ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ କଂଗ୍ରେସର ଯୁବନେତା ସଚିନ୍ ପାଇଲଟ। ବୟସ କମ୍ ହୋଇଥିଲେ ମଧ୍ୟ ରାଜନୈତିକ ଗୋଟି ଚଳାଇବାରେ ସେ ମାହିର। କଂଗ୍ରେସର ଯୁବ ବ୍ରିଗେଡର ମଧ୍ୟରେ ସଚିନଙ୍କ ନାମ ସବୁଠୁ ଆଗରେ।

ସେତିକି ନୁହେଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟ ଘନିଷ୍ଠ। ରାଜସ୍ଥାନ ବିଧାନସଭା ନିର୍ବାଚନରେ ରାହୁଲ ଯେଉଁ ଗୁରୁ ଦାୟିତ୍ୱ ଦେଇଥିଲେ ତାହାକୁ ସେ ସୂଚାରୁରୂପେ ତୁଲାଇବା ସହ ବିଜୟୀ ମଧ୍ୟ ହୋଇଥିଲେ। ଏତେ  କମ ବୟସରେ ରାଜନୀତିରେ ସଫଳତା ହାସଲ କରି ଷ୍ଟାର ପାଲଟିଥିବାରୁ ତାଙ୍କୁ କଂଗ୍ରେସର ଆଗାମୀ ଭବିଷ୍ୟ ନିଃସନ୍ଦେହରେ କୁହାଯିବ।

୧୯୭୭ ସେପ୍ଟେମ୍ବର ୭ରେ ଉତ୍ତରପ୍ରଦେଶ ସହାରନପୁରରେ ସଚିନ ପାଇଲଟଙ୍କ ଜନ୍ମ। ଦିଲ୍ଲୀସ୍ଥିତ ବାୟୁସେନା ବାଳ ଭାରତୀ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ। ଏହାପରେ ସେଣ୍ଟ ଯୋଶେଫ କଲେଜରେ ସ୍ନାତକ ସାରିଥିଲେ। ସ୍ନାତକ ପରେ ଆମେରିକାରେ ପୋଷ୍ଟ ଗ୍ରାଜୁଏଟ କରିଥିଲେ ସଚିନ।

କିଛି ସମୟ ପାଇଁ ବିବିସି ଦିଲ୍ଲୀ ବ୍ୟୁରୋରେ କାମ କରିବା ପରେ ଦୁଇ ବର୍ଷ ପାଇଁ ଆମେରିକା କମ୍ପାନି ଜେନରାଲ ମୋଟର୍ସରେ କାମ କରିଥିଲେ। ଯୁବାବସ୍ଥାରେ ହିଁ ବାପାଙ୍କୁ ହରାଇଥିଲେ ସଚିନ୍। ବାପା ରାଜେଶ ପାଇଲଟ୍ ମଧ୍ୟ କଂଗ୍ରେସ ନେତା ଥିଲେ। ବାପାଙ୍କ ଦେହାନ୍ତ ପରେ ରାଜନୀତିରେ ସକ୍ରିୟ ହୋଇଥିଲେ। ମାତ୍ର ୨୬ ବର୍ଷ ବୟସରେ ଲୋକସଭା ନିର୍ବାଚନ ଜିତି ସଂସଦରେ ପହଞ୍ଚିଥିଲେ।

୨୬ ବର୍ଷ ବୟସରେ ସାଂସଦ

୨୦୦୪ରେ ସଚିନ ପାଇଲଟ୍ ପ୍ରଥମ ଥର ପାଇଁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ବାପାଙ୍କ ଦେହାନ୍ତ ପରେ ଖାଲିପଡ଼ିଥିବା ଆସନରେ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାଖାପାଖି ୧.୨ ଲକ୍ଷ ଭୋଟରେ ହରାଇ ସଂସଦରେ ପ୍ରବେଶ କରିଥିଲେ। ୨୦୦୬ରେ ବେସାମରିକ ମନ୍ତ୍ରଣାଳୟର ପରାମର୍ଶଦାତା ସମିତିର ସଦସ୍ୟ ହୋଇଥିଲେ।

୨୦୦୯ ଲୋକସଭା ନିର୍ବାଚନରେ ଆଜମେର ଆସନରେ ବିଜେପି ପ୍ରାର୍ଥୀଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ ସଚିନ୍ ପାଇଲଟ୍। ଏହି ବିଜୟ ପୁରସ୍କାର ସ୍ୱରୂପ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ୨୦୧୨ରେ ସଚିନ୍ କର୍ପୋରେଟ୍ ବ୍ୟାପାରରେ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ଏବଂ ୨୦୧୪ ପର୍ଯ୍ୟନ୍ତ ଏହି ପଦରେ ଅବସ୍ଥାପିତ ହୋଇଥିଲେ।

Comment