ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାଦନଙ୍କୁ ନିର୍ଯାତନା। ଦରମା ମାଗିବାରୁ ଏସିଡ୍‌ ଢାଳିବା ସହ ଆଙ୍ଗୁଳି କାଟିଲା ମାଲିକ।

ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ଅକଥନୀୟ ନିର୍ଯାତନା। ଦରମା ମାଗିବାରୁ ଶ୍ରମିକଙ୍କୁ ଏସିଡ୍‌ ଢାଳିବା ସହ ଆଙ୍ଗୁଳି କାଟି ଦେଇଛି ମାଲିକ। ଏଭଳି ଅମାନୁଷିକ ନିର୍ଯାତନାର ଶିକାର ହେବାର ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର କିଛି ଶ୍ରମିକ।

ହେମଗିରି ଅଞ୍ଚଳର ୧୨ ଜଣ ଶ୍ରମିକ ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ର ଏକ ଇଟାଭାଟିରେ କାମ କରୁଥିଲେ। ମାସ ଶେଷରେ ଦରମା ମାଗିଲେ ମାଲିକ ଦେଉଥିଲା ସାଙ୍ଘାତିକ ନିର୍ଯାତନା। ଦରମା ମାଗିବାରୁ ଜଣକଙ୍କ ଉପରେ ଏସିଡ୍‌ ପିଙ୍ଗିବା ସହ ଆଉ ଜଣେ ଦାଦନ ଶ୍ରମିକଙ୍କ ଆଙ୍ଗୁଳି କାଟି ଦେଲା ମାଲିକ।

ସୋମବାର ଏସିଡ ମାଡ଼ ହୋଇଥିବା ଶ୍ରମିକଙ୍କୁ ଧରି ୪ଜଣ ଶ୍ରମିକ କୌଶଳ କ୍ରମେ ସେଠୁ ଖସି ଆସିଛନ୍ତି। ଅନ୍ୟ ୭ଜଣ ଏପର୍ଯ୍ୟନ୍ତ ସେଠାରେ ବନ୍ଧକ ଅଛନ୍ତି। ବର୍ତ୍ତମାନ ଏସିଡ୍‌ ପୀଡ଼ିତଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି।

ଖସି ଆସିଥିବା ଶ୍ରମିକମାନେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଅନ୍ୟମାନଙ୍କୁ ଯଥାଶୀଘ୍ର ସେଠାରୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି।

Comment