ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ବୁଧବାର ଶେଷ ହୋଇଛି। ଶ୍ରେଷ୍ଠ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।

ଚନ୍ଦ୍ରଭାଗାର ବିସ୍ତିର୍ଣ୍ଣ ବେଳାଭୂମିରେ ଗତ ୫ ଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ବୁଧବାର ଶେଷ ହୋଇଛି। ଶେଷ ଦିନରେ ରାଜ୍ୟପାଳ ଗଣେଶୀ ଲାଲ୍‌ ବାଲୁକା କଳା ପରିଦର୍ଶନ କରିଥିଲେ।

ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବାଲୁକା କଳା ଉତ୍ସବ ଅନୁଷ୍ଠିତ ହୋଇଥିଲା। ୫ ଦିନ ଧରି ଚାଲିଥିବା ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ୧୦୧ ପ୍ରତିଯୋଗୀ। ପାଞ୍ଚ ଦିନରେ ୫ଟି ଥିମ୍ ରହିଥିଲା। କେବଳ ଓଡ଼ିଶାରୁ ନୁହେଁ ଦେଶ ବିଦେଶରୁ ଅନେକ ଶିଲ୍ପୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ପ୍ରଥମ ଦିନ ‘କ୍ରୀଡ଼ା, ଦ୍ଵିତୀୟ ଦିନରେ ପ୍ରତିଯୋଗୀଙ୍କ ପାଇଁ ‘ଐତିହ୍ୟ’, ତୃତୀୟ ଦିନରେ ‘ପରିବେଶ’ ଏବଂ ଚତୁର୍ଥ ଦିନରେ ‘ମହିଳା ସଶକ୍ତିକରଣ’ ଥିମ୍ ରହିଥିଲା।

ବାଲୁକା କଳା ପ୍ରତିଯୋଗିତାରେ ୧୦ ଜଣ ଏକକ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଆନ୍ଧ୍ର ପ୍ରଦେଶର ବିଜୟୱାଡାର ଏ ବାଲାଜୀ ପ୍ରସାଦ ପ୍ରଥମ ପୁରସ୍କାରରେ ପୁରସ୍କୃତ ହୋଇଥିଲେ।

ଡବଲ୍ସ ବିଭାଗରେ ୨୦ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ। ସେଥିରୁ ପୁରୀର ବୁଲୁ ମହାନ୍ତି ଓ ପ୍ରମୋଦ ବିଶ୍ୱାଳ ପ୍ରଥମ ପୁରସ୍କାର ପାଇଥିଲେ, ଦ୍ୱିତୀୟ ପୁରସ୍କାରରେ ପୁରସ୍କୃତ ହେଲେ ଜିତେନ୍ଦ୍ର କିଶୋର ଜଗଦେବ୍‌ ଓ ସନ୍ତୋଶ କୁମାର ନାୟକ। ଏହାସହ ତୃତୀୟ ପୁରସ୍କାର ବିଜେତା ହେଲେ ପୁରୀର ବାଦଲ ତରାଇ ଓ ରାଜେଶ୍ୱର ମହାପାତ୍ର, ଗଞ୍ଜାମର ମହେଶ୍ୱର ସାହୁ ଏବଂ କଟକର ଓମ୍‌ ପ୍ରକାଶ ବାରିକ୍‌।

ଗ୍ରୁପ୍‌ ପ୍ରତିଯୋଗୀ ଭାବେ ୪୦ ଜଣ ପୁରୁଷ ବିଭାଗ ଏବଂ ୨୫ ଜଣ ମହିଳା ବିଭାଗ ଅଂଶ ଗ୍ରହଣ କରିଥିଲେ। ଏଥିମଧ୍ୟରୁ ମହିଳା ବିଭାଗର ସରିତା ଗୋଚ୍ଛାୟତ, ମାଧୁରୀ ଲିପ୍‌ସ୍ମିତା ସ୍ୱାଇଁ, ସରସ୍ୱତୀ ଭୋଇ, ଦିପ୍ତିମୟୀ ପରି ଓ ଜୁଲିଏଟ୍‌ ପ୍ରଧାନ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରୁଷ ବିଭାଗରେ ପ୍ରଥମ ବିଜେତା ହେଲେ ବାନାମ୍ବର ପଟ୍ଟନାୟକ, ଗୋପିନାଥ ମହାରଣା, ଅଜିତ କୁମାର ସାହୁ, ସୁସାନ୍ତ କୁମାର ସେଠୀ।

ଗ୍ରୁପ୍‌ର ପୁରୁଷ ବିଭାଗରେ ତରଣୀ ନାୟକ, ଟୁନା ବେହେରା, ବାଳକୃଷ୍ଣ ସତପଥୀ ଓ କାର୍ତ୍ତିକ ନାୟକ ଦ୍ୱିତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତୃତୀୟ ପୁରସ୍କାରରେ ରାକେଶ ସନା, ଚନ୍ଦନ ପଟ୍ଟନାୟକ, ହରେକୃଷ୍ଣ ବେହେରା ଓ ରାହୁଲ ସରକାର ସମ୍ମାନିତ ହୋଇଥିଲେ।

ଏକକ ପ୍ରଦର୍ଶନରେ ପ୍ରଥମ ସ୍ଥାନ ପାଇଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଡବଲ୍ସରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା କୃତୀ ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଗ୍ରୁପ୍‌ରେ ପୁରୁଷ ବିଭାଗରେ ପ୍ରଥମସ୍ଥାନ ପାଇଥିବା ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ଏବଂ ମହିଳା ବିଭାଗକୁ ୫୦ ହଜାର ଟଙ୍କା ପୁରସ୍କର ଦିଆଯାଇଛି।

ଏହି ବାଲୁକା କଳା ଉତ୍ସବରେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ନେଦରଲ୍ୟାଣ୍ଡ, ସ୍ପେନ, ଶ୍ରୀଲଙ୍କା ଓ ଇଟାଲିରୁ ଜଣେ ଲେଖାଏଁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

୨୦୧୧ରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ କୋଣାର୍କ ବାଲୁକା କଳା ଉତ୍ସବର ଏହା ଅଷ୍ଟମ ବର୍ଷ। ଗତ ବର୍ଷ ଭିନ୍ନକ୍ଷମ କଳାକାରମାନେ ଆକର୍ଷଣ ପାଲଟିଥିଲେ ଏବଂ କିଛି ବର୍ଷ ମହିଳା କଳାକାରମାନେ ନିଜ ପ୍ରତିଭା ପ୍ରଦାନ କରିଆସୁଛନ୍ତି। ଚଳିତବର୍ଷ ଗ୍ରୁପ୍‌ ଇଭେଣ୍ଟରେ ମହିଳାମାନେ ଯୋଗଦେଇ ପୁରସ୍କୃତ ମଧ୍ୟ ହୋଇଥିଲେ।

ଓଡ଼ିଶାର ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସହିତ ମୂଳରୁ ଯୋଡ଼ି ହୋଇ ରହିଛନ୍ତି।

Comment