ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଦୋଳନରୁ ହଟିଲେନି ଓକିଲ। ସୋମବାର ଯାଏଁ ଚାଲୁ ରହିବ ଆନ୍ଦୋଳନ।

ଗତ ଦୁଇ ମାସ ହେଲା ଓକିଲ-ପୋଲିସ ମଧ୍ୟରେ ଚାଲିଥିବା ବିବାଦ ମାମଲାର ଶୁଣାଣି ସୋମବାରକୁ ଘୁଞ୍ଚିଛି। ତଦନ୍ତକାରୀ ଅଫିସର ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହେବାରୁ ହାଇକୋର୍ଟ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇଛନ୍ତି।

ହାଇକୋର୍ଟଙ୍କ ଶୁଣାଣି ଆଜି ନଆସିବାରୁ ଏପଟେ ଓକିଲମାନେ ସେମାନଙ୍କ ଆନ୍ଦୋଳନରୁ ଓହରି ନାହାନ୍ତି। ସୋମବାର ଯାଏଁ ଆନ୍ଦୋଳନ ଜାରି ରଖିବାକୁ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ ଘୋଷଣା କରିଛନ୍ତି।

ଓକିଲ-ପୋଲିସ ବିବାଦ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟଙ୍କୁ ଆଉ ୬ ସପ୍ତାହ ସମୟ ମାଗିଥିଲେ। କିନ୍ତୁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ଓକିଲ ଦେବୀପ୍ରସାଦଙ୍କୁ କଟକରେ ଜଣେ ପୋଲିସ କର୍ମଚାରୀ ମାଡ଼ ମାରିବା ପ୍ରତିବାଦରେ ଓକିଳମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଗତ ଦୁଇ ମାସ ହେଲା କୋର୍ଟ କାର୍ଯ୍ୟ ବନ୍ଦ ରହିଛି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ବିବାଦର ସମାଧାନ କରିବା ପାଇଁ  ତତ୍ପର ଦେଖାଇଥିଲେ କୋର୍ଟ।

ନଭେମ୍ବର ୯ ତାରିଖ ସୁଦ୍ଧା ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ତଦନ୍ତକାରୀ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଶୁଣାଣି ଉପରେ ଆନ୍ଦୋଳନରତ ଆଇନଜୀବୀମାନେ ନଜର ରଖିଥିଲେ। ହେଲେ ହାଇକୋର୍ଟରେ ଶୁଣାଣି ଘୁଞ୍ଚିବା ପରେ ଓକିଲମାନେ ତାଙ୍କ ଆନ୍ଦୋଳନକୁ ସୋମବାର ଯାଏଁ ଘୁଞ୍ଚାଇଛନ୍ତି।

ସୋମବାର ପୁଣି ହାଇକୋର୍ଟ ବାର୍‌ର ସାଧାରଣ ପରିଷଦ ବୈଠକ ବସିବ। ଏହି ବୈଠକରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Comment