ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୋଦି ସରକାରଙ୍କ ଚିନ୍ତା ବଢ଼ାଇପାରେ ୫ଟି ରାଜ୍ୟର ବିଧାନସଭା ଫଳାଫଳ।

ବିଜେପି ପାଇଁ କୁଆଡୁ କିଛି ଭଲ ଖବର ଆସୁନି। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ବାହାରିବା ପାଇଁ ଆଉ ଦୁଇ ଦିନ ସମୟ ରହିଥିବା ବେଳେ ଯାହା ସୂଚନା ମିଳୁଛି ଅଧିକାଂଶ ରାଜ୍ୟରେ ବିଜେପି ହାରିବ।

ପାଞ୍ଚଟି ବିଧାନସଭା ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଓ ଟିଭି ଚ୍ୟାନେଲ ଯେଉଁ ଓପିନିଅନ ପୋଲ ଜାରି କରିଛନ୍ତି ସେଥିରେ କଂଗ୍ରେସକୁ ପୂରା ଫାଇଦା ହେବା ଦେଖାଯାଉଛି। ଏହାର ଅର୍ଥ ୨୦୧୯ରେ ଫାଇନାଲ ଖେଳ ଆଉ ୨୦୧୪ ଭଳି ହେବ ନାହିଁ।

ଯଦି ଶୁକ୍ରବାରର ଏକ୍‌ଜିଟ ପୋଲକୁ ବିଶ୍ୱାସ କରାଯାଏ, ଅଧିକାଂଶ ହିନ୍ଦିଭାଷୀ ରାଜ୍ୟରୁ ବିଜେପି ହଟିବ। ଅବଶ୍ୟ ଏକ୍‌ଜିଟ ପୋଲକୁ ନେଇ ବିରୋଧାଭାସ ରହିଛି ଓ ଏହା ଅନେକ ସମୟରେ ମିଥ୍ୟା ପ୍ରମାଣିତ ହୋଇଥାଏ। କିନ୍ତୁ ଗତ ଦୁଇ ଦିନ ଧରି ଯେଉଁ ରିପୋର୍ଟ ଲଗାତାର ଆସୁଛି ସେଥିରେ କେହି ବି ବିଜେପିକୁ ଭଲ ସ୍ଥାନ ଦେଉନାହାନ୍ତି।

ପ୍ରଥମ ଥର ପାଇଁ ୨୦୧୪ ପରେ ସମଗ୍ର ଦେଶରେ କଂଗ୍ରେସ ଦଳ ଉତ୍ସାହିତ ହେବାର ଯଥେଷ୍ଟ କାରଣ ରହିଛି। ସବୁ ଏକ୍‌ଜିଟ ପୋଲ ପ୍ରାୟ ଗୋଟିଏ କଥା କହୁଛନ୍ତି ଯେ ରାଜସ୍ଥାନରେ ବିଜେପି ହାରିବା ନିଶ୍ଚିତ ଓ ସେଠି କଂଗ୍ରେସ ସବୁ ଭୋଟ ପୋଛିନେବ। ସେହିଭଳି ବିଜେପି ଏବେ କ୍ଷମତାରେ ଥିବା ଦୁଇ ରାଜ୍ୟ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବି ଅବସ୍ଥା କଣ୍ଟକପୂର୍ଣ୍ଣ।

ଏହି ତିନୋଟି ରାଜ୍ୟ ହିଁ ୨୦୧୪ରେ ମୋଦିଙ୍କୁ ସର୍ବାଧିକ ଭୋଟ ଦିଆଇଥିଲା। ଯାହାଫଳରେ ସେ ପ୍ରଧାନମନ୍ତ୍ରୀ ହୋଇପାରିଲେ।

ତେଣେ ତେଲେଙ୍ଗାନାର ଏକ୍‌ଜିଟ ପୋଲ ମୋଟାମୋଟି ସୂଚନା ଦେଉଛି ଯେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ପୁଣି କ୍ଷମତାକୁ ଫେରିବେ। ଏପଟେ ମିଜୋରାମରେ ଝୁଲା ବିଧାନସଭା ହେବ ବୋଲି ଏକ୍‌ଜିଟ ପୋଲ ବା ପ୍ରସ୍ଥାନ ଭୋଟରୁ ସୂଚନା ମିଳିଛି।

ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହାରିଲେ ଅବସ୍ଥା କ’ଣ ହେବ ଅନ୍ୟ କିଏ ଜାଣୁ କି ନଜାଣୁ ବିଜେପିର ନେତାମାନେ ସେ କଥା ଭଲ ଭାବରେ ଜାଣିଛନ୍ତି। ଏହି ତିନି ରାଜ୍ୟରୁ କ୍ଷମତାରୁ ଯିବାମାନେ ନରେନ୍ଦ୍ର ମୋଦିଙ୍କ ଅବସ୍ଥା ଦୁର୍ବଳ ହେବ। ପାଞ୍ଚ ବିଧାନସଭା ନିର୍ବାଚନ ଫଳରୁ  ଗୋଟିଏ ସନ୍ଦେଶ ଯିବ ଯେ ୨୦୧୯ରେ ଏନଡିଏ ସରକାର ଆଉ କ୍ଷମତାକୁ ଫେରିନପାରେ।

ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପିର ଅସୁବିଧା ହେଉଛି ଦୀର୍ଘ ୧୫ ବର୍ଷ ଧରି ଏଠି ଦଳ କ୍ଷମତାରେ ରହିଛି ଓ ଲୋକେ ପରିବର୍ତ୍ତନ ଚାହିଁବେ। ରାଜସ୍ଥାନରେ କିନ୍ତୁ ବିଜେପି ୨୦ ବର୍ଷ ଧରି କ୍ଷମତାକୁ ଜାବୁଡ଼ି ଧରିଛି ଏଣୁ ଏଥର ପରିବର୍ତ୍ତନ ନିଶ୍ଚିତ।

କେବଳ ଅର୍ଣ୍ଣବ ଗୋସ୍ଵାମୀଙ୍କ ଚ୍ୟାନେଲ ରପବ୍ଲିକ ଟିଭିକୁ ଛାଡ଼ିଦେଲେ ବାକି ସବୁ ଚ୍ୟାନେଲ କହୁଛନ୍ତି ଯେ ୧୧ ତାରିଖରେ ବିଜୟାରାଜେ ସିନ୍ଧିଆ ଇସ୍ତଫା ଦେବା ସୁନିଶ୍ଚିତ। ମଧ୍ୟପ୍ରଦେଶର ମୋଟାମୋଟି ଅନୁମାନ ହେଉଛି କଂଗ୍ରେସ ଓ ବିଜେପି ପାଖାପାଖି ଆସନ ପାଇବେ। କିଏ ସରକାର ଗଢ଼ିବ ତାହା ସେଦିନ ହିଁ ଜଣାପଡ଼ିବ।

ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ କି ବିଜେପି କିଏ ସରକାର ଗଠନ କରିବ ତାହା ନିର୍ଭର କରିବ ସଂଖ୍ୟା ଉପରେ। କିନ୍ତୁ ରାଜସ୍ଥାନରେ ଅଶୋକ ଗେହଲଟ କିମ୍ବା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବା ଥୟ।

ଯଦି ବିଜେପି ତିନିଟି ରାଜ୍ୟରେ ପ୍ରକୃତରେ ହାରେ ଓ ୨୦୧୯ ଲୋକସଭା ନିର୍ବାଚନରେ ମୋଦି ଓ ଶାହଙ୍କ ଯୋଡ଼ିକୁ ପରାଜୟର ସ୍ୱୀକାର କରିବାକୁ ପଡ଼େ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାରତ ପୁଣି ସେହି ଭଙ୍ଗାଗଢ଼ା ବ୍ୟବସ୍ଥା ଭିତରକୁ ଫେରିବ।

କେଉଁ ଦଳ ସ୍ପଷ୍ଟ ବହୁମତ ପାଇବେ ନାହିଁ କି ସ୍ଥିର ସରକାର ଦେଇପାରିବେ ନାହିଁ। ଭାରତୀୟ ରାଜନୀତିରେ ୨୦୧୪ ନିର୍ବାଚନକୁ ଏକ ଐତିହାସିକ ଘଟଣା ଏଥିପାଇଁ କୁହାଯାଏ କାରଣ ମୋଦିଙ୍କ ନେତୃତ୍ୱରେ ଏତେ ଆସନ ସହ ସରକାର ଗଠନ କରିବା ପ୍ରାୟ ୨୦ ବର୍ଷ ଭିତରେ କେବେ ସମ୍ଭବ ହୋଇ ନଥିଲା।

LEAVE A REPLY

Please enter your comment!
Please enter your name here