ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାଣନ୍ତୁ ସଚିନଙ୍କ ପାଠପଢ଼ାରୁ ଆରମ୍ଭ କରି ତାଙ୍କ ଲଭଷ୍ଟୋରି।

ରାଜସ୍ଥାନରେ କଂଗ୍ରେସ ବିଜୟ ହାସଲ କରିବା ପରେ ଏହାର ଶ୍ରେୟ କଂଗ୍ରେସ ପ୍ରଦେଶ ସଭାପତି ସଚିନ ପାଇଲଟଙ୍କୁ ବି ଦିଆଯାଉଛି। ଏଥିସହ ସଚିନ ପାଇଲଟ ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି।

ତେବେ ସଚିନଙ୍କ ରାଜନୈତିକ ଲାଇଫ୍‌ଠୁ ଅଧିକ ରୋମାଞ୍ଚକର ତାଙ୍କ ଲଭଷ୍ଟୋରି। ଯାହାକି କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ।

ସଚିନ ନୂଆ ଦିଲ୍ଲୀର ଏୟାରଫୋର୍ସ ବାଲ ଭାରତୀ ସ୍କୁଲରେ ପଢ଼ୁଥିଲେ। ଦିଲ୍ଲୀ ୟୁନିଭର୍ସିଟିର ଏସ୍‌ଟି ଷ୍ଟିଫେନ୍ସ କଲେଜରୁ ବିଏ ପାସ କରିଥିଲେ। ଏହାପରେ ସେ ଉତ୍ତରପ୍ରଦେଶ ଗାଜିଆବାଦର ଆଇଏମ୍‌ଟିରେ ମାର୍କେଟିଙ୍ଗରେ ଡିପ୍ଲୋମା କରିଥିଲେ। ସଚିନ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ସେ ପେନସିଲାଭାନିଆ ୟୁନିଭର୍ସିଟିରେ ଏମ୍‌ବିଏ କରିଥିଲେ।

ଲଣ୍ଡନରେ ପାଠପଢ଼ା ସମୟରେ ତାଙ୍କର ସାରାହ ଅବଦୁଲ୍ଲାଙ୍କ ସହିତ ଦେଖା ହୋଇଥିଲା। ସେଠାରୁ ଦୁହିଁଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା। ସାରାହ ହେଉଛନ୍ତି କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କ ଝିଅ ତଥା ଓମାର ଅବଦୁଲ୍ଲାଙ୍କ ଭଉଣୀ।

ଲଣ୍ଡନରେ ପାଠପଢ଼ା ସରିବା ପରେ ସଚିନ ଦିଲ୍ଲୀ ଆସିଥଲେ କିନ୍ତୁ ସାରାହ ପାଠପଢ଼ା ସାରିବାକୁ ଲଣ୍ଡନରେ ହିଁ ରହିଥିଲେ। ଦୁହେଁ ଦୂରରେ ରହିଥିଲେ ବି ସମ୍ପର୍କରେ କୌଣସି ଫରକ ପଡ଼ିନଥିଲା। ଦୁହେଁ ଫୋନ ଓ ଇ-ମେଲ ଜରିଆରେ ଯୋଗାଯୋଗରେ ରହିଥିଲେ।

ପାଖାପଖି ତିନି ବର୍ଷ ପରେ ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବା ପାଇଁ ନିଜ ନିଜ ପରିବାରକୁ ଜଣେଇବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଉଭୟଙ୍କ ସମ୍ପର୍କରେ ଯଦିକିଛି ଅଲଗା ଥାଏ ତାହା ହେଉଛି ଉଭୟଙ୍କ ଧର୍ମ। ସଚିନ ହିନ୍ଦୁ ଧର୍ମର ହୋଇଥିଲାବେଳେ ସାରାହ ମୁସଲମାନ ଥିଲେ। ସଚିନଙ୍କ ପରିବାର ସାରାହଙ୍କୁ ଆପଣାଇବା ଲାଗି ଆଦୌ ରାଜି ନଥିଲେ। ସାରାହଙ୍କ ପରିବାରରେ ବି ସମାନ ପରିସ୍ଥିତି ଦେଖାଯାଇଥିଲା। ସାରାହଙ୍କ ବାପା ଫାରୁଖ ଅବଦୁଲ୍ଲା ଏ ପ୍ରସଙ୍ଗରେ କଥା ହେବାକୁ ହିଁ ସାରାହଙ୍କୁ ମନା କରିଦେଇଥିଲେ।

ପରିବାର ଲୋକଙ୍କୁ ଅନେକ ପ୍ରକାରରେ ମନାଇବା ପରେ ବି ପରିବାର ଲୋକ ରାଜି ନହେବାରୁ ଉଭୟ ସଚିନ ଓ ସାରାହ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଦୁହେଁ ପରିବାରର ବିନା ଅନୁମତିରେ ୨୦୦୪ରେ ବିବାହ କରିଥିଲେ। ଧୀରେ ଧୀରେ ସମୟ ସାଥିରେ ଦୁହିଁଙ୍କ ପରିବାର ମଧ୍ୟ ତାଙ୍କ ସମ୍ପର୍କକୁ  ସ୍ଵୀକାର କରିନେଇଥିଲେ।

ସଚିନ ବିବାହ ପୂର୍ବରୁ ରାଜନୀତିରେ ଆସିବା କଥା ଚିନ୍ତା ବି କରିନଥିଲେ। ତାଙ୍କ ବାପା ରାଜେଶ ପାଇଲଟଙ୍କ ମୃତ୍ୟୁ ପରେ ତାଙ୍କୁ ରାଜନୀତିରେ ଆସିବାକୁ ପଡ଼ିଥିଲା। ରାଜନୀତି ସମ୍ପର୍କରେ କିଛି ନଜାଣିବା ମାତ୍ର ୨୬ ବର୍ଷ ବୟସରେ ସଚିନ ରାଜନୀତି ମୈଦାନକୁ ଓହ୍ଲାଇଥିଲେ।

୨୦୦୪ ଲୋକସଭା ନିର୍ବାଚନରେ ସେ ବିଜୟ ହାସଲ କରିଥିଲେ। ଧୀରେ ଧୀରେ ସଚିନ ରାଜନୀତିରେ ନିଜର ପତିୟାରା ବଢ଼ାଇଥିଲେ ଏବଂ ରାଜସ୍ଥାନବାସୀ ମଧ୍ୟ ତାଙ୍କୁ ଜଣେ ଯୁବନେତା ଭାବେ ଗ୍ରହଣ କରିଥିଲେ। ତେବେ ଶୁକ୍ରବାର ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବେ ସଚିନଙ୍କ ନାମ ଘୋଷଣା ହେବା ପରେ ସମସ୍ତଙ୍କ ମନରେ ସଚିନଙ୍କ ରାଜନୈତିକ ଜୀବନ ସହ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ଲାଗି ଉତ୍ସାହ ଯେମିତି ବଢ଼ିବାରେ ଲାଗିଛି।

Comment