ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଲେଙ୍ଗାନାରେ ହାଇଭୋଲଟେଜ ପ୍ରଚାର। ପ୍ରତିଶ୍ରୁତିରେ ପୋତି ପକାଇଲେ ରାହୁଲ।

ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ମାତ୍ର ଆଉ ୩ ଦିନ ବାକି ଥିବା ବେଳେ ଜୋର୍ ଧରିଛି ପ୍ରଚାର। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗତ ସୋମବାର ତେଲେଙ୍ଗାନା ଗସ୍ତ କରି ଅନୁସୂଚିତ ଜାତି, ଜନଜାତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସଂରକ୍ଷଣ (ରିଜର୍ଭସେନ) କାର୍ଡ ଖେଳିଛନ୍ତି।

ରାହୁଲଙ୍କ ଏସ୍‌ସି, ଏସ୍‌ଟି କାର୍ଡକୁ ନେଇ ତେଲେଙ୍ଗାନା ରାଜନୀତି ସରଗରମ ହୋଇଯାଇଛି।

ପ୍ରଚାର ମଇଦାନରେ ରାହୁଲ କହିଥିଲେ, “ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଆସିଲେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ଥିବା ୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ୧୦ ପ୍ରତିଶତ କରାଯିବ।”

ରାହୁଲ ଆହୁରି କହିଥିଲେ ଯେ ଦୀର୍ଘ ଦିନ ହେଲା ତେଲେଙ୍ଗାନାରେ କୃଷକଙ୍କ ସମସ୍ୟା ଲାଗି ରହିଛି। ଏହାର ସମାଧାନ କରାଯିବ। ପାଲାମୁର ଗଙ୍ଗା ଜଳସେଚନ ପ୍ରକଳ୍ପ କାମ ଶୀଘ୍ର ଶେଷ ହେବ। ବିଶେଷକରି ଗଡୱାଲ, ରଙ୍ଗା ରେଡ୍ଡି, ମହବୁବନଗର ଜିଲ୍ଲାବାସୀ ଅଧିକ ଉପକୃତ ହେବେ।

ରାହୁଲ ବର୍ତ୍ତମାନ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ସମାନ ପ୍ରତିଶ୍ରୁତି ୨୦୧୪ରେ ଟିଆର୍‌ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଦେଇଥିଲେ। ହେଲେ ଏବେ ଯାଏଁ ତାହା ପୂରଣ ହୋଇପାରି ନାହିଁ।

ତେଲେଙ୍ଗାନା ବିଧାନସଭାରେ ଏସ୍‌ସି ଓ ଏସ୍‌ଟିଙ୍କ ଲାଗି  ୩୧ଟି ଆସନ ସଂରକ୍ଷିତ ହୋଇ ରହିଛି। ହେଲେ ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୬ ଆସନରେ ସନ୍ତୁଷ୍ଟ ହୋଇଥିଲା।

“୨୦୧୭ରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ଏକ ବିଲ ପାରିତ ହୋଇଥିଲା। ଏହା ରାଷ୍ଟ୍ରପତିଙ୍କ ଅମନୁମୋଦନ ଅପେକ୍ଷାରେ। ଆଗାମୀ ନିର୍ବାଚନରେ ଯଦି କଂଗ୍ରେସ କ୍ଷମତାକୁ ଆସେ ଯେଉଁ ପ୍ରତିଶ୍ରୁତି ପୂରଣ ହୋଇପାରି ନଥିଲା ତାହା ପୂରଣ କରାଯିବ”, କହିଥିଲେ ରାହୁଲ।

ତେଲେଙ୍ଗାନା ନିର୍ବାଚନ ମଇଦାନରେ ଚାଲିଥିବା ହାଇଭୋଲଟେଜ ପ୍ରଚାରରୁ କିଏ ଫାଇଦା ନେଉଛି ଏବଂ ଭୋଟର କାହା ସପକ୍ଷରେ ମତ ଦେଉଛନ୍ତି ତାହା ଫଳାଫଳ ପରେ ସ୍ପଷ୍ଟ ହୋଇଯିବ।

Comment