ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜେପି କହିଲା, ଦଳରେ ନଥିଲେ ବିଜୟ-ଦିଲ୍ଲୀପ
  • ବିଜେପି ହେଉଛି ଜୁମ୍‌ଲା ପାର୍ଟି: ବିଜେଡି
  • ଦୁଇ ବରିଷ୍ଠ ନେତା ଦଳ ଛାଡ଼ି ବିଜେପି ପାଇଁ ବଡ଼ ପ୍ରଶ୍ନ: କଂଗ୍ରେସ

ବିଜେପି ଶିବିରରେ ଶୁକ୍ରବାର ବଡ଼ ଧରଣର ହଲ୍‌ଚଲ୍ ହୋଇଛି। ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଗୋଟିଏ ଦିନରେ ଦଳରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀପ ଉଭୟ ଦଳ ଏବଂ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି।

ଏହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ବିଜୟ ଏବଂ ଦିଲ୍ଲୀପ ଆଗାମୀ ଦିନରେ କୁଆଡ଼େ ଯିବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

“ଦିଲ୍ଲୀପ ବିଦେଶ ଗସ୍ତରେ ଯାଇଛନ୍ତି। ୧୫ ଦିନ ପରେ ଫେରିବେ। ସେ ଫେରିବା ପରେ ଆଲୋଚନା କରି ଆଗାମୀ ରଣନୀତି ସମ୍ପର୍କରେ ଘୋଷଣା କରିବୁ। ଆମେ ସକ୍ରିୟ ରାଜନୀତିରେ ରହିବୁ”, କହିଛନ୍ତି ବିଜୟ ମହାପାତ୍ର।

ବିଜୟ ଏବଂ ଦିଲ୍ଲୀପ ଯଦି ସକ୍ରିୟ ରାଜନୀତିରେ ରହିବେ ତାହାଲେ କେଉଁ ଦଳକୁ ଯିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁହାଯାଉଛି ଏହି ଦୁଇ ତୁଙ୍ଗ ନେତା ପୁଣି ବିଜେଡିକୁ ବାହୁଡ଼ି ପାରନ୍ତି।

ଦିଲ୍ଲୀପ ଏବଂ ବିଜୟ ହେଉଛନ୍ତି ବିଜେଡିର ପ୍ରତିଷ୍ଠାତା ସଭ୍ୟ। ବିଜୁ ବାବୁଙ୍କ ଦେହାନ୍ତ ପରେ ଏହି ଦୁଇ ନେତା ବିଜୁ ବାବୁଙ୍କ ନାଁରେ ଆଞ୍ଚଳିକ ଦଳ ଗଠନ କରିବାକୁ ଉଦ୍ୟମ କରି ସଫଳ ହୋଇଥିଲେ। ବିଜୁ ବାବୁଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀରୁ ଆଣି ବିଜେଡିର ମଙ୍ଗ ଧରାଇଥିଲେ। ହେଲେ ସମୟ ସ୍ରୋତରେ ସବୁକିଛି ଭାସିଯିବା ପରି ବିଜୟ ଏବଂ ଦିଲ୍ଲୀପ ପରବର୍ତ୍ତୀ ସମୟରେ ବିଜେଡିରୁ ବିଦା ହୋଇଥିଲେ।

ଦିଲ୍ଲୀପ କଂଗ୍ରେସରେ ଯୋଗ ଦେଇଥିବା ବେଳେ ବିଜୟ ଓଜିପି ଗଠନ କରିଥିଲେ। ହେଲେ ଦିଲ୍ଲୀପ ବେଶୀଦିନ କଂଗ୍ରେସରେ ଖାପ ଖୁଆଇ ପାରିନଥିଲେ। ୨୦୦୯ ନିର୍ବାଚନ ପୂର୍ବରୁ ଦିଲ୍ଲୀପ କଂଗ୍ରେସ ଛାଡ଼ିଥିଲେ। ବିଜୟ ମଧ୍ୟ ଓଜିପି ଗଠନ କରି ଓଡ଼ିଶା ରାଜନୀତିରେ ତିଷ୍ଠିପାରି ନଥିଲେ। ଏନସିପିରେ ତାଙ୍କ ଦଳକୁ ମିଶ୍ରଣ କରି ଓଡ଼ିଶାରେ ରାଜନୀତି କରିଥିଲେ।

୨୦୦୯ରେ ବିଜେଡି ଏନସିପି ମେଣ୍ଟ ହେବାରୁ ବିଜୟ ଏନସିପିରୁ ଇସ୍ତଫା ଦେଇଥିଲେ। ଗୋଟିଏପଟେ ବିଜୟ ଏନସିପି ଛାଡ଼ିଥିବା ବେଳେ ଅନ୍ୟପଟେ ଦିଲ୍ଲୀପ ମଧ୍ୟ କଂଗ୍ରେସ ଛାଡ଼ିଥିଲେ। ଶେଷରେ ଦୁଇ ଜଣ ୨୦୦୯ରେ ବିଜେପିର ହାତ ଧରିଥିଲେ।

