ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଭାରତୀୟ ହକି ଟିମ୍‌ରେ ଦକ୍ଷ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ବିଶ୍ଵକପ୍ ପାଇଁ ଭାରତୀୟ ଟିମ୍ ଭଲଭାବେ ପ୍ରସ୍ତୁତି କରିଛି। କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ। ଦର୍ଶକମାନଙ୍କ ଭଲପାଇବା ଏବଂ ସମର୍ଥନ ଆମ ସାଙ୍ଗରେ ରହିଛି”, କହିଛନ୍ତି ଭାରତୀୟ ହକି ଟିମ୍‌ର କୋଚ୍ ହରେନ୍ଦ୍ର ସିଂ।

ଆଉ କିଛି ଘଣ୍ଟାର ପ୍ରତୀକ୍ଷା ପରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ପୁରୁଷ ବିଶ୍ଵକପ୍‌ର ଉଦଘାଟନୀ ସମାରୋହ। ନୃତ୍ୟ, ଗୀତ ମାଧ୍ୟମରେ ହକି ଖେଳାଳିଙ୍କୁ ସ୍ୱାଗତ କରିବ ଓଡ଼ିଶା। ୨୮ ତାରିଖରୁ ଆରମ୍ଭ ହେବ ମୁକାବିଲା। ବିଶ୍ଵକପ୍ ପାଇଁ ୧୬ଟି ଟିମ୍‌ ମଧ୍ୟରେ ହେବ ଘମାଘୋଟ ଲଢ଼େଇ।

ଲଢ଼େଇ ପୂର୍ବରୁ ଭାରତୀୟ ହକି ଟିମ୍‌ର କୋଚ୍ ହରେନ୍ଦ୍ର ସିଂ ଏବଂ ଅଧିନାୟକ ମନପ୍ରୀତ ସିଂ ଭୁବନେଶ୍ଵରରେ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି।

ମନପ୍ରୀତ ସିଂ କହିଛନ୍ତି, “ଭାରତୀୟ ହକି ଟିମ୍‌କୁ ୪ ବର୍ଷ ହେଲା ସଙ୍ଗଠିତ କରାଯାଇଛି। ଦକ୍ଷ ଏବଂ ଉତ୍ସାହୀ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ଘରୋଇ ମାଟିରେ ବିଶ୍ଵକପ୍ ଆୟୋଜନ କରାଯାଉଥିବାରୁ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ।”

ହକି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭୁବନେଶ୍ୱର। କଳିଙ୍ଗ ଷ୍ଟାଡିୟମ ବାହାରେ ଏବଂ ଭିତରେ ହକି ପ୍ରେମୀଙ୍କ ଭିଡ଼ ଜମିଛି। ଉଦଘାଟନୀ ସମାରୋହରେ ବଲିଉଡର ଧକ୍‌ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ କିଙ୍ଗ ଖାନ୍ ଶାହରୁଖ ଦର୍ଶକଙ୍କୁ ମତୁଆଲା କରିବେ। ଏହାସହ ଓଡ଼ିଶାର କଳାକାରମାନେ ମଧ୍ୟ ଦର୍ଶକମାନଙ୍କୁ ଝୁମାଇବା ପାଇଁ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି।

Comment