ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଏହି ଉତ୍ସବ
  • ପରିବେଷଣ ହେବ ଓଡ଼ିଶୀ, ଭାରତନାଟ୍ୟମ୍‍, କଥକ, କୁଚିପୁଡ଼ି ଏବଂ ସାତ୍ରିୟା
  • ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ହେବ ଅନ୍ୟ ଆକର୍ଷଣ

ଡିସେମ୍ବର ୧ରୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ। କୋଣାର୍କ ମନ୍ଦିରରେ ରହିଥିବା ମୁକ୍ତାକାଶ ମଞ୍ଚରେ ଏହି ଉତ୍ସବ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ରାତି ୯ଟାରେ ଶେଷ ହେବ ଏହି ଉତ୍ସବ।

ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଛି ବୋଲି ଭୁବନେଶ୍ୱର ପାନ୍ଥନିବାସଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏବିଷୟରେ ସୂଚନା ଦେଇଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ସମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ଓଟିଡିସିର ଚେୟାରମ୍ୟାନ୍‌  ଦିଲ୍ଲୀପ ତିର୍କୀ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି କୋଣାର୍କ ଉତ୍ସବ। ୧୯୮୯ରୁ  ଆରମ୍ଭ ହୋଇଥିବା ଏହି ଉତ୍ସବ ଏକ ପ୍ରମୁଖ ଭାରତୀୟ ନୃତ୍ୟ ଉତ୍ସବ ଭାବେ ପରିଚୟ ହାସଲ କରିଛି। ଚଳିତବର୍ଷ ୭ଟି ରାଜ୍ୟରୁ ଯଥା ଛତିଶଗଡ଼, ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ ଏବଂ ନୂଆଦିଲ୍ଲୀର କଳାକାରମାନେ ଏହି ଉତ୍ସବର ପ୍ରମୁଖ ଆକର୍ଷଣ ପାଲଟିବେ।

ଏଥିସହ କୋଣାର୍କ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦେଶବିଦେଶର ଖ୍ୟାତିସମ୍ପନ୍ନ ବିଭିନ୍ନ କଳାକାର ଗ୍ରୁପ୍‍ କୋଣାର୍କ ମୁକ୍ତ ମଞ୍ଚରେ ଦର୍ଶକଙ୍କ ସମ୍ମୁଖରେ ଓଡ଼ିଶୀ ସହ ବିଭିନ୍ନ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବେ। ଏହି କୋଣାର୍କ ମହୋତ୍ସବ ପାଇଁ ଟିକେଟ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି।

କେଉଁଠି ମିଳିବ ଟିକେଟ୍‌

  • ପର୍ଯ୍ୟଟନ କାର୍ଯ୍ୟାଳୟ, ଭୁବନେଶ୍ୱର
  • ପର୍ଯ୍ୟଟନ କାର୍ଯ୍ୟାଳୟ, ପୁରୀ, କୋଣାର୍କ
  • ପାନ୍ଥନିବାସ, ଭୁବନେଶ୍ୱର
  • ଭୁବନେଶ୍ୱର ଷ୍ଟେସନ୍‌ରେ ଓହ୍ଲାଉଥିବା ପର୍ଯ୍ୟଟକମାନଙ୍କ ସୂଚନା ନିମନ୍ତେ ଖୋଲାଯାଇଥିବା କାଉଣ୍ଟରରେ ଟିକେଟ ଉପଲବ୍ଧ ହେଉଛି।
  • କୋଣାର୍କରେ ଥିବା ମୁକ୍ତାକାଶ, ରଙ୍ଗମଞ୍ଚ ନିକଟସ୍ଥ ଟିକେଟ କାଉଣ୍ଟର

ଟିକେଟର ମୂଲ୍ୟ ଜଣକ ପିଚ୍ଛା ୧୦୦ ଟଙ୍କା ରହିଛି। ହେଲେ ଡିସେମ୍ବର ୧ ରୁ ୫ ମଧ୍ୟରେ ଟିକେଟ୍‌ କାଟୁଥିବା ଦର୍ଶକ, ମାତ୍ର ୪ ଦିନର ଟିକେଟ୍‌ ମୂଲ୍ୟ ପୈଠ କରିବାକୁ ପଡ଼ିବ। ଜନସାଧାରଣଙ୍କ ନିମନ୍ତେ ଖାଲି ବୁଲି ଦେଖିବା ଉଦ୍ଦେଶ୍ୟରେ ଟିକେଟ ମୂଲ୍ୟ ୨୦ ଟଙ୍କା ରହିଛି।

Comment