ଓଡ଼ିଶାଲାଇଭ୍ ବ୍ୟୁରୋ
- ବସ୍ରେ ଟିକେଟ୍ କାଟିଲେ ମୁଖ୍ୟମନ୍ତ୍ରୀ
- ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିଧାନସଭାକୁ ଗଲେ ମୁଖ୍ୟମନ୍ତ୍ରୀ
- ଲୋକଙ୍କ ସହିତ ସେଲ୍ଫି ଉଠାଇଲେ
- ବିନା ସୁରକ୍ଷା କର୍ମଚାରୀଙ୍କ ସହାୟତାରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ
ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ‘ ମୋ ବସ’ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନବନ୍ଦର ଠାରେ ‘ ମୋ ବସ୍’ ସେବାର ଶୁଭ ଉଦ୍ଘାଟନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ବସ୍ ଚଢ଼ି ବିଧାନସଭାକୁ ଆସିଛନ୍ତି।
କୌଣସି ସୁରକ୍ଷା କର୍ମଚାରୀଙ୍କ ବିନା ସାଧାରଣ ଲୋକଙ୍କ ଭଳି ବସ୍ରେ ବସି ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ବସ୍ର ଟିକେଟ ବାବଦ ଟଙ୍କା ମଧ୍ୟ ପଇଠ କରିଛନ୍ତି। ୮ଟଙ୍କା ମୂଲ୍ୟର ଟିକେଟ ପାଇଁ ମୁଖ୍ୟମନ୍ତ୍ରୀ ବସ୍ର କଣ୍ଡକ୍ଟରଙ୍କୁ ୧୦ ଟଙ୍କା ଦେଇଥିଲେ। ଗାଇଡ଼ ମୁଖ୍ୟମନ୍ତ୍ରୀଙ୍କୁ ୨ଟଙ୍କା ଫେରସ୍ତ କରିଥିବା ଦେଖିବାକୁ ମିଳିଥିଲା।
ଏହାଛଡ଼ା ମୁଖ୍ୟମନ୍ତ୍ରୀ ବସ୍ରେ ଯାତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିବା ସହ ସେଲ୍ଫି ଉଠାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ବସ୍ଗୁଡ଼ିକର କଣ୍ଡକ୍ଟରମାନଙ୍କୁ ବସ୍ ଗାଇଡ୍ କୁହାଯିବ। ସେଥିପାଇଁ ବସ୍ ଗାଇଡ୍ ପାଇଁ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବ।”