ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ରାଜନୀତିରେ ଜମିବ ଅଫସର ଲଢ଼େଇ।

ବିଜେଡି ଓ ବିଜେପି ଭିତରେ ଯଦି ଆପଣ ଗୋଟିଏ ସାମଞ୍ଜସ୍ୟ ଖୋଜିବାକୁ ଚାହାନ୍ତି ତାହା କ’ଣ ହୋଇପାରେ? ଏହାର ଉତ୍ତର ପାଇବା ପାଇଁ ବିଶେଷ କଷ୍ଟ କରିବାକୁ ପଡ଼ିବ ନାହିଁ। ସାମଞ୍ଜସ୍ୟଟି ହେଉଛି ପୂର୍ବତନ ଆଇଏଏସ ଏବଂ ଆଇପିଏସ ଅଫିସରଙ୍କୁ ନେଇ ୨୦୧୯ ନିର୍ବାଚନକୁ ଓହ୍ଲାଇବା ସକାଶେ ଦୁଇ ଦଳ ଲାଗିପଡ଼ିଛନ୍ତି।

କିଛି ଓପିନିୟନ ପୋଲର ଫଳାଫଳରେ ଉତ୍ସାହିତ ହୋଇ ବଜେପି ନବୀନ ପଟ୍ଟନାୟକଙ୍କ ଦୁର୍ଗରେ ପଶିବାକୁ ଚାହୁଁଛି, ଆଉ ତାହା କରିବାକୁ ହେଲେ କିଛି ଭଲ ଲୋକ ପାଖରେ ରହିବା ଦରକାର ବୋଲି ନେତାମାନେ ଚିନ୍ତା କରି ଦେଖିଛନ୍ତି। ଶାସକ ଦଳର ଅନୁକରଣ କରି ବିଜେପି ମଧ୍ୟ ଜଣେ ଦୁଇ ଜଣ ଦଣ୍ଠା ଅଫିସରଙ୍କୁ ହାତେଇବାରେ ସମର୍ଥ ହୋଇଛି।

ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରିସ୍ମାକୁ ଟକ୍କର ଦେବା ଭଳି ନେତା ବିଜେପିରେ ନାହାନ୍ତି, ଏହି କାରଣରୁ କିଛି ପୂର୍ବତନ ଅଫିସରଙ୍କୁ ନେଇ ଗେମ ଖେଳିବାକୁ ବିଜେପି ଚାହୁଁଛି। ଆଇଏଏସ ଚାକିରିରୁ ଇସ୍ତଫା ଦେବା ପରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପ୍ରଥମ ଦଫାରେ ନେଇଛି। ନିର୍ବାଚନ ପାଖେଇ ଆସିବା ବେଳକୁ ଆଉ କିଛି ଅଫିସର ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି। ମଙ୍ଗଳବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଷଡ଼ଙ୍ଗୀଙ୍କ ଯୋଗଦାନ ପରେ ବିଜେପିର ପୂର୍ବ ଭାରତ ଦଖଲ ଅଭିଯାନ ଜୋର ଧରିବ ବୋଲି ଆଶା କରାଯାଉଛି।

ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଜଣେ ଦକ୍ଷ ଓ ନିର୍ମଳ ପ୍ରଶାସକ ହୋଇଥିବା କାରଣରୁ ଅପରାଜିତା ଦଳ ପାଇଁ ଏକ ଆସେଟ ହେବେ।”

ଏପଟେ ଅପରାଜିତା ମଧ୍ୟ ଟୁଇଟ୍ କରିଛନ୍ତି। ବିଜେପିରେ ଯୋଗ ଦେବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବି ବୋଲି ଟୁଇଟ୍ କରି କହିଛନ୍ତି ଅପରାଜିତା।

ସର୍ବ ଭାରତୀୟ ସେବାର ପ୍ରାକ୍ତନ ଅଧିକାରୀ ଭାବରେ  ଅପରାଜିତା କେବଳ  ନୁହଁନ୍ତି ଆହୁରି ଅନେକ ପୂର୍ବ ଅଧିକାରୀଙ୍କୁ ବିଜେପି ଦଳ ଭିତରକୁ ଆଣିବା ପାଇଁ ଚାହୁଁଛି। ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ ସିଆରପିଏଫର ପୂର୍ବତନ ମହାନିର୍ଦ୍ଦେଶକ  ପ୍ରକାଶ ମିଶ୍ର ମଧ୍ୟ ଖୁବ୍ ଶୀଘ୍ର ଦଳରେ ଯୋଗ ଦେବେ ବୋଲି ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି। ପ୍ରକାଶ ମିଶ୍ରଙ୍କୁ କଟକ କିମ୍ବା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଠିଆ କରାଯାଇପାରେ।

