ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଆସୁଥିବାରୁ ତାଙ୍କ ଆଭିମୁଖ୍ୟ ଉପରେ ରହିଛି ନଜର।

ଶନିବାର ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାତ୍ର ଦଶ ଦିନର ବ୍ୟବଧାନରେ ଓ ଖୋର୍ଦ୍ଧା ଗସ୍ତର  ପରେ ପରେ ବାରିପଦା ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଜେପି ନେତାମାନେ କହୁଛନ୍ତି।

ହେଲେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମୋଦିଙ୍କ ମନୋଭାବ କ’ଣ ରହିବ ସେନେଇ ସାଧାରଣ ଲୋକଙ୍କ ଭିତରେ ଉତ୍ସୁକତା ସୃଷ୍ଟି ହୋଇଛି। ଏନେଇ ନା ନା କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି।

ନୂଆ ଫର୍ମୁଲା

ଖୋର୍ଦ୍ଧା ଭାଷଣରେ ମୋଦିଙ୍କ ନୂଆ ଫର୍ମୁଲା ଥିଲା – ଯେଉଁଠି ରାଜ୍ୟ ସରକାର ବିଫଳ ସେଠି ସମାଲୋଚନା କର। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ବ୍ୟକ୍ତିଗତ ଭାବେ କିଛି କୁହ ନାହିଁ। ବାରିପଦାରେ ବି ସେୟା ହେବ କି? ଏଠି ସେ ନବୀନଙ୍କ ଉପରେ ବର୍ଷିବେ ନା ତାଙ୍କ ପ୍ରତି ନରମ ଭାବ ପ୍ରଦର୍ଶନ କରିବେ? ବର୍ତ୍ତମାନ ପରିସ୍ଥିତିରେ ନରମ ଭାବଟା ବେଶୀ ଦେଖାଯାଉଛି। କାରଣ ବିଜେପିର ସ୍ଥିତି ଏହିକ୍ଷଣି ଭଲ ନାହିଁ। ବିଶେଷ କରି ତିନୋଟି ରାଜ୍ୟରେ ହାରିବା ପରେ ବିଜେପି ବର୍ତ୍ତମାନ ପୂରା ବ୍ୟାକଫୁଟରେ ରହିଛି।

ମୋଦିଙ୍କ ପାଇଁ ବାରିପଦା ସଭା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଏଠାକାର ସାଂସଦ ରାମ ଚନ୍ଦ୍ର ହାଁସଦା ଚିଟଫଣ୍ଡ ଦୁର୍ନୀତିର ଏକ  ଜୀବନ୍ତ ପ୍ରତୀକ। ଶାସକ ଦଳର ନେତା ଓ ଚିଟଫଣ୍ଡ କମ୍ପାନିଙ୍କ ଭିତରେ କି ପ୍ରକାର ସଲାସୁତୁରା ଥିଲା ହାଁସଦା ହେଉଛନ୍ତି ତାର ଦୃଷ୍ଟାନ୍ତ।

ଏଣୁ ନବୀନଙ୍କ ସରକାରକୁ ଆକ୍ରମଣ କରିବା ପାଇଁ ବାରିପଦା ସଭା ହିଁ  ପ୍ରକୃଷ୍ଟ ଜାଗା। ରାଜ୍ୟ ସରକାରଙ୍କ ଗୋଚରରେ କିଭଳି ଓଡ଼ିଶାର ଗରିବ ଓ ସରଳ ଲୋକ ଲୁଟର ଶିକାର ହୋଇଛନ୍ତି ସେ କଥା ଭଲ ଭାବରେ ମୋଦି ଲୋକଙ୍କୁ କହିପାରିବେ।

ମୟୂରଭଞ୍ଜ ରାଜନୀତି

ଅନୁମାନ କରାଯାଉଛି ବାରିପଦା ମଞ୍ଚରୁ ମୋଦି ଶାସକ ବିଜେଡିର ନେତାମାନଙ୍କ ଉପରେ ବହେ ବର୍ଷି ପାରନ୍ତି। ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ହାଁସଦା ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ଜେଲ  ଯାଇଥିବାରୁ ମୋଦି ଏହି କଥାଟିକୁ ବନେଇ ଚୁନେଇ ଲୋକଙ୍କ ପାଖରେ ପହଁଚିବାକୁ ଉଦ୍ୟମ କରିପାରନ୍ତି। ଏମିତି ତ ୨୦୧୯ ଲୋକସଭା ନିର୍ବାଚନରେ ମୟୂରଭଞ୍ଜ ଆସନରେ ଲଢ଼େଇଟି ଜୋରଦାର ହେବ।

