ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ। ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି ଫଟୋ। ସୁରତର ହିତେଶ ସୋନାନି ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ପୋଷ୍ଟ କରିବା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଛି।

ଶ୍ରୀମନ୍ଦିର କୋଇଲି ବୈକୁଣ୍ଠ ସମେତ ଅନ୍ୟ ସମ୍ବେଦନଶୀଳ ସ୍ଥାନର ଫଟୋ ଛାଡ଼ିଛନ୍ତି ହିତେଶ।

ହିତେଶ କମ୍ପ୍ୟୁଟର ହାଡୱେୟାର ଏବଂ ନେଟୱର୍କିଂ ପ୍ରଫେସନାଲ ଭାବେ କାମ କରୁଥିବା ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରୁ ଜଣାପଡ଼ିଛି।

ପୂର୍ବରୁ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ହୋଇଥିଲା। ଗତବର୍ଷ ନଭେମ୍ବର ୪ରେ ବେଙ୍ଗାଳୁରୁରୁର ମେଘା ଲୁଥ୍ରା ନାମକ ଜଣେ ମହିଳା ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ନିକଟରେ ମହାଳୟା ଶ୍ରାଦ୍ଧ ବେଳେ ଜଣେ ପୋଲିସ ଅଧିକାରୀ ବାଇଶି ପାହାଚରେ ବସି ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଶ୍ରୀମନ୍ଦିର ଭିତରୁ ମୋବାଇଲ ଏବଂ କ୍ୟାମେରା ନେବା ଉପରେ କଟକଣା ଲଗାଯାଇଛି। ସିଂହଦ୍ୱାର ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଏହାସତ୍ତ୍ୱେ ଶ୍ରୀମନ୍ଦିର ଭିତରର ଫଟୋ କେମିତି ଭାଇରାଲ ହେଉଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment