ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ନିର୍ବାଚନ ପୂର୍ବରୁ ନବୀନଙ୍କ ପାଇଁ ବଡ଼ ଅସ୍ତ୍ର ହକି ବିଶ୍ଵକପ୍।
୨୦୧୯ ଭୋଟ ପାଇଁ ଓଡ଼ିଶାରେ ସଜବାଜ ହେଲେଣି ତିନି ପ୍ରମୁଖ ରାଜନୀତିକ ଦଳ। ୧୮ ବର୍ଷର ବିଜେଡି ଦୁର୍ଗକୁ ଭାଙ୍ଗି ସରକାର ଗଢ଼ିବା ପାଇଁ ବିରୋଧୀ କଂଗ୍ରେସ ଏବଂ ବିଜେପି ରଣନୀତି ପ୍ରସ୍ତୁତ କରୁଛନ୍ତି। ହେଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଚକ୍ମା ଦେଇ ଚାଲିଛନ୍ତି।
୨୦୧୯ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ପଛରେ ପକାଇ ରଣନୀତି ପ୍ରସ୍ତୁତିରେ ନବୀନ ଦୁଇ ପାଦ ଆଗରେ ରହିଥିବା କୁହାଯାଉଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ହକି ପୁରୁଷ ବିଶ୍ଵକପ୍ ଆୟୋଜନ କରି ନବୀନ ଭୋଟରଙ୍କ ନିକଟତର ହୋଇଥିବା ବେଳେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ସୁଯୋଗ ଦେଉ ନାହାନ୍ତି ନବୀନ।
ନବୀନ ଏବଂ ତାଙ୍କ ଟିମ୍ ଭଲଭାବେ ବୁଝିଛନ୍ତି ଯେ ହକିରେ ବି ଓଡ଼ିଶାରେ ଭୋଟ ରହିଛି। ଏଣୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ଵକପ୍ ଆୟୋଜନ କରି ବିଜେଡି ମ୍ୟାନେଜର ବ୍ରାଣ୍ଡ ନବୀନକୁ ପ୍ରମୋଶନ କରିବା ପାଇଁ ଉଦ୍ୟମ କରିଛନ୍ତି।
୨୦୧୯ ନିର୍ବାଚନ ପୂର୍ବରୁ ନବୀନ ସବୁ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କରି ନବୀନ ଭୋଟରଙ୍କ ପ୍ରଶଂସା ପାଇଛନ୍ତି। ସେହିପରି ୭ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମାଗଣା ସ୍ମାର୍ଟ ଫୋନ ଦେବାକୁ ଘୋଷଣା କରି ନବୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି। କୃଷି ଋଣ ଛାଡ଼ କରି ଚାଷୀଙ୍କୁ ସନ୍ତୁଷ୍ଟ କରିଥିବା ନବୀନ ଏବେ ହକିକୁ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶାର କ୍ରୀଡ଼ାବିତ୍ ଏବଂ କ୍ରୀଡ଼ା ପ୍ରେମୀଙ୍କ ଭୋଟ ହାତେଇବା ପାଇଁ ନବୀନ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁ ନାହାନ୍ତି।
ହକି ଉଦଘାଟନୀ ସମାରୋହକୁ କଟକ ଏବଂ ଭୁବନେଶ୍ଵରରେ ଦୁଇ ଦିନ ଧରି ଆୟୋଜନ କରି ନବୀନ ଲୋକଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରିଛନ୍ତି। ବଲିଉଡ ବାଦଶାହ ଶାହରୁଖ ଖାନ, ସୁପରଷ୍ଟାର ସଲମାନ ଖାନ୍, ମାଧୁରୀ ଦୀକ୍ଷିତ, ଏ ଆର ରେହମାନଙ୍କୁ ଆମନ୍ତ୍ରିତ କରି ହକି ପାଇଁ ଓଡ଼ିଶାବାସୀଙ୍କ ହୃଦସ୍ପନ୍ଦନକୁ ବଢ଼ାଇଥିଲେ ନବୀନ। ଯେଉଁମାନେ ଉଦଘାଟନୀ ସମାରୋହ ଦେଖିଛନ୍ତି ସେମାନେ ନବୀନଙ୍କୁ ପ୍ରଶଂସା କରିଛନ୍ତି।
ହକି ବିଶ୍ଵକପ୍ କଳିଙ୍ଗ ଷ୍ଟାଡିୟମରେ ହେବ ବୋଲି ଘୋଷଣା ହେବା ପରଠୁ ଏହାକୁ ସଫଳ କରିବା ପାଇଁ ଜି ଜାନ୍ ଲଗାଇ ଦେଇଥିଲେ ରାଜ୍ୟ ସରକାର। କଳିଙ୍ଗ ଷ୍ଟାଡିୟମର ନବୀକରଣ, ଭୁବନେଶ୍ୱରକୁ ନୂଆ ରୂପ ଦେଇ ନବୀନ ଏବଂ ତାଙ୍କ ଟିମ୍ ଲୋକଙ୍କ ନିକଟତର ହୋଇଛନ୍ତି। ହକି ପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱରକୁ ରଙ୍ଗିନ ଆଲୋକମାଳାରେ ସଜେଇବା ସହ କାନ୍ଥକୁ ରଙ୍ଗ ବେରଙ୍ଗ ଚିତ୍ରରେ ଚିତ୍ରିତ କରାଯାଇଛି। ହକି ବିଶ୍ଵକପ୍ ଭୁବନେଶ୍ଵରରେ ଆୟୋଜନ କରିବା ସ୍ୱାଗତଯୋଗ୍ୟ କଥା। କିନ୍ତୁ ଏହାକୁ ନେଇ ଯେମିତି ପ୍ରଚାର ପ୍ରସାର କରାଯାଉଛି ତା’ପଛରେ ଭୋଟ ରାଜନୀତି ରହିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।
ହକି ବିଶ୍ଵକପ୍ର ପ୍ରଚାର ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ ରାଜ୍ୟ ସରକାର। ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ଓଲି ମାସ୍କଟ ବିଭିନ୍ନ ଜିଲ୍ଲା ପରିକ୍ରମା କରିଥିଲା। ଏଥିପାଇଁ ସବୁ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା ଦେବାର ବ୍ୟବସ୍ଥା କରାଯାଇଥିଲା।
ହକି ଉଦଘାଟନୀ ସମାରୋହର ଦିନକ ପୂର୍ବରୁ ଗଣଦୌଡ଼ କାର୍ଯ୍ୟକ୍ରମ କରାଯାଇଥିଲା। କେବଳ କଟକ କି ଭୁବନେଶ୍ୱର ନୁହେଁ, ସାରା ରାଜ୍ୟର ପ୍ରତି ପଞ୍ଚାୟତରେ ହକି ପାଇଁ ଗଣଦୌଡ଼ କରାଯାଇଥିଲା। ଏହାର ନେତୃତ୍ୱ ନେଇଥିଲା ବିଜୁ ଯୁବ ବାହିନୀ।
କଳିଙ୍ଗ ଷ୍ଟାଡିୟମରେ ଯେତେବେଳେ ମୁଖ୍ୟମନ୍ତ୍ରୀ ହକି ବିଶ୍ଵକପ୍ ଉଦଘାଟନ କଲେ ତାହା ଗାଁ ଗହଳିର ଲୋକଙ୍କୁ ଦେଖାଇବା ପାଇଁ ଏଲ୍ଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଥିଲା। ଲୋକେ ଏଲଇଡି ସ୍କିନରେ ହକି ବିଶ୍ଵକପ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିଥିଲେ।
ଏଥିପାଇଁ ନିର୍ବାଚନମଣ୍ଡଳୀ ହେଡ୍କ୍ୱାର୍ଟରରେ ବିଧାୟକମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରତି ପଞ୍ଚାୟତରେ ବିଜୁ ଯୁବ ବାହିନୀକୁ ଦାୟିତ୍ୱ ଦିଆଯାଇଥିଲା। ଏଲ୍ଇଡି ସ୍କ୍ରିନ ଏବଂ ଗଣଦୌଡ଼ ପାଇଁ ପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଏସବୁ କରିବାର ଏକମାତ୍ର କାରଣ ହେଉଛି ୨୦୧୯ ଭୋଟ ଏବଂ ବ୍ରାଣ୍ଡ ନବୀନଙ୍କ ପ୍ରମୋଶନ ବୋଲି ବିରୋଧୀ କହିବା ଆରମ୍ଭ କଲେଣି।
୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ରୋଚକ ହେଉଛି। ବିଜେପି କଥା କଥାକେ ବିଜେଡିକୁ ଘେରୁଛି। ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଅସ୍ତ୍ର କରି ରାଜରାସ୍ତାକୁ ଓହ୍ଲାଉଛି। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଘନ ଘନ ଓଡ଼ିଶା ଗସ୍ତରେ ଆସି ରାଜନୀତିକୁ ସରଗରମ୍ କରିଛନ୍ତି। ମୋଦି ହାୱାକୁ ଓଡ଼ିଶାରେ ପୂରାଇ ନଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତାଙ୍କ ମ୍ୟାନେଜର ଜୋରଦାର ପ୍ରୟାସ ଚଳାଇଛନ୍ତି।
୨୦୧୯ ନିର୍ବାଚନ ପୂର୍ବରୁ ହକି ବିଶ୍ଵକପ୍ ମେଗା ଇଭେଣ୍ଟ ହୋଇଥିବାରୁ ଏଥିରୁ ଭୋଟ ଛାଣିବା ପାଇଁ ନବୀନ ଏବଂ ତାଙ୍କ ମ୍ୟାନେଜର ଗଣିତ କଷିଛନ୍ତି। ନବୀନଙ୍କ ମ୍ୟାନେଜର ଭଲଭାବେ ବୁଝିଛନ୍ତି ଯେ କେବଳ ଚାଉଳ କି ସ୍ମାର୍ଟ ଫୋନରେ ନୁହେଁ, ହକିରେ ବି ଭୋଟ ରହିଛି।
ହକି ବିଶ୍ଵକପ୍ ନାଁରେ ଦଳୀୟ ପ୍ରଚାର
ବଡ଼ ଜାକଜମକରେ ଓଡ଼ିଶା ସରକାର ହକି ବିଶ୍ଵକପ୍ ଆୟୋଜନ କରିଛନ୍ତି। ହେଲେ ଏହାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସମାଲୋଚନା କରିଛନ୍ତି।
ଜୁଏଲ କହିଛନ୍ତି, “ସୁନ୍ଦରଗଡ଼ ହେଉଛି ହକିର ଗଡ଼। ସୁନ୍ଦରଗଡ଼ରେ ହକି ବିକାଶ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ହକି ଷ୍ଟାଡିୟମଗୁଡ଼ିକର ବିକାଶ ହୋଇପାରୁ ନାହିଁ। ହକିର ବିକାଶ ନାଁରେ ରାଜ୍ୟ ସରକାର ବିଶ୍ଵକପ୍ ଆୟୋଜନ କରି ଦଳୀୟ ପ୍ରଚାର କରୁଛନ୍ତି।”
କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ହକି ଇଭେଣ୍ଟ ଆୟୋଜନ କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଏହି ଉତ୍ସବରେ କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ଦେଖିବାକୁ ମିଳି ନଥିଲା। ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ନଥିବା ବେଳେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କୁ ବି ଦେଖିବାକୁ ମିଳି ନଥିଲା। ଏହି କାର୍ଯ୍ୟକ୍ରମରେ କେବଳ ନବୀନଙ୍କୁ ପ୍ରମୋଶନ କରିବା ପାଇଁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି।








୨୦୧୯ ନିର୍ବାଚନ ପୂର୍ବରୁ ନବୀନଙ୍କ ପାଇଁ ବଡ଼ ଅସ୍ତ୍ର ହକି ବିଶ୍ଵକପ୍।