ଏହି ଆସନ ଏଥିପାଇଁ ମଧ୍ୟ  ଗୁରୁତ୍ୱପୂର୍ଣ୍ଣ ଯେ ଏହା ପ୍ରାୟତଃ ବିଜେପି ହାତରେ ରହି ଆସିଛି। ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ସଲଖାନ ମୁର୍ମୁ ବିଜେପି ଟିକେଟରୁ ନିର୍ବାଚିତ ହୋଇଥିଲେ।

୨୦୦୪ରେ କିନ୍ତୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜେପି ହାତରୁ ଏହି ଆସନକୁ ଛଡ଼ାଇ ନେଇଥିଲା। ୨୦୦୯ରେ ଏହା ବିଜେପିକୁ ଫେରିଥିଲା। କିନ୍ତୁ ୨୦୧୪ରେ ବିଜେଡିର ହାଁସଦା ଏଠାରୁ ନିର୍ବାଚିତ ହୋଇଥିଲେ। ସୁତରାଂ ୨୦୧୯ରେ ମୟୂରଭଞ୍ଜ ଆସନକୁ ହାତଛଡ଼ା କରିବା ପାଇଁ ବିଜେପି ଆଦୌ ଚାହୁଁନାହିଁ। ଖାସ ସେଥିପାଇଁ ମୋଦି ବାରିପଦା ଗସ୍ତରେ ଆସୁଛନ୍ତି।

ବସ୍ତର ଧକ୍କା

ନିର୍ବାଚନ ବର୍ଷରେ ପ୍ରଥମ ଥର ପାଇଁ ମୋଦି ଓଡ଼ିଶା ଆସୁଛନ୍ତି ଓ ଇତି ମଧ୍ୟରେ ଢେର କିଛି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଓ ମୋଦି ସରକାର ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

ରାଫେଲ ଦୁର୍ନୀତି, ତିନି ତଲାକ ଆଦି ପ୍ରସଙ୍ଗକୁ ନେଇ ମୋଦି ସରକାର ଅଡ଼ୁଆରେ ରହିଛନ୍ତି। ଏଣୁ ଆଗକୁ ରାଜନୀତି କେଉଁ ଆଡ଼କୁ ଗତି କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଆଶା କରାଯାଉଛି ବାରିପଦା ସଭାରେ ମୋଦି ପୁଣି ଥରେ ଆଦିବାସୀମାନଙ୍କ ମନ କିଣିବା ପାଇଁ ଉଦ୍ୟମ କରିବେ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଛତିଶଗଡ଼ରେ ଆଦିବାସୀମାନେ ବିଜେପିଠାରୁ ଦୂରେଇ ଯିବା ପରେ ଏହା ଦଳକୁ ଶକ୍ତ ଧକ୍କା ଦେଇଛି। ବିଶେଷକରି ବସ୍ତର ଅଞ୍ଚଳରେ ବିଜେପିକୁ ବହୁତ କ୍ଷତି ପହଁଚିଛି।

ଖାଲି ସେତିକି ନୁହେଁ, ଗତ ମାସରେ ଝାଡ଼ଖଣ୍ଡରେ ବି ଏକ ଉପ-ନିର୍ବାଚନରେ ବିଜେପିର ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରିଯାଇଥିଲେ।

ଓଡ଼ିଶାରେ ୩୪ଟି ବିଧାନସଭା ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଥିବା କାରଣରୁ ଏହିସବୁ ଆସନକୁ ନିଜ ଦଖଲକୁ ଆଣି ନପାରିଲେ ବିଜେପିର ଓଡ଼ିଶା ଅଭିଯାନ ସ୍ୱପ୍ନରେ ହିଁ  ରହିଯିବ ଏହା ଜଳଜଳ ଦେଖାଯାଉଛି।

Comment