ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

   ବଲିଉଡରେ ୨୦୧୮ରେ ଏମିତି କିଛି ସିନେମା ରିଲିଜ୍ ହୋଇଥିଲା, ଯାହାର ଚର୍ଚ୍ଚା କେବଳ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ବା ଏହା ଭଲ ବ୍ୟବସାୟ କରିଥିଲା ବୋଲି ହୋଇଥିଲା ତାହା ନୁହେଁ, ବରଂ ଅନ୍ୟ କାରଣରୁ ଚର୍ଚ୍ଚାର ବିଷୟ ହୋଇଥିଲା।

ପ୍ରେମକୁମାର: ସେଟ୍‌ରେ ଆହତ ହେଲେ ଅନୁଭବ ଘୁଞ୍ଚିଲା ରିଲିଜ୍ ତାରିଖ

ତରଙ୍ଗ ସିନେ ପ୍ରଡକ୍ସନ୍ ୨୦୧୮ ରଜ ବଜାର ପାଇଁ ଅନୁଭବଙ୍କୁ ନେଇ ‘ପ୍ରେମକୁମାର’ ନିର୍ମାଣ କରୁଥିଲେ। ଏଥିପାଇଁ ନିର୍ଦ୍ଧାରିତ ସମୟରେ ସୁଟିଂ ବି ଆରମ୍ଭ ହୋଇଥିଲା। ହେଲେ ଫିଲ୍ମର ଦୁଇ ଦିନ ସୁଟିଂ ପରେ ଏକ ଷ୍ଟଣ୍ଟ୍ ସିନ୍ ଦେଉଥିବା ବେଳେ ‘ପ୍ରେମ କୁମାର’ର ନାୟକ ଅନୁଭବ  ଆହତ ହୋଇଥିଲେ। ତା’ପରେ ‘ପ୍ରେମକୁମାର’ର ସୁଟିଂ ବନ୍ଦ ହୋଇଗଲା। ଏହା ପରେ ଚର୍ଚ୍ଚା ହେଲା ଯେ ପ୍ରେମ କୁମାର ବନ୍ଦ ବାକ୍ସରେ ପଡ଼ିଗଲା।

କିନ୍ତୁ ପ୍ରାୟ ଚାରିମାସ ପରେ ପୁଣି ଥରେ ଜୁଲାଇ ମାସରେ ‘ପ୍ରେମକୁମାର’ର ସୁଟିଂ ଆରମ୍ଭ ହେଲା। ଫିଲ୍ମର ଜାମ୍ମୁ-କାଶ୍ମୀରରେ ସୁଟିଂ ସମୟରେ ପୁଣି ଚର୍ଚ୍ଚିତ ହୋଇଥିଲା ‘ପ୍ରେମ କୁମାର’ର ଟିମ୍। ଏ ସମ୍ପର୍କରେ ଏକ ଭିଡିଓ ମଧ୍ୟ ଜାରି ହୋଇଥିଲା, ଯାହା ଫିଲ୍ମକୁ ନେଇ ଦର୍ଶକଙ୍କର ଉତ୍କଣ୍ଠା ବି ବଢ଼ିଯାଇଥିଲା। ଅବଶେଷରେ ‘ପ୍ରେମ କୁମାର’ ଦଶହରା ଅବସରରେ ରିଲିଜ୍ ହେଲା।

ଯୋଡ଼ିଙ୍କ ପାଇଁ ଚର୍ଚ୍ଚାରେ ଇଶ୍କ ପୁଣି ଥରେ

ତରଙ୍ଗ ସିନେ ପ୍ରଡକ୍ସନ୍‌ସର ପ୍ରଥମ ସିନେମା ହେଲା ‘ଇଶ୍କ ତୁ ହି ତୁ’। ଏଥିରେ ଦର୍ଶକ ପ୍ରଥମ ଥର ପାଇଁ ପରଦାରେ ଅରିନ୍ଦମ୍‌ ଓ ଏଲିନାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ। ତେବେ ଏହି ସିନେମା ରିଲିଜ୍ ହେବା ଆଗରୁ ଅରିନ୍ଦମ୍ ଓ ଏଲିନାଙ୍କ ମଧ୍ୟରେ ମନୋମାଳିନ୍ୟ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା।

