ବନବିଭାଗ କର୍ମଚାରୀ ମାରିଥିବା ନିଶ୍ଚେତକ ଗୁଳିରେ ବାଘୁଣୀ ଅଚେତ ହେବା ପରେ ଅପରେସନ ସୁନ୍ଦରୀ ସଫଳ ହୋଇଛି। ଏବେ ସୁନ୍ଦରୀ ଓଡ଼ିଶାରେ ରହିବ ନା ମଧ୍ୟପ୍ରଦେଶ ଯିବ ତାକୁ ନେଇ ଚିନ୍ତା ଦେଖାଦେଇଛି।

ବାନ୍ଧବଗଡ଼ରୁ ଆସିଥିଲା ସୁନ୍ଦରୀ

ଓଡ଼ିଶାରେ ବାଘ ସଂଖ୍ୟୃା ବୃଦ୍ଧି କରିବା ପାଇଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଜଙ୍ଗଲରୁ ଓଡ଼ିଶା ଆସିଥିଲା ସୁନ୍ଦରୀ। ତାକୁ ସାତକୋଶିଆରେ ପ୍ରଥମେ ଛଡ଼ା ଯାଇଥିଲା। ସୁନ୍ଦରୀ ଆସିବା ପରେ ଓଡ଼ିଶାରେ ଯେତିକି ଉତ୍ସାହ ଦେଖାଦେଇଥିଲା ମଣିଷ ମାରିବା ପରେ ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ଦାବି ସେତିକି ଜୋରଦାର ହୋଇଥିଲା।

ଜୁନ୍ ୨୮ରେ ସୁନ୍ଦରୀ ସାତକୋଶିଆରେ ପହଞ୍ଚିବା ପରେ ପ୍ରଥମେ ତାକୁ ଏନକ୍ଲୋଜରରେ ରଖାଯାଇଥିଲା। ପରିବେଶ ସହିତ ସୁନ୍ଦରୀ ଖାପଖୁଆଇ ଚଳିପାରିବ ବୋଲି ବନବିଭାଗ ଅନୁଭବ କରିବା ପରେ ତାକୁ ଏନକ୍ଲୋଜରରୁ ମୁକ୍ତ କରାଯାଇଥିଲା। ଅଗଷ୍ଟ ୧୭ରେ ସୁନ୍ଦରୀକୁ ମୁକ୍ତ କରାଯାଇଥିଲା। ଏହାପରେ ସୁନ୍ଦରୀ ରକ୍ତମୁଖା ହୋଇଯାଇଥିଲା।

ସେପ୍ଟେମ୍ବର ୧୩ ତାରିଖରେ ସାତକୋଶିଆ ହାତୀବରି ଗାଁରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ଟାଇଁସି ଗାଁର ଜଣେ ବ୍ୟକ୍ତି ସୁନ୍ଦରୀର ଶିକାର ବନିଥିଲେ। ଗୋଟିଏ ବଳଦ ମଧ୍ୟ ଶିକାର କରିଥିଲା ବାଘୁଣୀ। ଏହାପରେ ସୁନ୍ଦରୀକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ।

ମଣିଷ ଖିଆ ବାଘୁଣୀକୁ ସ୍ଥନାନ୍ତର କରିବା ପାଇଁ ବନବିଭାଗ ଆରମ୍ଭ କରିଥିଲା ଉଦ୍ୟମ।

ବନବିଭାଗକୁ ସୁନ୍ଦରୀ ଟେନସନ

ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗ କର୍ମଚାର ରାତି ଦିନ ଏକ କରି ଦେଇଥିଲେ। ଶିମିଳିପାଳ ଏବଂ ଓୟୁଏଟିରୁ ବିଶେଷଜ୍ଞ ଟିମ୍ ସାତକୋଶିଆରେ ଡେରା ପକାଇ ସୁନ୍ଦରୀ ଧରିବା ଅଭିଯାନରେ ସାମିଲ ହୋଇଥିଲେ। କିନ୍ତୁ ସୁନ୍ଦରୀ ଜଙ୍ଗଲରୁ ଜଙ୍ଗଲକୁ ଡେଇଁ ବିଶେଷଜ୍ଞ ଟିମ୍ ଏବଂ ବନ ବିଭାଗ କର୍ମଚାରୀକୁ ଚକମା ଦେଇଥିଲା।

ଜଙ୍ଗଲରେ ମଞ୍ଚା ତିଆରି କରି ସୁନ୍ଦରୀର ପତ୍ତା ଲଗାଇଥିଲା ବନବିଭାଗ। କଞ୍ଚା ମାଂସ ସ୍ପ୍ରେ ମଧ୍ୟ ଜଙ୍ଗଲରେ ପକା ଯାଇଥିଲା। କିନ୍ତୁ ସୁନ୍ଦରୀ ଧରା ଦେଲ ନାହିଁ। ଶେଷରେ ମଧ୍ୟପ୍ରଦେଶରୁ ଦୁଇଟି ଟିମ୍ ଆସିଥିଲେ ସାତକୋଶିଆ। ଏହି ଟିମ ସୁନ୍ଦରୀ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ବାଘୁଣୀ ଧରିବା ପାଇଁ ହାତୀର ସହାୟତା ଲୋଡ଼ିଥିଲା ବନ ବିଭାଗ।

ଚନ୍ଦକାରୁ କୁମକୀ ହାତୀ ଯଶୋଦାକୁ ଟ୍ରକରେ ସାତକୋଶିଆ ନିଆଯାଇଥିଲା। ଏହି ହାତୀ ପିଠିରେ ବସି ବନବିଭାଗ କର୍ମଚାରୀ ନିଶେଚତକ ଗୁଳି ମାରିଥିଲେ। ଏହି ଗୁଳି ସୁନ୍ଦରୀ ଦେହରେ ବାଜିଛି। ଫଳରେ ସୁନ୍ଦରୀକୁ କାବୁ କରିଛି ବନବିଭାଗ।

ସୁନ୍ଦରୀ ରହିବ କେଉଁଠି?

ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ଆସିଥିବା ସୁନ୍ଦରୀ ମଣିଷ ଶିକାର କରିବା ପରେ ତାକୁ ସ୍ଥାନାନ୍ତର ପାଇଁ ଦାବି ଜୋର୍ ଧରିଛି। ଏପଟେ ସୁନ୍ଦରୀ ନନ୍ଦନକାନନରେ ରହିବ ବୋଲି ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗତ କିଛିଦିନ ତଳେ ସୂଚନା ଦେଇଥିଲେ। କିନ୍ତୁ ବାନ୍ଧବଗଡ଼କୁ ସୁନ୍ଦରୀକୁ ଫେରାଇ ନେବା ପାଇଁ ଦାବି ହେଉଛି। ଏହାକୁ ନେଇ କୌଣସି ସମାଧାନର ରାସ୍ତା ବାହାରିପାରି ନାହିଁ। ଯଦି ସୁନ୍ଦରୀ ବାନ୍ଧବଗଡ଼ ଫେରିଯାଏ ତାହାଲେ ଓଡ଼ିଶାରେ ବାଘ ସଂଖ୍ୟା କେମିତି ବୃଦ୍ଧି ପାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Comment