ବିଜେପିରେ ସବୁକିଛି ଠିକ୍‌ଠାକ୍ ଚାଲିଥିଲା। ହେଲେ ଦୁଇ ବର୍ଷ ହେଲା ଉଭୟ ନେତାଙ୍କୁ ଦଳ ଅଲୋଡ଼ା କରିଥିବା ଚର୍ଚ୍ଚା ହେଲା। ବିଜେପିର କୌଣସି କାର୍ଯ୍ୟକ୍ରମରେ ଦୁଇ ନେତାଙ୍କୁ ଦେଖିବାକୁ ମିଳି ନଥିଲା। ଶେଷରେ ବିଜୟ ଏବଂ ଦିଲ୍ଲୀପ ଚରମ ନିଷ୍ପତ୍ତି ନେଇଛନ୍ତି। ବିଜୟ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଦିଲ୍ଲୀପ ଉଭୟ ଦଳ ଏବଂ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି।

ଦିଲ୍ଲୀପ ବିଜେଡିରୁ ଆସିବା ପରେ କଂଗ୍ରେସ ଏବଂ ବିଜେପିରେ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି। ହେଲେ ଏହି ଦୁଇ ଦଳରେ ତାଙ୍କୁ ଉଚିତ ସମ୍ମାନ ମିଳି ନଥିବାରୁ ସେ ପୁଣି ନିଜ ଘର ବିଜେଡିକୁ ବାହୁଡ଼ିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ସେହିପରି ବିଜୟ ନିଜେ ଦଳ ଗଠନ କରିବା ସହ ଏନସିପି ଏବଂ ବିଜେପିରେ ନିଜ ରାଜନୀତିକ ଭାଗ୍ୟ ପରଖିଛନ୍ତି। ସବୁଠି ବିଫଳ ହେବା ପରେ ବିଜେଡି ଯିବାକୁ ଅଣ୍ଟା ଭିଡ଼ିଥିବା ଚର୍ଚ୍ଚା ହେଉଛି।

ବିଜୟ ଏବଂ ଦିଲ୍ଲୀପ ଦଳ ଛାଡ଼ିବା ପରେ ବିଜେପି ପ୍ରତିକ୍ରିୟ ରଖିଛି। ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି ଯେ ବିଜୟ ଏବଂ ଦିଲ୍ଲୀପ ଗତ ତିନି ବର୍ଷ ହେଲା ଦଳରେ ନଥିଲେ।

“ବିଜୟ ଏବଂ ଦିଲ୍ଲୀପ ବାବୁ ଗତ ତିନି ବର୍ଷ ହେଲା ଦଳୀୟ କାର୍ଯ୍ୟାଳୟକୁ ଆସୁ ନଥିଲେ। ଜାତୀୟ କାର୍ଯ୍ୟକାରିଣୀ କିମ୍ବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ବିଜୟ ଯୋଗ ଦେଇ ନାହାନ୍ତି। ସେମାନେ ଦଳରେ ନଥିଲେ। ଏଣୁ ଦଳରୁ ଗଲେ କିଛି ଫରକ ପଡ଼ିବନି”, କହିଛନ୍ତି ସମୀର ମହାନ୍ତି।

ଏ ପ୍ରସଙ୍ଗରେ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ବିଜୟ ଏବଂ ଦିଲ୍ଲୀପ ବାବୁ ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ର ପାଖରେ ଦାବି କରି ଆସୁଥିଲେ। ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବାକୁ ସେମାନେ ବାରମ୍ବାର ଦାବି କରି ଆସୁଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ। ଏଥିରୁ ପ୍ରମାଣିତ ହେଉଛି ବିଜେପି ହେଉଛି ଏକ ଜୁମଲା ଦଳ।”

କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, “ବିଜେପି ପ୍ରତି ଲୋକ ଆକୃଷ୍ଟ ହେଉଛନ୍ତି ବୋଲି ଯେଉଁ ଦାବି କରାଯାଉଥିଲା ତାହା ଆଜି ଭୁଲ୍ ପ୍ରମାଣିତ ହୋଇଛି। ଦଳର ବରିଷ୍ଠ ନେତା ଦଳ ଛାଡ଼ିବା ବିଜେପି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜୟ ବାବୁ ଜଣେ ବରିଷ୍ଠ ନେତା ଏବଂ ଦିଲ୍ଲୀପ ରାୟ ବିଧାୟକ ଥିଲେ। ଦୁଇ ତୁଙ୍ଗ ନେତା ଦଳ ଛାଡ଼ିବା ବିଜେପି ପାଇଁ ବଡ଼ ଝଟ୍‌କା।”

Comment