ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ଗଡ଼ିବ ଅତ୍ୟାଧୁନିକ ୨୦୦୦ଟି ବାଇସାଇକେଲ। କମ୍ ଖର୍ଚ୍ଚରେ ସାଇକେଲ ଚଳାଇବାର ସୁଯୋଗ ପାଇପାରିବେ ରାଜଧାନୀବାସୀ।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍) ପକ୍ଷରୁ ରାଜଧାନୀରେ ପବ୍ଲିକ୍ ସାଇକେଲ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦୦ଟି ସାଇକେଲ ରାଜଧାନୀରେ ଆସି ପହଁଚିଛି। ଆସନ୍ତା ସପ୍ତାହରେ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପବ୍ଲିକ୍ ସାଇକେଲ ସେୟାରିଂ ବ୍ୟବସ୍ଥାରେ ଲୋକଙ୍କୁ କମ୍ ଖର୍ଚ୍ଚରେ ସାଇକେଲ ଚଳାଇବାର ସୁଯୋଗ ମିଳିବ। ଏହି ସାଇକେଲକୁ ଅନ୍‌ଲାଇନ୍‌ରେ ମଧ୍ୟ ବୁକିଂ ହେବ। ଏହି ସାଇକେଲକୁ ଆପଣ ସବୁ ସ୍ଥାନରେ ପାଇପାରିବେ। ଲୋକମାନେ ଘରୁ ବାହାରିଲେ ଏହି ସାଇକେଲକୁ ସହଜରେ ପାଇପାରିବେ ଏବଂ ଫେରାଇ ପାରିବେ।

ଏହି ସାଇକେଲକୁ ଶାଢ଼ି ପିନ୍ଧିଥିବା ମହିଳା, ସ୍କୁଲ ପିଲା ଚଳାଇପାରିବେ। ସାଇକେଲରେ ସିଟ ଆଡଜଷ୍ଟ କରିବାର ସୁବିଧା ରହିଛି। ସାଇକେଲଗୁଡ଼ିକୁ ଟ୍ରାକ୍ କରିବା ପାଇଁ ଜିପିଏସ ସୁବିଧା ମଧ୍ୟ ରହିଛି।

ରାଜଧାନୀରେ ଲୋକଙ୍କୁ ଭଡ଼ାରେ ସାଇକେଲ ଯୋଗାଇବା ପାଇଁ ତିନିଟି ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇଛି। ହେକ୍ସି ବାଇକୁ ୧୦୦୦ଟି ହିରୋ ସାଇକେଲ ଯୋଗାଇବାକୁ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ସାଇକେଲ ଦେବେ।

ପବ୍ଲିକ୍ ସାଇକେଲ ସେୟାରିଂ ବ୍ୟବସ୍ଥା ପ୍ରଥମେ ୩ଟି ରୁଟରେ ଲାଗୁ କରାଯିବ। ଏହାଛଡ଼ା ମୁଖ୍ୟ ରାସ୍ତା ସହ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ।

ଲୋକମାନେ ସାଇକେଲ ଷ୍ଟେସନ୍‌ଗୁଡ଼ିକରୁ ସାଇକେଲ ପାଇପାରିବେ। ଏହାସହ ବସ କ୍ୟୁ ସେଲ୍ଟରରେ ସାଇକେଲ ରଖି ହେବ।

ପବ୍ଲିକ୍ ସାଇକେଲ ସେୟାରିଂ ବ୍ୟବସ୍ଥାରେ ନାମ ପଞ୍ଜିକରଣ କରି ମେମ୍ବରସିପ୍ ନେଲେ ଅଧ ଘଣ୍ଟା ମାଗଣାରେ ସାଇକେଲ ଚଳାଇବାର ସୁବିଧା ପାଇପାରିବେ। ଅନ୍ୟପକ୍ଷରେ ଯେଉଁମାନେ ମେମ୍ବରସିପ୍ ନେଇ ନଥିବେ ସେମାନଙ୍କୁ ସାଇକେଲ ଚଳାଇବା ପାଇଁ ଫି ଦେବାକୁ ପଡ଼ିବ।

Comment