କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ
ମହାକାଳପଡ଼ାରେ ୭ରେ କଂଗ୍ରେସର ସମାବେଶ, ୮ରେ ଆସିବେ ନବୀନ।
ନିର୍ବାଚନ ତାରିଖ ଘୋଷଣା ନହେଉଣୁ କେନ୍ଦ୍ରାପଡ଼ାରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଲାଣି। ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେଡି ଏବଂ ବିଜେପି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବଚନମଣ୍ଡଳୀର ବଙ୍ଗଭାଷୀଙ୍କ ଭୋଟ ଦୁର୍ଗକୁ ଟାର୍ଗେଟ କରିଛନ୍ତି ଏହି ରାଜନୈତିକ ଦଳ।
୭ ତାରିଖରେ ବିଜେପି ଓ କଂଗ୍ରେସ ମହାକାଳପଡ଼ାରେ ସମାବେଶ କରିବାକୁ ଯୋଜନା କରିଥିବା ବେଳେ ୮ ତାରିଖରେ ବିଜେଡି ଏଠାରେ ସର୍ବ ବୃହତ ପାନୀୟ ଜଳ ପ୍ରକଳ୍ପର ଶୁଭ ଦେବା ନାଁରେ ବଡ଼ ସମାବେଶ କରିବାକୁ ଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ନବୀନଙ୍କ ପାଇଁ ବିଶାଳ ଜନସଭାର ଆୟୋଜନ କରାଯାଇଛି।
ସାଧାରଣ ନିର୍ବାଚନ ପାଇଁ ବାଜିନି ବିଗୁଲ୍। ତଥାପି ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ରାଜନୀତି ସରଗରମ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନମଣ୍ଡଳୀର ପେଟଛେଲା ପଞ୍ଚାୟତର ସରୁମୁହିଁ ପଡ଼ିଆଠାରେ ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏକ ସର୍ବ ବୃହତ ପାନୀୟ ଜଳ ପ୍ରକଳ୍ପର ଶୁଭ ଦେବେ।
ପେଟଛେଲା ପଞ୍ଚାୟତର ଚାରି ପାଖରେ ବଙ୍ଗଭାଷୀ ଲୋକେ ରହିଛନ୍ତି। ବଉଳକଣି, ରାମନଗର, ଖରିନାସୀ, ବତୀଘର, ଜମ୍ବୁ, ସୁନୀତି ଗ୍ରାମପଞ୍ଚାୟତରୁ ହଜାର ହଜାର ବଙ୍ଗଭାଷୀ ନବୀନଙ୍କୁ ନିକଟରେ ଭେଟିବାର ସୁଯୋଗ ପାଇଥିଲେ।
ମହାକାଳପଡ଼ାର ବହୁ ଅଞ୍ଚଳ ପାନୀୟ ଜଳ ସଙ୍କଟ ଦେଖାଦେଇଥିଲା। ନଦୀ ଓ ପୋଖରୀର ଅସନା ପାଣି ପିଇ ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥିଲେ। ଏହାକୁ ଦୂର କରିବାକୁ ୨୪୧ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି।
୨୦୧୪ ନିର୍ବାଚନ ବେଳେ ନବୀନ ମଧ୍ୟ ଏହି ଅଞ୍ଚଳରେ ଏକାଧିକ ସଭା ଏବଂ ସମାବେଶ କରି ବିଜେଡି ସପକ୍ଷରେ ବହୁ ଭୋଟ ହାତେଇବାକୁ ସକ୍ଷମ ହୋଇଥିଲେ। ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ନବୀନଙ୍କର ଏହା ଆଗୁଆ ନିର୍ବାଚନୀ ସଭା ବୋଲି କୁହାଯାଉଛି।
୨୦୧୪ରେ ମହାକାଳପଡ଼ା ନିର୍ବାଚନମଣ୍ଡଳୀରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବଳରାମ ପରିଡ଼ା ନିଜ ସମର୍ଥକମାନଙ୍କ ସହିତ ବିଜେଡିରେ ସାମିଲ ହୋଇ ଯାଇଥିବାରୁ ଏଠାରେ କଂଗ୍ରେସ ସଙ୍ଗଠନ ଭୁଶୁଡ଼ି ପଡ଼ିଥିଲା।
କଂଗ୍ରେସ ସଙ୍ଗଠନକୁ ସଜାଡ଼ିବା ପାଇଁ ଦଳ ଆସନ୍ତା ୭ ତାରିଖରେ ମହାକାଳପଡ଼ାର ବଙ୍ଗଭାଷୀଙ୍କ ଗଡ଼ରେ ଦମଦାର ରାଜନୈତିକ ସଭା କରିବାକୁ ଯାଉଛି।
ଏହି ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଯୋଗ ଦେବେ। କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରେ ଯୁବନେତା ବିଭ୍ରାଂଶୁ ଲେଙ୍କାଙ୍କୁ ପ୍ରୋଜେକ୍ଟ କରିବ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷେ ବିଜେପି ମଧ୍ୟ ପଛରେ ପଡ଼ିନି। ବଙ୍ଗଭାଷୀ ଭୋଟରଙ୍କୁ ଆଖିରେ ରଖି ଜମ୍ବୁଠାରେ ଜନ ପରାମର୍ଶ ପଦଯାତ୍ରା କରିବା ପାଇଁ ଯୋଜନା କରିଛି। ଅଧ୍ୟାପକ ଚକିରୀ ଛାଡ଼ି ରାଜନୀତିକୁ ଆସିଥିବା ଭୁବମୋହନ ଜେନାଙ୍କୁ ଏଥର ବିଜେପି ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।
ଏହାଛଡ଼ା ମାଟି ପାଇଁ ପାର୍ଟି ଛାଡ଼ିଥିବା ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦେବାକୁ ବିଜୟଙ୍କ ସମର୍ଥକମାନେ ଗୋଜବାୟାଣୀ ପୀଠରେ ବିଶାଳ ସମାବେଶ ଆୟୋଜନ କରିଛନ୍ତି।
ନିର୍ବାଚନ ପୂର୍ବରୁ ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳର ସମାବେଶ ବାତାବରଣକୁ ଗରମ କରିଦେଇଛି।








ମହାକାଳପଡ଼ାରେ ୭ରେ କଂଗ୍ରେସର ସମାବେଶ, ୮ରେ ଆସିବେ ନବୀନ।









