ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲିଠାରେ କଂଗ୍ରେସ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଯୋଗଦେଇ ବୋରିଗୁମ୍ମା ବ୍ଲକରେ ୩୫ ପ୍ରତିଶତ ପିସି କାରବାର ଚାଲିଥିବା ଅଭିଯୋଗ କରିଛନ୍ତି। ସେହିପରି କୋରାପୁଟ ବ୍ଲକରେ ମଧ୍ୟ ଜୋରଦାର ପିସି କାରବାର ଚାଲିଥିବା ସେ ଉଠାଇଛନ୍ତି।

ବିଜୁ ଯୁବ ବାହିନୀ ନାମରେ ଗୁଣ୍ଡା ବାହନୀ ସୃଷ୍ଟି କରାଯାଇ ଲୋକମାନଙ୍କୁ  ଧମକ ଚମକ ଦିଆଯାଉଛି ବୋଲି ସେ କହିଥିଲେ। ଏହାଦ୍ୱାରା ବ୍ୟାପକ ସରକାରୀ ଅର୍ଥ ହରିଲୁଟ୍ କରାଯାଉଛି, ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

ବାହିନୀପତି କହିଛନ୍ତି ଯେ ଚାଷୀମାନଙ୍କ ଦାବି ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ମାରଣନୀତି ଚାଲିଛି। ସ୍କୁଲରେ ଶିକ୍ଷକ ନାହାନ୍ତି।  ଗାଁ ଗହଳିରେ ଡାକ୍ତର ନାହାନ୍ତି। ଜୟପୁର ନିର୍ବାଚନମଣ୍ଡଳୀରେ  ବିଧାୟକ କରିଥିବା ଉନ୍ନୟନମୂଳକ କାର୍ଯ୍ୟକୁ ପୂର୍ବତନ ମନ୍ତ୍ରୀ ‘ମୁଁ କଲି’ ବୋଲି ଦର୍ଶାଇ ନଡିଆ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି ବୋଲି ସେ ସମାଲୋଚନା କରିଥିଲେ।

କଂଗ୍ରେସର ଏହି ବୁଥ କମିଟି ବୈଠକ ବେଳେ ପ୍ରତ୍ୟେକ ବୁଥର ୨୦ ଜଣ ସଦସ୍ୟ ଉପସ୍ଥିତ ଥିଲେ। କଂଗ୍ରେସକୁ ବିପୁଳ ସମର୍ଥନ ଦେଇ ବିଜୟ କରାଇବାକୁ ନେତାମାନେ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ଜିଲ୍ଲା ପର୍ଯ୍ୟବେକ୍ଷକ ନକୁଳ ନାୟକ, ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନିପତି, କୃଷ୍ଣଚନ୍ଦ୍ର ନେପାକ, ବିନୋଦ ମହାପାତ୍ର, ବୁଲୁ ସାହୁ, ଅଶୋକ ଗନ୍ତାୟତ, ବସନ୍ତ ନାୟକ, ଭଗବାନ ବାହିନିପତି, ପ୍ରଫୁଲ ଭତ୍ରା, ବ୍ରଜ ନାଗଙ୍କ ସମେତ ରଣ୍ଡାପାଲି ପଂଚାୟତର ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। (ଏଜେନ୍ସି)

Comment