ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ୨୦୧୯ ସଂସ୍କରଣର ଖେଳାଳିଙ୍କ ନିଲାମୀ ଡିସେମ୍ବର ୧୮ରେ ଜୟପୁରରେ ହେବ

ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୧୯ ସଂସ୍କରଣ ପାଇଁ ଖେଳାଳିମାନଙ୍କ ନିଲାମୀ ଡିସେମ୍ବର ୧୮ରେ ହେବ। ପୂର୍ବରୁ ବେଙ୍ଗାଳୁରୁରେ ହେଉଥିବା ନିଲାମୀ ପ୍ରକ୍ରିୟା ଏବେ ରାଜସ୍ଥାନର ହେବ। ସୋମବାର ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଆଇପିଏଲ୍ ୨୦୧୯ ସଂସ୍କରଣ ନିଲାମୀ ପ୍ରକ୍ରିୟା ପାଇଁ ୭୦ଜଣ ଖେଳାଳି ସାମିଲ ହୋଇଛନ୍ତି। ସେଥିମଧ୍ୟରୁ ୫୦ଜଣ ଭାରତୀୟ ଖେଳାଳି ହୋଇଥିବା ବେଳେ ୨୦ ଜଣ ବିଦେଶୀ ଖେଳାଳି। ୮ଟି ଟିମ୍‌ ଏହି ନିଲାମୀ ପ୍ରକ୍ରିୟାରେ ଭାଗ ନେବେ। ନିଲାମୀ ପାଇଁ ୧୪୫ କୋଟି୨୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଆସନ୍ତା ବର୍ଷ ଆଇପିଏଲ୍‌ରେ ମୋଟ ୧୩୦ଜଣ ଖେଳାଳି ଅଂଶ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରୁ ୪୪ଜଣ ହେଇଛନ୍ତି ବିଦେଶୀ ଖେଳାଳି।

ଦଳରେ କେଉଁ ଖେଳାଳି ରହିବେ ଓ କିଏ ଦଳରୁ ବାହାରିବେ ସେ ନେଇ ନିଲାମୀ ପୂର୍ବରୁ ସୂଚନା ଦିଆଯାଇଛି। ଏଥିରେ ବହୁତ ବଡ଼ ବଡ଼ ଖେଳାଳିଙ୍କ ନାମ ରହିଛି। ଆଇପିଏଲ୍ ୨୦୧୯ରେ ଯୁବରାଜ ସିଂହ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳକୁ ପରିତ୍ୟାଗ କରିଛନ୍ତି। ସେହିପରି ଦିଲ୍ଲି ଡେୟାରଡେଭିଲ୍‌ସରେ ଗୌତମ ଗମ୍ଭିର ଓ ରାଜସ୍ଥାନ ରୟାଲ୍ସରେ ଜୟଦେବ ଉନଦ୍‌କଟ ସାମିଲ ହେବେନି।

୨୦୧୯ କ୍ରିକେଟ ବିଶ୍ଵକପକୁ ଦୃଷ୍ଟିରେ ରଖି ଅଧିନାୟକ ବିରାଟ କୋହଲି ଦଳର ଦ୍ରୁତ ବୋଲରମାନଙ୍କୁ ଆଇପିଏଲ୍‌ରୁ ବିଶ୍ରାମ ନେବାପାଇଁ କହିଛନ୍ତି। ଅନ୍ୟପଟେ ୨୦୧୯ ଲୋକସଭା ନିର୍ବାଚନକୁ ଆଖିରେ ରଖି ଆଇପିଏଲ୍‌ର କିଛି ମ୍ୟାଚ ବିଦେଶରେ ହୋଇପାରେ।

Comment