ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସିକୁ ୧୬୦ କୋଟି ଟଙ୍କା ନଦେଲେ ୨୦୨୩ ବିଶ୍ଵକପ ଆୟୋଜନରୁ ବଞ୍ଚିତ ହୋଇପାରେ ଭାରତୀୟ କ୍ରିକେଟ ଦଳ।

ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖରାପ ଖବର। ଆସନ୍ତା ୨୦୨୩ ବିଶ୍ୱକପ୍ ଆୟୋଜନରୁ ଭାରତ ବଞ୍ଚିତ ହୋଇପାରେ। ଏଭଳି ଚେତାବନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ପକ୍ଷରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଦିଆଯାଇଛି।

ଆଇସିସି ଡିସେମ୍ବର ୩୧ ପୂର୍ବରୁ ବିସିସିଆଇକୁ ୨୩ ମିଲିୟନ ଡଲାର(ପ୍ରାୟ ୧୬୦ କୋଟି ଟଙ୍କା) ଦେବାକୁ କହିଛି। ଏହି ରାଶି ଭାରତରେ ୨୦୧୬ ଟି-୨୦ ବିଶ୍ଵକପର ଆୟୋଜନରେ ଲାଗିଥିବା ଟ୍ୟାକ୍ସର କ୍ଷତିପୂରଣ ରୂପେ ଭରଣା କରିବାକୁ ଆଇସିସି ନିର୍ଦ୍ଦେଶ ଦେଇଛି।

ଚଳିତ ବର୍ଷ ଅକ୍ଟୋବରରେ ସିଙ୍ଗାପୁରରେ ଅନୁଷ୍ଠିତ ଆଇସିସିର ବୋର୍ଡ ବୈଠକରେ ବିସିସିଆଇକୁ ଅର୍ଥ ଭରଣା ମନେ ପକାଇ ଦିଆଯାଇଛି। ଆଇସିସିର ଏହି ଦାବିକୁ ପୂରଣ କରିବା ପାଇଁ ୧୦ ଦିନରୁ କମ ସମୟ ରହିଛି। କେବଳ ଏତିକି ନୁହେଁ ଯଦି ବୋର୍ଡ ଉକ୍ତ ରାଶି ଭରଣା ନକରେ ତେବେ ବର୍ତ୍ତମାନ ଆର୍ଥିକ ବର୍ଷରେ ମିଳିବାକୁ ଥିବା ରାଜସ୍ଵରେ ମଧ୍ୟ ହ୍ରାସ କରାଯିବ ବୋଲି ଆଇସିସି ବିସିସିଆଇକୁ ମଧ୍ୟ କହିଛି।

ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଆଇସିସି ସଭାପତି ଶଶାଙ୍କ ମନୋହର ଟ୍ୟାକ୍ସର ଭରଣା କରିବାକୁ ବିସିସିଆଇକୁ କହିଛନ୍ତି।

ଏହା ସହିତ ଆଇସିସି ଏହା ମଧ୍ୟ ଚେତାବନୀ ଦେଇଛି ଯେ ଅର୍ଥ ଭରଣା ନକଲେ ୨୦୨୧ରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ଓ ଆଇସିସି ବିଶ୍ଵକପ-୨୦୨୩ର ଆୟୋଜନ ଅଧିକାରରୁ ଭାରତ ବଞ୍ଚିତ ହେବ। ଷ୍ଟାର ଟିଭି ଯାହା ପାଖରେ ଆଇସିସିର ସମସ୍ତ ଟୁର୍ଣ୍ଣାମେଣ୍ଟର ଅଫିସିଆଲ ସିଧା ପ୍ରସାରଣ କରିବାର ଅଧିକାର ରହିଛି, ସେ ସବୁ ଟ୍ୟାକ୍ସ କାଟି ୨୦୧୬ ଟି-୨୦ ବିଶ୍ଵ କପର ପ୍ରସାରଣର ରାଜସ୍ଵ ଆଇସିସିକୁ ଦେଇଥିଲା। ଏବେ ଆଇସିସି ଚାହୁଁଛି ଯେ ବିସିସିଆଇ ଉକ୍ତ ରାଶିର ଭରଣା କରୁ।

Comment