ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ୱକପ୍କୁ ଆଉ ୪ ଦିନ ରହିଛି। ବିଶ୍ୱସ୍ତରୀୟ ଖେଳପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ହକିପ୍ରେମୀଙ୍କୁ ମନୋରଞ୍ଜନର ଆଉ ଏକ ଖୋରାକ ମିଳିଛି।
ହକି ବିଶ୍ୱକପ୍ ପାଇଁ ଏ ଆର୍ ରହମାନଙ୍କ ନିର୍ଦ୍ଦେଶିତ ଏକ ସଙ୍ଗୀତ ଟିଜର ରିଲିଜ ହୋଇଛି। ଏହି ଟିଜରକୁ ଓସ୍କାର ବିଜେତା ଏ ଆର୍ ରେହମାନ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ଯାହା ବହୁତ କମ୍ ସମୟରେ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିଛି। ଏହି ସଙ୍ଗୀତରେ ଏ ଆର୍ ରେହମାନଙ୍କ ସହିତ ବଲିଉଡ କିଙ୍ଗ୍ ଖାନ ଶାହାରୁଖ ଓ ନୈନତାରା ନଜର ଆସିଛନ୍ତି।

ସଙ୍ଗୀତର ଶୀର୍ଷକ ‘ଜୟ ହିନ୍ଦ୍ ହିନ୍ଦ୍ ଜୟ ଇଣ୍ଡିଆ’ ରଖାଯାଇଛି। ୪୬ ସେକେଣ୍ଡର ଏହି ଭିଡିଓରେ ରେହେମାନ ଓ ଶାହାରୁଖ ଖାନ୍ ହାତରେ ହକି ଷ୍ଟିକ ଧରିଥିବା ଦେଖାଯାଇଛି। କେବଳ ଏତିକି ନୁହେଁ ଏହି କମ୍ ସମୟର ଭିଡିଓରେ ଓଡିଶା ସଂସ୍କୃତିର ଝଲକ୍ ଦର୍ଶାଯାଇଛି।
ଏଥିସହ ଭାରତୀୟର ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହଙ୍କ ସହ ଭାରତୀୟ ଦଳର ଅନ୍ୟ ଖେଳାଳୀମାନେ ଦେଖାଯାଇଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଛି। ଏହା ଡିସେମ୍ବର ୧୬ରେ ଶେଷ ହେବ। ୨୭ ତାରିଖ ଦିନ ହକି ବିଶ୍ୱକପ୍ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଦିନ ହିଁ ଏ ଆର୍ ରେହମାନ ସଙ୍ଗୀତ ପରିବେଷଣ କରିବେ।


