ପ୍ରକାଶ ମିଶ୍ରଙ୍କ ନାଁରେ ଭିଜିଲାନ୍ସ କେସ୍ ଠୁଙ୍କି ଦିଆଯିବା କାରଣରୁ  ଯୋଗ୍ୟତା ଥିବା ସତ୍ତ୍ୱେ ସେ  ସିବିଆଇର ନିର୍ଦ୍ଦେଶକ ହୋଇ ପାରିଲେ ନାହିଁ। ପ୍ରକାଶଙ୍କ ବିରୋଧରେ ମିଛ ମାମଲା ରୁଜୁ କରାଯାଇଥିବାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ରାଜନୀତି ବିଶେଷଜ୍ଞ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରାଜନୀତି ବିଭାଗର ପ୍ରଫେସର ସତ୍ୟ ପ୍ରକାଶ ଦାସ କହିଛନ୍ତି, “ଅପରାଜିତା ଷଡ଼ଙ୍ଗୀ ଓ ପ୍ରକାଶ ମିଶ୍ରଙ୍କ ଯୋଗଦାନ ବିଜେପି ପାଇଁ ଲାଭ ଦାୟକ ହେବ। ଓଡ଼ିଶାରେ  ବିଜେପିରେ ବର୍ତ୍ତମାନ ଯେତିକି ନେତା ଅଛନ୍ତି ସେମାନଙ୍କ ତୁଳନାରେ ଏ ଦୁଇ ଅଫିସରଙ୍କ ଲୋକପ୍ରିୟତା ବେଶ୍ ଅଧିକ। ତାଛଡ଼ା ବର୍ତ୍ତମାନର ବିଜେପି ନେତାଙ୍କ ଅପେକ୍ଷା ଏହି ଦୁଇ ଅଫିସରଙ୍କୁ ଲୋକେ ଉପଯୁକ୍ତ ସମ୍ମାନ ଦେବେ ଓ ଭୋଟରଙ୍କୁ ମଧ୍ୟ  ପ୍ରଭାବିତ  କରାଯାଇପାରିବ।”

ପୂର୍ବତନ ଆଇଏଏସ, ଆଇପିଏସ ଅଫିସରଙ୍କୁ ଦଳରେ ସାମିଲ କରିବା ପ୍ରସଙ୍ଗରେ ଶାସକ ବିଜେଡି ବେଶ୍ ଆଗୁଆ ରହିଛି। ଚଳିତ ବର୍ଷ ଏପ୍ରିଲ ମାସରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡିରେ ବିଧିବଦ୍ଧ ଯୋଗ ଦେଇଥିଲେ। ତାଙ୍କ ପରେ ପୂର୍ବତନ ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ।

ଅରୂପ ପଟ୍ଟନାୟକଙ୍କୁ ବିଜୁ ଯୁବ ବାହିନୀର ଦାୟିତ୍ୱରେ ରଖାଯାଇଛି। ତୃଣମୂଳ ସ୍ତରରେ ୮ ହଜାର ଯୁବକଙ୍କୁ ନିଯୁକ୍ତି ଦେବା କାମରେ ତାଙ୍କୁ ନିୟୋଜିତ କରାଯାଇଥିବା  ବେଳେ ଏଥିପାଇଁ ସରକାରୀ ତହବିଲରୁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରସନ୍ନ ପଟ୍ଟଶାଣୀଙ୍କ ସ୍ଥାନରେ ଅରୂପ ପଟ୍ଟନାୟକ ଭୁବନେଶ୍ୱରରୁ ବିଜେଡିର ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି।

ବିଜେଡିରେ ଯୋଗ ଦେବା ଉଦ୍ଦେଶ୍ୟ ନେଇ ଅମର ପଟ୍ଟନାୟକ ଅଗଷ୍ଟ ମାସରେ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଅମରଙ୍କୁ ବିଜେଡିର ଆଇଟି ଓ ସୋସିଆଲ ମିଡିଆ ସେଲର ଦାୟିତ୍ୱ ଦିଆଯାଇଛି। ଶାସକ ଦଳର ଗୋଟିଏ ସୂତ୍ର କହୁଛି ଯେ ତାଙ୍କୁ କନ୍ଧମାଳ ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ କରାଯିବ। ଖାଲି ଏହି ଦୁଇ ଜଣ ନୁହନ୍ତି, ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ମଧ୍ୟ ବିଜେଡିରେ ଯୋଗ ଦେବେ ଓ ସମ୍ବଲପୁର ଲୋକସଭା ଆସନରୁ ତାଙ୍କୁ ଲଢ଼ିବାକୁ କୁହାଯିବ।

ଏଭଳି ସ୍ଥିତିରେ କଂଗ୍ରେସ ପକ୍ଷରୁ କୌଣସି ପୂର୍ବତନ ଅଫିସରଙ୍କୁ ଦଳ ଭିତରେ ସାମିଲ କରାଯାଉନାହିଁ।

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, “ଏହି ଘୋଡ଼ା ଦୌଡ଼ରେ ଆମେ ନାହୁଁ କାରଣ କଂଗ୍ରେସ ହେଉଛି ସାଧାରଣ ଲୋକଙ୍କ ଦଳ।”

LEAVE A REPLY

Please enter your comment!
Please enter your name here