ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୫୦୦ କନଷ୍ଟେବଳ ମୁତୟନ
  • ୩୫୦ ପୋଲିସ ଅଧିକାରୀ, ୫୦୦ ହୋମଗାର୍ଡ ହେବେ ମୁତୟନ
  • ୧୬ଟି ସ୍ଥାନରେ ଖାଲିବ ହେଲ୍ପଡେସ୍କ
  • କଳିଙ୍ଗ ଷ୍ଟାଡିୟମରେ ୧୮୦ଟି ସିସିଟିଭି କ୍ୟାମେରା

ହକି ପୁରୁଷ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହୋଇ ରହିଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଉଦଘାଟନୀ ସମାରୋହକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରୀଡ଼ାପ୍ରେମୀ। ହକି ବିଶ୍ୱକପକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଭୁବନେଶ୍ଵରରେ ପହଞ୍ଚି ସାରିଥିବା ବେଳେ ଶାହାରୁଖ ଖାନ ମଙ୍ଗଳବାର ପହଞ୍ଚିବେ। ଏହାସହ ବହୁ ନାମୀଦାମୀ କଳାକାର ମଧ୍ୟ କଳିଙ୍ଗରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଏହାସହ ଦେଶ ବିଦେଶର ବହୁ ହକି ପ୍ରେମୀ ମଧ୍ୟ ଏଥିରେ ସାମିଲ ହେବେ। ୧୬ଟି ଅନ୍ତର୍ଜାତୀୟ ଟିମ୍ ମଧ୍ୟରେ ଲଢ଼େଇ ହେବ।

ଏହି ମେଗା ଇଭେଣ୍ଟକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପୋଲିସ ପ୍ରଶାସନ ପାଇଁ ଚାଲେଞ୍ଜ ହୋଇଯାଇଛି। ହକି ପାଇଁ ଭୁବନେଶ୍ୱରରେ ୭୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

ହକି ବିଶ୍ଵକପ୍ ପାଇଁ ଭୁବନେଶ୍ଵରରେ ୨୫୦୦ କନଷ୍ଟେବଳ, ୩୫୦ ପୋଲିସ ଅଧିକାରୀ ଏବଂ ୫୦୦ ହୋମଗାର୍ଡଙ୍କୁ ମୁତୟନ କରାଯିବ ବୋଲି ଡିଜି ଘୋଷଣା କରିଛନ୍ତି।

ପୋଲିସ ଡିଜି କହିଛନ୍ତି, “ବାହାରୁ ଆସୁଥିବା ଦର୍ଶକମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଆମେ ୧୬ଟି ସ୍ଥାନରେ ହେଲ୍ପ ଡେସ୍କ ଖୋଲିବୁ। ଏହାସହ କ୍ୟୁଆର୍‌ଟିର ୫ଟି ସ୍କ୍ୱାଡ୍ ଏବଂ ଏସ୍‌ଟିୟୁର ୨ଟି ସ୍କ୍ୱାଡ୍ ଭିଡ଼ ଉପରେ ନଜର ରଖିବେ।”

“କଳିଙ୍ଗ ଷ୍ଟାଡିୟମରେ ୧୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ପୋଲିସ ଏବଂ ବିଏମ୍‌ସିର ମିଳିତ ସହଯୋଗରେ ୨୭୦ଟି କ୍ୟାମେରା ସହରର ୬୦ଟି ଜାଗାରେ ଲଗାଯାଇଛି। ସିସିଟିଭି ଫୁଟେଜକୁ ଟ୍ରାକ କରିବା ପାଇଁ ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି”, କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି।

ହକି ବିଶ୍ଵକପ୍ ପାଇଁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ। ଅସାମାଜିକ ଲୋକଙ୍କ ଉପରେ ପୋଲିସ କଡ଼ା ନଜର ରଖିଥିବା କହିଛନ୍ତି କମିଶନର।

ହକି ବିଶ୍ଵକପ୍‌ରେ ୧୬ଟି ଅନ୍ତର୍ଜାତୀୟ ଟିମ୍ ଭାଗ ନେଇଛନ୍ତି। ୧୬ଟି ଟିମ୍‌ର ମ୍ୟାନେଜରମାନଙ୍କ ସହ କମିଶନର ଆଲୋଚନା କରିଥିଲେ। ଖେଳାଳିମାନଙ୍କ ପାଇଁ କ’ଣ ସବୁ ସୁରକ୍ଷା ବ୍ୟବସ୍ଥା ଆୟୋଜନ କରାଯାଇଛି ସେ ବିଷୟରେ କହିଥିଲେ କମିଶନର।

Comment