ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିକଟରେ ଶେଷ ହୋଇଥିବା ମେକ ଇନ ଓଡ଼ିଶାର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶା ସରକାର ୪ ଲକ୍ଷ ୧୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛନ୍ତି। କୁହାଯାଉଛି ଯଦି ଏହି ସବୁ ପ୍ରସ୍ତାବ ଭିତରୁ କିଛି ବି କାର୍ଯ୍ୟକାରୀ ହୁଏ, ରାଜ୍ୟରେ ଏକ ନୂଆ ଶିଳ୍ପ ବିପ୍ଳବ ଦେଖାଯିବ ଓ ଲୋକଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବ। ଏହି କନକ୍ଲେଭର ରାଜନୈତିକ ଦିଗ ଉପରେ ଯଦି ଦୃଷ୍ଟି ପକାଯାଏ ତେବେ କଥା ନିଶ୍ଚିତ ଯେ, ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବେଶ୍ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ବିଶେଷ କରି ଏହା ବିଜେପିକୁ ପୂରା ମାତ ଦେବ।

ମଜା କଥା ହେଲା ଓଡ଼ିଶାର ବର୍ତ୍ତମାନ ଜନସଂଖ୍ୟା ୪.୧୯ କୋଟି ଓ ପୁଞ୍ଜି ବିନିଯୋଗ ପ୍ରସ୍ତାବର ପରିମାଣ ମଧ୍ୟ ୪.୧୯ ଲକ୍ଷ କୋଟି। ଅର୍ଥାତ, ସରକାରଙ୍କ ଘୋଷଣା ଅନୁସାରେ ମୁଣ୍ଡ ପିଛା ଏକ ଲକ୍ଷ  ଟଙ୍କା ବିନିଯୋଗ ହେବ। ଏହିଭଳି ଏକ ଗଣିତ ଭିତ୍ତିହୀନ ଲାଗିପାରେ, କିନ୍ତୁ ନିଷ୍ଠା ଥିଲେ ସବୁ କିଛି ସମ୍ଭବ।

ଯଦି ଆମେ ଏହି କନକ୍ଲେଭର ଅର୍ଥନୀତିକ ଦିଗ ଉପରେ ଦୃଷ୍ଟି ପକାଇବା, ୫୦ ପ୍ରତିଶତ ପୁଞ୍ଜି ବି ବାସ୍ତବରେ ଆସେ ଓଡ଼ିଶାର ଅର୍ଥନୀତି ଅନ୍ୟ ରାଜ୍ୟର ଅର୍ଥନୀତିକୁ ପୂରା ପଛରେ ପକାଇଦେବ। ପରିସ୍ଥିତି ଏଭଳି ବି ହୋଇପାରେ ଯେ ସମଗ୍ର ପୂର୍ବ ଭାରତରେ ଓଡ଼ିଶାକୁ ଏକ ଶିଳ୍ପ ରାଜଧାନୀ ଭାବରେ ଗଣତି କରିବା ପାଇଁ ସମସ୍ତେ ଆଗେଇ ଆସିବେ।

ମୋଟ ୪ ଲକ୍ଷ ୧୯ ହଜାର କୋଟି ମଧ୍ୟରୁ ୫୦ ପ୍ରତିଶତ ପୁଞ୍ଜି ନିହାତି ଆସିବ ଏହା ଏଥିପାଇଁ କୁହାଯାଉଛି ଯେ, ପୁଞ୍ଜି ପ୍ରସ୍ତାବ ଭିତରୁ ଅଧିକାଂଶ ଥିଲା ଖଣି, ଅନ୍ୟ ଧାତବ ଓ ଆନୁସଙ୍ଗିକ ଶିଳ୍ପ ସମ୍ପର୍କିତ ଯେଉଁଥିରେ ଓଡ଼ିଶା ସୁବିଧାରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଖଣି ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ପାଇଁ ୫୩ ଜଣ ଶିଳ୍ପପତିଙ୍କ ଠାରୁ ୨ ଲକ୍ଷ ୩୬ ହଜାର କୋଟି ଟଙ୍କାର ପୁଞ୍ଜି ଖଟେଇବା ପ୍ରସ୍ତାବ ଆସିଥିଲା।


ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ମତରେ ନୂଆ ପ୍ରକଳ୍ପ ପାଇଁ ଜମି, ବୈଧାନିକ ମଞ୍ଜୁରୀ ଆଦି ଯେଉଁ ସବୁ ପ୍ରତିବନ୍ଧକ ଓ ଅସୁବିଧା ଥାଏ, ସମ୍ପ୍ରସାରଣ କ୍ଷେତ୍ରରେ ସେ ସବୁ ଅସୁବିଧା ନଥାଏ। ଏଣୁ କନକ୍ଲେଭର ଯେଉଁ ଘୋଷଣା କରାଯାଇଛି ତାହା କାର୍ଯ୍ୟକାରୀ ନ ହେବାର କୌଣସି କାରଣ ନାହିଁ। କନକ୍ଲେଭରେ ଆଦିତ୍ୟ ବିର୍ଲା, ଜିନ୍ଦଲ, ବେଦାନ୍ତ ପ୍ରଭୃତି ବଡ଼ ବଡ଼ କମ୍ପାନୀ ଆଗରୁ ପ୍ରତିଷ୍ଠା କରାଯାଇଥିବା କାରଖାନାର ସମ୍ପ୍ରସାରଣ କଥା ହିଁ କହିଥିଲେ।

