ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଡିଜିଟାଲ ଡିସ୍‌ପେନସାରୀ ପାଇଁ ୯୦ କୋଟି ଟଙ୍କା
  • ଡାୟାଗ୍ନୋଷ୍ଟିକ ଏବଂ ଡାୟାଲେସିସସ୍ ସେବା ପାଇଁ ୭୦୦ କୋଟି ଟଙ୍କା
  • ଝାରସୁଗୁଡ଼ାରେ ଖୋଲିବ ହୃଦ ଚିକିତ୍ସାକେନ୍ଦ୍ର
  • ରାଜ୍ୟରେ ଆଉ ୨୫ଟି ନୂଆ ହସ୍ପିଟାଲ

ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜଭୁତ କରିବା ପାଇଁ ୨, ୭୫୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏଥିପାଇଁ ବିଭିନ୍ନ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ଏହାସହ ନୂଆ ହସ୍ପିଟାଲ ନିର୍ମାଣ ପାଇଁ ମଧ୍ୟ  ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ୨୦୧୮’ର ତୃତୀୟ ଦିନରେ ଆଲୋଚନା ହୋଇଛି।

ସହଭାଗିତା ଭିତ୍ତିରେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଆଗକୁ ନେବା ପାଇଁ ବିଭିନ୍ନ କମ୍ପାନି ଆଗେଇ ଆସିଛନ୍ତି।

ଡିଜିଟାଲ ଡିସ୍‌ପେନସାରୀ ପାଇଁ ୯୦ କୋଟି ଟଙ୍କା, ଡାୟାଗ୍ନୋଷ୍ଟିକ ଏବଂ ଡାୟାଲେସିସସ୍ ସେବା ପାଇଁ ୭୦୦ କୋଟି ଟଙ୍କା ବିନିଯୋଗ କରାଯିବ।

ଏହାସହ ଭୁବନେଶ୍ୱରରେ ଟାଟା ମେମୋରିଆଲ ଟ୍ରଷ୍ଟ ସହଯୋଗରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବାକୁ ଯାଉଛି। ଏଥିରେ ୬୦୦ କୋଟି ଟଙ୍କା ବିନିଯୋଗ କରାଯିବ। କେୟାର ହସ୍ପିଟାଲ ସହଯୋଗରେ ଝାରସୁଗୁଡ଼ାରେ ଏକ ହୃଦ ଚିକିତ୍ସାକେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଆସିଛି। ଏଥିରେ ୭୦୦ କୋଟି ଟଙ୍କା ବିନିଯୋଗ କରାଯିବ।

ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ଆଉ ୨୫ଟି ନୂଆ ହସ୍ପିଟାଲ ଖୋଲିବା ପାଇଁ କନକ୍ଲେଭରେ ଆଲୋଚନା ହୋଇଛି।

ଭୁବନେଶ୍ୱର ଜନତା ମଇଦାନରେ ଗତ ରବିବାରଠାରୁ ଆରମ୍ଭ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ୨୦୧୮। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନକ୍ଲେଭ୍‌କୁ ଉଦଘାଟନ କରିବା ପରେ ସୋମବାର ଅନୁଷ୍ଠିତ ହୋଇଥିଲା ‘ବିଜିନେସ୍ ଲିଡରସିପ୍ ସମିଟ୍’। ଭାରତର ପ୍ରମୁଖ ଶିଳ୍ପପତିମାନେ ଗୋଟିଏ ମଞ୍ଚରେ ବସି ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଥିଲେ।

ମଙ୍ଗଳବାର ଦିନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜି ନିବେଶ ଉପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଏହି ଅଧିବେଶନର ଥିମ୍ ଥିଲା ‘ୟୁନିଭର୍ସାଲ ହେଲ୍‌ଥ କେୟାର ଇନ୍ ଓଡ଼ିଶା – ଇଚ୍‌ ଲାଇଫ୍‌ ମ୍ୟାଟର୍ସ’। ସ୍ୱାସ୍ଥ୍ୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଦେଶ ବିଦେଶରୁ ଆସିଥିବା ପ୍ରତିନିଧିମାନେ ଏହି ଆଲୋଚନାରେ ଭାଗ ନେଇଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ‘ଭିଜନ-୨୦୨୫’ ପୁସ୍ତିକା ଉନ୍ମୋଚନ କରିଥିଲେ।

“ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆଗକୁ ନେବା ପାଇଁ ଏବଂ ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ କମ୍ପାନିମାନଙ୍କର ସହଭାଗିତାରେ ସ୍ୱାସ୍ଥ୍ୟସେବାର କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସ୍ୱାସ୍ଥ୍ୟସେବାକୁ ଆଗକୁ ନେବା ପାଇଁ ବିଭିନ୍ନ କମ୍ପାନି ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ଥିବାରୁ ଏହା ଆମ ପାଇଁ ଶୁଭ ସଙ୍କେତ।”

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡକ୍ଟର ପ୍ରମୋଦ ମେହର୍ଦ୍ଦା ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିବା ବେଳେ ଏନ୍‌ଏର୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଆଲୋଚନାଚକ୍ରରେ ୟୁଏଇସ୍ଥିତ ବି ଆର୍‌ ଲାଇଫ୍ ଅଧ୍ୟକ୍ଷ ଡକ୍ଟର ବି ଆର୍ ସେଟ୍ଟୀ, ମେଡିକା ଗ୍ରୁପ୍ ଅଫ୍ ହସ୍ପିଟାଲ୍‌ସର ଅଧ୍ୟକ୍ଷ ଆଲୋକ ରାୟ, ଟାଟା ଟ୍ରଷ୍ଟସ୍‌ର ଡକ୍ଟର ହରିଶ କ୍ରିଷ୍ଣାସ୍ୱାମୀ, ଜିକିଜା ହେଲ୍‌ଥ କେୟାର ଲିମିଟେଡର ନିର୍ଦ୍ଦେ ଶକ ନରେଶ ଜୈନ, ଗ୍ଲୋକାଲ ହେଲ୍‌ଥ ହେଲ୍‌ଥ କେୟାର ଲିମିଟେଡର ସିଇଓ ଡକ୍ଟର ଅଜିମ ସାବତ ପ୍ରମୁଖ ଭାଗ ନେଇଥିଲେ।

Comment