ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମହାକାଳପଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ। ବିଜେପି କଲା ଜନପରାମର୍ଶ ପଦଯାତ୍ରା।

କେନ୍ଦ୍ରାପଡ଼ା: “ବିଜେଡି ସରକାର ରାଜ୍ୟକୁ ଦରିଦ୍ରରୁ ଦରିଦ୍ର କରିବାରେ ଲାଗିଛି। ଲକ୍ଷ ଲକ୍ଷ ଯୁବକମାନେ ରୋଜଗାର ନପାଇ ବୁଲୁଛନ୍ତି। ଦାଦନ ସମସ୍ୟା ଉଗ୍ର ହେବାରେ ଲାଗିଛି। ବିଜୁ ସେନା ନାଁରେ ବେକାର ଯୁବକମାନଙ୍କୁ ଭୂଆଁ ବୁଲାଉଛି ବିଜେଡି ସରକାର। କଂଗ୍ରେସ ସରକାରକୁ ଆସିଲେ ରାଜ୍ୟର ଭାଗ୍ୟ ବଦଳିବ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ରାମନଗରର ରାମଚଣ୍ଡୀଠାରେ ଅନୁଷ୍ଠିତ କଂଗ୍ରେସର ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ତୁଙ୍ଗ ନେତା ଯୋଗ ଦେଇ ବିଜେଡି ଉପରେ ବର୍ଷିଥିଲେ।

ନିରଞ୍ଜନ କହିଛନ୍ତି, “ବିଜେଡିର ୧୮ ବର୍ଷ ଶାସନ କାଳ ମଧ୍ୟରେ ଭାରତରେ ଓଡ଼ିଶା ଏକ ଦରିଦ୍ରତମ ରାଜ୍ୟ ଭାବରେ ପରିଚୟ ପାଇଛି। ୯ ବର୍ଷ ବିଜେପି-ବିଜେଡି ମେଣ୍ଟ ସରକାର ଚାଲିଥିଲା।  ଏବେ ବିଜେଡି ଏକାକୀ ସରକାରରେ ରହିଛି। ହେଲେ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହୋଇ ପାରିନି। କଂଗ୍ରେସ ଏଥର ସରକାରକୁ ଆସିଲେ ରାଜ୍ୟର ଭାଗ୍ୟ ପରିବର୍ତ୍ତନ ହେବ।”

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡ଼ାର ପେଟଛେଲାଠାରେ ଏକ ମେଗା ପାନୀୟଜଳ ପ୍ରକଳ୍ପର ଶୁଭ ଦେବେ। ଏହାକୁ ମଧ୍ୟ ନିରଞ୍ଜନ କଟାକ୍ଷ କରିଥିଲେ।

ସେ କହିଥିଲେ ଯେ ମହାକାଳପଡ଼ା ବ୍ଲକର ଅଧିକାଂଶ ଅଞ୍ଚଳର ଲୋକେ ଦୀର୍ଘ ଦିନ ଧରି ଲୁଣି ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ୧୮ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କର ପାନୀୟ ଜଳ ପ୍ରକଳ୍ପ କଥା ମନେପଡ଼ିଲା। ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଦେବାକୁ ଆସୁଛନ୍ତି।

ବଙ୍ଗଭାଷି ଅଞ୍ଚଳର ଲୋକମାନେ ଦୀର୍ଘ ଦିନ ଧରି ଜମିଜମା  ସମସ୍ୟାରେ ସନ୍ତୁଳି ହେଉଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମେ ବଙ୍ଗଭାଷି ଲୋକମାନଙ୍କ ଜମିଜମା ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରିବ ବୋଲି କହିଥିଲେ ନିରଞ୍ଜନ।

କଂଗ୍ରେସ ସମାବେଶରେ ଯୁବନେତା ବିଭ୍ରାଂଶୁ ଲେଙ୍କା ସଭାପତିତ୍ୱ କରିଥିଲେ। ଏହି ବିଶାଳ ଜନସଭାରେ ଜିଲ୍ଲା ଓ ରାଜ୍ୟର ପ୍ରମୁଖ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହେରା, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଆଳି ବିଧାୟକ ଅଂଶୁମାନ ମହାନ୍ତି, ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଜୟଦେବ ଜେନା, କିଶୋର ପଟେଲ, ଧରଣୀଧର ନାୟକ, ଜୟନ୍ତ ମହାନ୍ତି ପ୍ରମୁଖ ସାମିଲ ହୋଇ ବିଜେଡି ଉପରେ ବର୍ଷିଥିଲେ।

ବିଜେପିର ପଦଯାତ୍ରା

ଅନ୍ୟପକ୍ଷରେ ବଙ୍ଗଭାଷୀଙ୍କ ଗଡ଼ ଜମ୍ବୁ ଓ ଗୋଗୁଆ ପଞ୍ଚାୟତରେ ବିଜେପି ଜନପରାମର୍ଶ ପଦଯାତ୍ରା କରିଛି। ବିଜେପି ନେତା ଭୁବନମୋହନ ଜେନା ଜମ୍ବୁଠାରେ ବିଜେପିର ଏକ ନୂତନ କାର୍ଯ୍ୟାଳକୁ ଉଦଘାଟନ କରିଥିଲେ। ସ୍ଥାନୀୟ ବିଜେପି କର୍ମୀ ଓ ଛାମୁଆ ନେତାମାନେ ଗୋଗୁଆ, ରାହାମା ବାବର, ଜମ୍ବୁ ଆଦି ଅଞ୍ଚଳରେ ପଦଯାତ୍ରା କରି ମୋଦି ସରକାରର ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ।

Comment