ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ଅଁଳା ନବମୀ। ପବିତ୍ର ଅଁଳା ନବମୀ ଅବସରରେ ପୁରୀ ସାକ୍ଷୀ ଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ଼ ଲାଗିଛି।

ମନ୍ଦିର ପରିସରରେ ଶାନ୍ତି ଶୃଙ୍ଖଳାରେ  ଭକ୍ତ କିପରି ମା’ଙ୍କ ପାଦ ଦର୍ଶନ କରିପାରିବେ ସେନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଚଳିତ ବର୍ଷ ଭକ୍ତମାନେ ମା’ଙ୍କ ପାଦ ସ୍ପର୍ଶ କରିପାରିବେ ନାହିଁ। ଭକ୍ତମାନେ ରତ୍ନସିଂହାସନ ଠାରୁ ୩ଫୁଟ ଦୂରରେ ରହି ଦର୍ଶନ କରିବେ। ଏନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।

ମନ୍ଦିର ପରିସରରେ ଥିବା ଅଁଳା ଗଛରେ ଭକ୍ତମାନେ ଶଙ୍ଖା ସିନ୍ଦୁର ବାନ୍ଧିଛନ୍ତି। ଅଁଳା ଗଛରେ ଶଙ୍ଖା ସିନ୍ଦୁର ବାନ୍ଧିଲେ ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି।

କ’ଣ ରହିଛି ଅଁଳା ନବମୀ ବା ଶ୍ରୀରାଧା ପାଦ ଦର୍ଶନର ବିଶେଷତ୍ତ୍ୱ

ବର୍ଷସାରା ମା’ ଶ୍ରୀରାଧା ଦେବୀଙ୍କ ପାଦ  ଲୁଗାରେ ଘୋଡ଼ାଇ ହୋଇ ରହିଥିଲାବେଳେ କାର୍ତ୍ତିକ ମାସ ଅଁଳା ନବମୀ ତିଥିରେ ମା’ଙ୍କ ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଭକ୍ତ। ଆଜିର ଦିନରେ ଶ୍ରୀରାଧା ବିଭିନ୍ନ ରତ୍ନ ଅଳଙ୍କାରରେ ଭୂଷିତ ହୋଇ ଓଡ଼ିଆଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ମା’ ଙ୍କ ଦର୍ଶନରେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।

Comment