ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧି ଏବଂ ନରେନ୍ଦ୍ର ମୋଦିଙ୍କ ଭିତରେ ହେବ ଅସଲ ଲଢ଼େଇ।

ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ପାଇଁ ୨୦୧୯ ଅନେକ ଗୁରୁତ୍ୱ ବହନ କରୁଛି। ନିର୍ବାଚନକୁ ଆଉ ୪ରୁ ୫ ମାସ ଥିବାବେଳେ ଭାରତର ଶାସନ ଡୋରି କାହା ହାତରେ ରହିବ ତାକୁନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ଏପ୍ରିଲ-ମେ’ରେ ହେବ ସାଧାରଣ ନିର୍ବାଚନ। ଆସନ୍ତା ୫ ବର୍ଷ ପାଇଁ ଦେଶର ଭାଗ୍ୟଡୋରି କାହା ହାତରେ ରହିବ ତାହା ଏହି ନିର୍ବାଚନ ହିଁ ସ୍ଥିର କରିବ। ୨୦୧୪ ମେ’ ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ବିପୁଳ ଭୋଟରେ ବିଜୟଲାଭ କରିଥିଲା। ଏହା ଥିଲା ବିଜେପି ପାଇଁ ଗତ ୩୦ ବର୍ଷ ଭିତରେ ସବୁଠାରୁ ବଡ଼ ବିଜୟ।

ସ୍ୱାଧୀନତା ପରେ ବହୁ ବର୍ଷ ଧରି ଶାସନ କରିଥିବା କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଏପରିକି ଲୋକସଭାରେ ବିରୋଧୀ ଦଳରେ ବସିବାର ସାମର୍ଥ୍ୟ ମଧ୍ୟ ହରାଇଥିଲା।

ସୋନିଆ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷା ପଦ ଛାଡ଼ିବା ପରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଥମେ ଗୁଜରାଟ ବିଧାନସଭା ନିର୍ବାଚନରେ ଦଳର ଭଲ ପ୍ରଦର୍ଶନ ଓ ଏବେ ୩ ରାଜ୍ୟର ବିଧାନସଭା ନିର୍ବାଚନରେ ସଫଳତା ସ୍ପଷ୍ଟ କରୁଛି ଯେ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ବଢ଼ୁଛି। ତେଣୁ ଆଗାମୀ ନିର୍ବାଚନରେ ମୋଦି ଏବଂ ରାହୁଲଙ୍କ ଭିତରେ ଅସଲ ଖେଳ ଦେଖିବାକୁ ମିଳିବ। ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣିଥରେ କ୍ଷମତାକୁ ଫେରିବାକୁ ଆଶା ରଖିଛି।

କିନ୍ତୁ ନିକଟରେ ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଭିନ୍ନ କଥା କହୁଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ବିଜେପି ହାତରୁ କଂଗ୍ରେସ କ୍ଷମତା ଛଡ଼ାଇ ନେବା ଘଟଣା ରାଜନୈତିକ ସମୀକ୍ଷକଙ୍କୁ ଚିନ୍ତାରେ ପକାଇ ଦେଇଛି।

ମୋଦିଙ୍କ ସମର୍ଥକଙ୍କ ଯୁକ୍ତି ଯେ ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟ ରାଜନୀତିରେ ପ୍ରଭାବ ପକାଇବ ନାହିଁ। ମୋଦିଙ୍କ ଲୋକପ୍ରିୟତା ପୂର୍ବଭଳି ରହିଛି ଓ ବିଜେପି ପୁଣିଥରେ କ୍ଷମତାସୀନ ହେବ।

ଅପରପକ୍ଷରେ ବିରୋଧୀଙ୍କ ଯୁକ୍ତି ବେକାରୀ ପ୍ରସଙ୍ଗ, ଚାଷ ଓ ଚାଷୀ ସମସ୍ୟା ମୋଦିଙ୍କ ବିରୋଧରେ ଜନମତ ସୃଷ୍ଟି କରିବ। ସେହିଭଳି ଚଳିତବର୍ଷ ହେବାକୁ ଥିବା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ହରିଆଣା, ଝାଡ଼ଖଣ୍ଡ, ସିକିମ ଓ ଅରୁଣାଚଳପ୍ରଦେଶ ବିଧାନସଭା ନିର୍ବାଚନ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରହିବ।

LEAVE A REPLY

Please enter your comment!
Please enter your name here