ଏହା ପରେ ସମସ୍ତେ ଭାବିଥିଲେ ଯେ ଅରିନ୍ଦମ୍ ଓ ଏଲିନା ଆଉ ଏକାଠି କାମ କରିବେ ନାହିଁ। କିନ୍ତୁ ପ୍ରାୟ ସାଢ଼େ ତିନି ବର୍ଷ ପରେ ଯେତେବେଳେ ପୁଣି ଅରିନ୍ଦମ ଓ ଏଲିନା ଏକାଠି ହେଉଛନ୍ତି ବୋଲି ଖବର ପ୍ରଚାରିତ ହେଲା, ସେତେବେଳେ ଏହି ସିନେମାକୁ ନେଇ ଚର୍ଚ୍ଚା ଜୋର ଧରିଲା। ପୁଣି ଫିଲ୍ମର ଟାଇଟଲ୍‌କୁ ନେଇ ମଧ୍ୟ ବିଭିନ୍ନ ସମୟରେ ଚର୍ଚ୍ଚା ହେଲା। ଲୋକେ କହିଲେ ଏହା ‘ଇଶ୍କ ତୁ ହି ତୁ’ର ସିକ୍ୱେଲ୍‌। କିନ୍ତୁ ଅବଶେଷରେ ଫିଲ୍ମର ଟାଇଟଲ୍‌ ରଖାଗଲା ‘ଇଶ୍କ ପୁଣି ଥରେ’। ରିଲିଜ୍ ହେବା ପରେ ଜଣାଗଲା ଯେ ଏହା ‘ଇଶ୍କ ତୁ ହି ତୁ’ର ସିକ୍ୱେଲ ନୁହେଁ, ବରଂ ଭିନ୍ନ କାହାଣୀ ଆଧାରିତ ସିନେମା।

 ‘ଯୋଗୀ’ ବି ଥିଲା ଚର୍ଚ୍ଚାରେ

ନିର୍ମାତା ଶ୍ରୀଧର ମାର୍ଥା ଯେତେବେଳେ ‘ଯୋଗୀ’ ଟାଇଟଲରେ ଫିଲ୍ମଟି କରୁଛନ୍ତି ବୋଲି ଶୁଣିବାକୁ ମିଳିଲା, ସେତେବେଳେ ଅଧିକାଂଶ ଲୋକେ ଭାବିଲେ ଏହା ବୋଧହୁଏ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆଧାରିତ। ଏହି ଫିଲ୍ମରେ ଯୋଗୀ ବନିଥିବା ଅଭିନେତା ହର ରଥ ବି ଆଦିତ୍ୟନାଥଙ୍କ ଭଳି ଲଣ୍ଡା ହୋଇ ସୁଟିଂ କରିବା ପରେ ଏହି ଚର୍ଚ୍ଚା ଅଧିକ ହୋଇଥିଲା।

କିନ୍ତୁ ଫିଲ୍ମଟି ରିଲିଜ୍ ହେବା ପରେ ଜଣାପଡ଼ିଲା ‘ଯୋଗୀ’ ଏକ ପଲ୍‌ଟିକାଲ୍‌ ଡ୍ରାମା। ଯୋଗୀର କାହାଣୀ ବି କମ୍ ଚର୍ଚ୍ଚାର ବିଷୟ ହୋଇନଥିଲା।

ପପୁ ଆଉଟ୍‌ ଚିତ୍ତ ଇନ୍‌ ପାଇଁ ଚର୍ଚ୍ଚିତ ହୋଇଥିଲା ‘ଫୋର୍‌ ଇଡିଅଟ୍‌ସ’

ପ୍ରଯୋଜକ ଅକ୍ଷୟ କୁମାର ପରିଜା ଓ ନିର୍ଦ୍ଦେଶକ ବସନ୍ତ ସାହୁ ‘ଫୋର୍ ଇଡିଅଟ୍‌ସ’ର ନିର୍ମାଣ ଆରମ୍ଭ କଲେ, ସେତେବେଳେ ଏହାର କାଷ୍ଟିଂରେ ଥିଲେ ଲୋକପ୍ରିୟ କମେଡିଆନ୍ ପପୁ ପମ୍‌ପମ୍‌। ମାତ୍ର ଏହି ଫିଲ୍ମର ସୁଟିଂ ବିଦେଶରେ ଚାଲିଥିବା ବେଳେ ହଠାତ୍ ପପୁ ଅସୁସ୍ଥ ହୋଇପଡ଼ିଲେ। ସେ ଭୁବନେଶ୍ବର ଫେରିଆସିଲେ। ଯେହେତୁ ଫିଲ୍ମର ରିଲିଜ୍ ପାଖେଇ ଆସୁଥିଲା, ଏଣୁ ପପୁଙ୍କ ସ୍ଥାନରେ ଚିତ୍ତ ତ୍ରିପାଠୀଙ୍କୁ ନିଆଯାଇଥିଲା। ଏହି କାରଣରୁ ଫୋର୍ ଇଡିଅଟ୍‌ସ ବେଶ୍ ଚର୍ଚ୍ଚାରେ ରହିଥିଲା।

 

 

Comment