ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୂର୍ବତନ ମନ୍ତ୍ରୀ, ପାରାଦୀପ ବିଧାୟକ ଓ ବିଜେଡିରୁ ବହିଷ୍କୃତ ହୋଇଥିବା ଡାକ୍ତର ଦାମୋଦର ରାଉତ ଦୀପାବଳି ପାଳନ ଅବସରରେ ଘୋଷଣା କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ନିଜର ଦଳ ଗଢ଼ିବେ। ଦାମ ବାବୁଙ୍କ ଆଞ୍ଚଳିକ ଦଳ ଗଢ଼ିବା କଥା ବହୁ ଦିନରୁ ଶୁଣାଯାଉଥିଲା, କିନ୍ତୁ ଏଥର ଏହା ନିଶ୍ଚିତ। ବିଜେଡ଼ି ସରକାରର କୁଶାସନ ଓ ଦୁର୍ନୀତି ବିରୋଧରେ ଏହି ଦଳ ଲଢ଼ିବ ବୋଲି ଦାମୋଦର ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୯କି ୧୦ ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବ ଓ ତାପରେ ଆନୁଷ୍ଠାନିକ ଭାବେ ଦଳର ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଆଶା କରାଯାଉଛି ୧୧ କି ୧୨ରେ ସମସ୍ତେ ଜାଣିଯିବେ ଦାମଙ୍କ ନୂଆ ଦଳର ରୂପରେଖ କ’ଣ ହେବ।

ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ନୀତିରୁ ସମ୍ପୂର୍ଣ୍ଣ ଭାବେ ନିଜକୁ ଦୂରେଇ ଦେଇଥିବା ବିଜେଡ଼ିକୁ ତାଙ୍କ  ଦଳ କଡ଼ା ଗଣ୍ଡା ବିରୋଧ କରିବ ବୋଲି ଡାକ୍ତର ରାଉତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଯାହା ସ୍ପଷ୍ଟ ହୋଇଛି, ବିଜୁବାବୁଙ୍କ ନାମରେ ଏହି ଆଞ୍ଚଳିକ ଦଳଟି ଗଠନ ହେବ। ତେବେ ଅନ୍ୟ କୌଣସି ଦଳ ସହିତ ନୂଆ ଦଳ ମେଣ୍ଟ କରିବ ନାହିଁ ବୋଲି ଦାମ ସ୍ପଷ୍ଟ କରିଛନ୍ତି। ତା ଛଡ଼ା ସେ କହିଛନ୍ତି ଯେ ନବୀନଙ୍କ ସରକାର ଯେହେତୁ ଚାହୁଁନାହାନ୍ତି ଓଡ଼ିଶାରେ ଆଉ ଏକ ଆଞ୍ଚଳିକ ଦଳ ଗଠନ ହେଉ, ଏଣୁ ଏଥିରେ ନାନା ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରାଯାଉଛି।

ଦାମ ବାବୁଙ୍କ ଏହି ଘୋଷଣା ପରେ ଶାସକ ଦଳର ମୁଖପାତ୍ର ସୁସ୍ମିତ ପାତ୍ର କହିଛନ୍ତି ଯେ ନଈ ନ ଦେଖି ଲଙ୍ଗଳା ହେବା ଠିକ୍ ନୁହେଁ। ସେ ଆଗ ଦଳ ଗଢ଼ିସାରନ୍ତୁ ତା ପରେ ଆମେ ଆମ ପ୍ରତିକ୍ରିୟା ରଖିବୁ।

ମନେ ପକାଇ ଦିଆଯାଉଛି ଯେ ସେପ୍ଟେମ୍ବର ୧୨ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରିଥିଲେ। ନବୀନ ପଟ୍ଟନାୟକଙ୍କ ସରକାରକୁ ବିଭିନ୍ନ ସମୟରେ ଅଡ଼ୁଆରେ ପକାଇବା ବ୍ୟତୀତ ସରକାରର ଏକାଧିକ  ଦୁର୍ନୀତିକୁ ପଦାକୁ ଆଣି ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରାବର ବ୍ୟାକଫୁଟରେ ରଖିଆସିଥିଲେ।

Comment