ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କ୍ୟାନସ୍‌ର ରୋଗରେ ପୀଡ଼ିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଭାରତ ଫେରିଛନ୍ତି।

ସୋନାଲି ବେନ୍ଦ୍ରେଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। କ୍ୟାନସ୍‌ର ରୋଗରୁ ଭଲ ହୋଇ ଭାରତ ଫେରିଛନ୍ତି ସୋନାଲି ବେନ୍ଦ୍ରେ। କ୍ୟାନସ୍‌ର ରୋଗରେ ପୀଡ଼ିତ ହୋଇ ଗତ ୪ମାସ ଧରି ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ ସେ। ରବିବାର ରାତିରେ ତାଙ୍କୁ ପତି ଗୋଲ୍ଡି ବହଲଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ମିଡିଆକୁ ଦେଖି ଭାବୁକ ହୋଇ ପଡ଼ି ଧନ୍ୟବାଦ ଜଣାଇଥିଲେ ସୋନାଲି।

ଚଳିତ ବର୍ଷ ଜୁଲାଇ ମାସରେ ସୋନାଲିଙ୍କୁ ମେଟାଷ୍ଟାଟିକ କ୍ୟାନସ୍‌ର ହୋଇଥିବାର ସେ ଜାଣିବାକୁ ପାଇଥିଲେ। ଏହା ପରେ ଚିକିତ୍ସା ହେବା ପାଇଁ ନ୍ୟୁୟର୍କ ଯାଇଥିଲେ। ଦୀର୍ଘ ୪ ମାସ ଧରି ନିଜ ଦେଶଠାରୁ ଦୂରେଇ ରହିଥିଲେ ସୋନାଲି।

ଭାରତ ଫେରିବା ପୂର୍ବରୁ ନିଜ ଖୁସିକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରି ସୋନାଲି କହିଥିଲେ, “ଦୂରତା ଦୁଇ ହୃଦୟକୁ ଏକାଠି କରିଥାଏ, ଏହା ସତ୍ୟ। କିନ୍ତୁ ଏହି ଦୂରତାରୁ ମୁଁ ବହୁତ କିଛି ଶିଖିଛି। ନିଜ ଦେଶ ଓ ପରିବାରଠାରୁ ଦୂରରେ ରହି ମୋ’ ଜୀବନରେ ବହୁତ କିଛି ଘଟିଯାଇଛି। ବର୍ତ୍ତମାନ ମୁଁ ସେଠାକୁ ଫେରୁଛି ଯେଉଁଠି ମୋ’ ହୃଦୟ ରହିଛି। ଏହି ଖୁସିକୁ ମୁଁ ଶବ୍ଦରେ ପରିପ୍ରକାଶ କରିପାରୁ ନାହିଁ।”

ସୋନାଲି କହିଛନ୍ତି ଯେ କ୍ୟାନସ୍‌ରର ଯାତ୍ରା ବର୍ତ୍ତମାନ ସରିନାହିଁ। ସେ କିଛି ସମୟ ପାଇଁ ଭାରତ ଆସିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପୁଣିଥରେ ନ୍ୟୁୟର୍କ ଯିବାକୁ ପଡ଼ିବ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଜଣେ ଭଲ ବନ୍ଧୁ ହେଉଛନ୍ତି ସୋନାଲି। ପ୍ରିୟଙ୍କା ଚୋପ୍ରା ନିକଟରେ ନିକ୍ ଜୋନସ୍‌ଙ୍କୁ ବିବାହ କରିଛନ୍ତି। ଚର୍ଚ୍ଚା ହେଉଛି ୧୨ ଡିସେମ୍ବରରେ ହେବାକୁ ଥିବା ପ୍ରିୟଙ୍କା-ନିକ୍‌ଙ୍କ ରିସେପ୍‌ସନରେ ସୋନାଲି ଯୋଗ ଦେଇପାରନ୍ତି।

Comment