ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡିସେମ୍ବର ୧ରୁ ୫ ଯାଏଁ ଚାଲିବ ବାଲୁକା କଳା ଉତ୍ସବ
  • ୬ଟି ଦେଶରୁ ଆସୁଛନ୍ତି ବାଲୁକା ଶିଳ୍ପୀ
  • ୫ଦିନରେ ୫ଟି ଥିମ୍
  •  ଶ୍ରେଷ୍ଠ କଳାକୁ ମିଳିବ ପୁରସ୍କାର

କୋଣାର୍କସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବାକୁ ଯାଉଛି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋଣାର୍କ ଉତ୍ସବ ସହ ତାଳ ଦେଇ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲୁକା କଳା ଉତ୍ସବ।

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ଵରେ ଏହି ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ  ରାତି ୧୦ଟା ପର୍ଯ୍ୟନ୍ତ ଏହି କଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଚାଲିବ।

ବିଦେଶରୁ ଆସୁଛନ୍ତି ଅନେକ ବାଲୁକା ଶିଳ୍ପୀ

ଏଥିରେ ବିଶ୍ଵବ୍ୟାପୀ ମୋଟ ୧୦୧ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିସହ ତାଙ୍କୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଘଟଣା ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନ କରିବେ।

ଚଳିତ ବର୍ଷ ଏହି ବିଶ୍ଵସ୍ତରୀୟ ପ୍ରତିଯୋଗୀତା ପାଇଁ ଦେଶ ବାହାରୁ ଯକ୍ତରାଷ୍ଟ୍ର ଆମେରିକା, ଜାପାନ,ନେଦରଲ୍ୟାଣ୍ଡ, ସ୍ପେନ୍, ଶ୍ରୀଲଙ୍କା, ଇଟାଲିରୁ ପ୍ରତିଯୋଗୀମାନେ ଆସିବେ।

ସେହିପରି କେରଳ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବେ।

୫ଦିନରେ ୫ଟି ବିଷୟ ବସ୍ତୁ

ଉତ୍ସବର ପ୍ରଥମ ଦିନରେ ‘ହକି ବଶ୍ଵକପ୍‌’କୁ ନେଇ ବାଲୁକା କଳା ପ୍ରଦର୍ଶନ କରାଯିବ। ଦ୍ଵିତୀୟ ଦିନରେ ପ୍ରତିଯୋଗୀଙ୍କ ପାଇଁ ‘ଐତିହ୍ୟ’ ବିଷୟ ବସ୍ତୁ ରହିଛି। ସେହିପରି ତୃତୀୟ ଦିନରେ ‘ପରିବେଶ’,  ଚତୁର୍ଥ ଦିନରେ ‘ମହିଳା ସଶକ୍ତିକରଣ’ ଶେଷ ଦିନ ଅର୍ଥାତ୍ ପଞ୍ଚମ ଦିନରେ ‘ସଂସ୍କୃତି, ପର୍ବ ପର୍ବାଣୀ’ ବିଷୟ ରହିଛି।

ପ୍ରତିଯୋଗିତାରେ ସାମିଲ ହେବେ ୧୦୧ ପ୍ରତିଯୋଗୀ

ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ମୋଟ ୧୦୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରବେ।  ସେମାନଙ୍କ ମଧ୍ୟରେ ୧୦ ଜଣ ଏକକ ଭାବେ ଅଂଶ ଗ୍ରହଣ କରୁଥିଲାବେଳେ ଡବଲ୍ସ ବିଭାଗରେ ୨୦ ଜଣ ଅଂଶ ଗ୍ରହଣ କରିବେ। ସେହପରି  ପୁରୁଷ ବିଭାଗରେ ୪ ଲେଖାଏଁ ୪୦ ଜଣ, ମହିଳା ବିଭାଗରେ ୫ ଜଣ ଲେଖାଏଁ ୨୫ ଜଣ ଅଂଶଗ୍ରହଣ କରିବେ।

ସେହିପରି ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ନେଦରଲ୍ୟାଣ୍ଡ, ସ୍ପେନ, ଶ୍ରୀଲଙ୍କା ଓ ଇଟାଲିରୁ ଜଣେ ଲେଖାଏଁ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ।

ଶ୍ରେଷ୍ଠ କଳାକୁ ମିଳିବ ପୁରସ୍କାର

ଏକକ ପ୍ରଦର୍ଶନରେ ପ୍ରଥମ ସ୍ଥାନ ପାଇଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

ଦୁଇ ଜଣିଆରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରହିଛି।

ଦୁଇ ଜଣିଆରେ ଦ୍ଵିତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କ ପାଇଁ  ୫୦ ହଜାର ଟଙ୍କା ଏବଂ ତୃତୀୟରେ ସ୍ଥାନରେ ଥିବା ପ୍ରତିଯୋଗୀଙ୍କ ପାଇଁ ୩୦ହଜାର ଟଙ୍କା ପୁରସ୍କାର ରହିଛି।

ସେହିପରି ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ପାଇଥିବା  ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା,  ଦ୍ଵିତୀୟରେ ଥିବା ପ୍ରତିଯୋଗୀଙ୍କୁ ୬୦ ହଜାର ଟଙ୍କା, ତୃତୀୟରେ ଥିବା ପ୍ରତିଯୋଗୀଙ୍କୁ ୪୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

ମହିଳା ବିଭାଗରେ  ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ।

ହସ୍ତଶିଳ୍ପ ମେଳା ପ୍ରମୁଖ ଆକର୍ଷଣ

ଏହି ଉତ୍ସବରେ ଦର୍ଶକ ଅନ୍ୟ ଏକ ଆକର୍ଷଣର ମଜା ନେଇପାରିବେ। ଚନ୍ଦଭାଗା ନିକଟରେ ଏକ ଆକର୍ଷଣୀୟ ହସ୍ତଶିଳ୍ପ ମେଳା ଅନୁଷ୍ଠିତ ହେବ। ଯେଉଁଥିରେ ବିଭିନ୍ନ ସ୍ଥାନର ସୁନ୍ଦର ସ୍ଥପତିମାନେ ସେମାନଙ୍କ ଦ୍ଵାରା ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନ କରିବେ।

 

Comment