ତା ଛଡ଼ା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମେକ ଇନ ଓଡ଼ିଶା ସମ୍ମେଳନରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନେ ପୁଞ୍ଜି ନିବେଶ ଘୋଷଣା କରିଥିଲେ ଯେମିତିକି ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଆଉ ୪୧ ହଜାର ୪୦୦ କୋଟି ଟଙ୍କାର ସମ୍ପ୍ରସାରଣ ଯୋଜନା ଘୋଷଣା କରାଯାଇଥିଲା। ଅଧିକନ୍ତୁ,ପାରାଦୀପରେ ପେଟ୍ରୋଲିଅମ, କେମିକାଲ ଓ ପେଟ୍ରୋକେମିକାଲସ କ୍ଷେତ୍ରରେ ମଧ୍ୟ ବ୍ୟାପକ ପୁଞ୍ଜି ବିନିଯୋଗ ବିଷୟ ଘୋଷଣା କରାଯାଇଥିଲା। ପାରାଦୀପରେ ଇଣ୍ଡିଆନ ଅଏଲ ପକ୍ଷରୁ ତୈଳ ବିଶୋଧନ କାରଖାନା ଓ ପାରାଦୀପ ବନ୍ଦର ନିକଟରେ ଗଢ଼ି ଉଠିଥିବା ଶିଳ୍ପ ପରିବେଶକୁ ଯଦି ବିଚାରକୁ ନିଆଯାଏ ଆଗାମୀ ଦିନରେ ବିପୁଳ ପରିମାଣର ଶିଳ୍ପ ବ୍ୟବସାୟର ସମ୍ଭାବନା ରହିଛି।

କେବଳ ଶିଳ୍ପ ପ୍ରତିଷ୍ଠାନର ସମ୍ପ୍ରସାରଣ ନୁହେଁ, ଚାକିରୀ ଓ ନିଯୁକ୍ତି  କ୍ଷେତ୍ରରେ ମଧ୍ୟ ବ୍ୟାପକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ଯେଉଁ ୫ ଲକ୍ଷ ୯୧ ହଜାର ନିଯୁକ୍ତି କଥା କୁହାଯାଉଛି ତାହା ଯେ ସମ୍ଭବ ନୁହେଁ ଏକଥା ଆଦୌ  ନୁହେଁ। ତେବେ ଅସଲ କଥା ହେଲା ସରକାର କେତେ ଅନ୍ତରିକତାର ସହ ଏହି ସବୁ ପୁଞ୍ଜି ବିନିଯୋଗ ପାଇଁ ଆଗେଇ ଆସୁଛନ୍ତି।
ଅତୀତରେ ଦେଖାଯାଇଛି ବଡ଼ ବଡ଼ ଘୋଷଣା ସତ୍ତ୍ୱେ ଶିଳ୍ପ ପ୍ରତିଷ୍ଠାନ  କ୍ଷେତ୍ରରେ ବିଶେଷ କିଛି ଫରକ ପଡ଼ି ନାହିଁ। ବରଂ ପୋସ୍କୋ ଓ ମିତ୍ତଲ ଭଳି କମ୍ପାନୀ ଓଡ଼ିଶାରୁ ମୁହଁ ଫେରାଇନେଇଛନ୍ତି।

ଏହି ପ୍ରସଙ୍ଗରେ ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିଜର ସଭାପତି ରମେଶ ମହାପାତ୍ର କହିଛନ୍ତି, ମେକ ଇନ ଓଡ଼ିଶା କଂକ୍ଲେଭ ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ ଆଣିଛି ଓ ସରକାର ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ। ତାଙ୍କ ମତରେ ତଳ ଓ ମଧ୍ୟମ ସ୍ତରର ଅଧିକାରୀ ମାନଙ୍କୁ ବିଭିନ୍ନ ଭାବରେ ସଚେତନ ଓ ସକ୍ରିୟ କରାଯିବା ଆବଶ୍ୟକ ଯାହା ଫଳରେ କି ସରକାରଙ୍କ ବିଭିନ୍ନ ନୀତି ଓ ଘୋଷଣା ଠିକଣା ଢ଼ଙ୍ଗରେ କାର୍ଯ୍ୟକାରୀ ହୋଇପାରିବ।

Comment