ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦା ଛଉ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଳ ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଭାଷଣ ଦେଇ ମୋଦି ବାରିପଦାରେ ଆଦିବାସୀ ଭୋଟରଙ୍କ ମନ ଜିଣିଛନ୍ତି।

‘ଜୟ ଜଗନ୍ନାଥ’ରୁ ଆରମ୍ଭ କଲେ ଭାଷଣ

ବାରିପଦା ସରକାରୀ ହାଇସ୍କୁଲ ପଡ଼ିଆରେ ୪, ୫୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରିବା ପରେ ମୋଦି ଛଉ ପଡ଼ିଆକୁ ଆସିଥିଲେ। ଏଠାରେ ବିଜେପିର ବିଶାଳ ଜନସମାବେଶକୁ ସମୋଧିତ କରିଥିଲେ ମୋଦି।

ମୋଦି ଜୟ ଜଗନ୍ନାଥ ତିନି ଥର କହି ତାଙ୍କ ଭାଷଣ ଆରମ୍ଭ କରିଥିଲେ। ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେବତା ହୋଇଥିବାରୁ ମୋଦି ଯେତେଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ସେତେଥର ଜଗନ୍ନାଥଙ୍କୁ ସ୍ମରଣ କରୁଛନ୍ତି।

ସାନ୍ତାଳୀ ଭାଷାରେ କହିଲେ

ଜନସମାବେଶରେ ଉପସ୍ଥିତ ଥିବା ଲୋକଙ୍କ ମନ ଜିଣିବା ପାଇଁ ମୋଦି ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଆରମ୍ଭରୁ କହିଥିଲେ। ସାନ୍ତାଳୀ ଭାଷାରେ ଧାଡ଼ିଏ ଭାଷଣ ଦେଇ ମୋଦି ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏହାରି ଭିତରେ ମୋଦି ସାନ୍ତାଳୀ ଭାଷାକୁ ନେଇ ରାଜନୀତି ଗୋଟି ଚାଳନା କରିବାକୁ ପଛାଇ ନଥିଲେ।

ମୋଦି କହିଥିଲେ, “ବାଜପେୟୀଙ୍କ ସରକାର ଅମଳରେ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରାଯାଇଥିଲା। ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେଇଥିଲା ବିଜେପି ସରକାର।”

ଏହି ଅବସରରେ ମୋଦି ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ, ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଏବଂ ରଘୁନାଥ ମୁର୍ମୁଙ୍କୁ ସ୍ମରଣ କରିଥିଲେ।

ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ

ବାରିପଦା ଛଉ ପଡ଼ିଆରୁ ମୋଦି କଂଗ୍ରେସ ଉପରେ ବର୍ଷିଥିଲେ। ମଧ୍ୟପ୍ରଦେଶର ନୂଆ କଂଗ୍ରେସ ସରକାରକୁ ଟାର୍ଗେଟ କରିଥିଲେ।

ମୋଦି କହିଥିଲେ, “ଦେଶ ସବୁଠୁ ପୁରୁଣା ଦଳ ଗଣତନ୍ତ୍ରକୁ ରକ୍ଷା କରିବାକୁ ଚାହୁଁନି। ଭାରତ ମାତା କି ଜୟ ଏବଂ ବନ୍ଦେ ମାତରମ୍ କହିବାକୁ ତାଙ୍କୁ କଷ୍ଟ ଲାଗୁଛି। ମଧ୍ୟପ୍ରଦେଶରେ ସରକାରକୁ ଆସୁ ଆସୁ ସେମାନେ ବନ୍ଦେ ମାତରମ୍ ଉପରେ ରୋକ୍ ଲଗାଇଛନ୍ତି। ଏହାଠୁ ବଡ଼ ଦୁର୍ଭାଗ୍ୟର କ’ଣ ହୋଇପାରେ।”

ଦେଶର ସୁରକ୍ଷାକୁ କଂଗ୍ରେସ ବିପନ୍ନ କରିଦେଇଥିଲା। ବିଜେପି ଦେଶର ବିକାଶ କଥା ଚିନ୍ତା କରୁଛି ବୋଲି ମୋଦି କହିଥିଲେ।

ମୋଦି ଆହୁରି କହିଥିଲେ ଯେ ଦେଶର ଚୌକିଦାରକୁ ହଟାଇଦେବାକୁ ଚାହୁଁଛି କଂଗ୍ରେସ। ହେଲିକପ୍ଟର କିଣାକୁ ନେଇ କଂଗ୍ରେସ ଏବେ ହରଡ଼ଘଣାରେ ପଡ଼ିଥିବା ମୋଦି କହିଥିଲେ।

ନବୀନଙ୍କ ନାଁ ନନେଇ ବର୍ଷିଲେ

ବାରିପଦାରେ ମୋଦି ଖୋର୍ଦ୍ଧା ଷ୍ଟାଇଲେରେ ଭାଷଣ ଦେଇଛନ୍ତି। ବିଜେଡି କିମ୍ବା ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ମୋଦି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ମହିଳା ସୁରକ୍ଷା, ଆୟୁଷ୍ମାନ ଭାରତକୁ ନେଇ ରାଜ୍ୟ ସରକାରଙ୍କୁ ତୀର ମାରିଥିଲେ ମୋଦି।

ମୋଦି କହିଥିଲେ, “ନାରୀ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି। ନାରୀମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଇପାରୁ ନାହାନ୍ତି। କେନ୍ଦ୍ର ସରକାର ନାରୀ ସୁରକ୍ଷା ପାଇଁ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲାଗୁ କରିବା ଦରକାର।”

ପିପିଲି ଗଣଦୁଷ୍କର୍ମ କଥା ଉଠାଇଲେ

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ବେଳେ ମୋଦି ପିପିଲି ଗଣଦୁଷ୍କର୍ମ କଥା ଉଠାଇଥିଲେ। ମୋଦି କହିଥିଲେ ଯେ ୮ ବର୍ଷ ତଳେ ପୁରୀ ଜିଲ୍ଲାରେ ଘଟିଥିବା ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ହେଲେ ରାଜ୍ୟ ସରକାର ପୀଡ଼ିତାକୁ ନ୍ୟାୟ ଦେଇପାରିଲେ ନାହିଁ। ନାରୀଙ୍କ ସୁରକ୍ଷା ଏବଂ ସ୍ୱାର୍ଥ ରକ୍ଷା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ।

ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନିବେଦନ

ବାରିପଦା ସମାବେଶରେ ମୋଦି ପୁଣି ଆୟୁଷ୍ମାନ ଭାରତ କଥା ଉଠାଇଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ମୋଦି ନିବେଦନ କରିଛନ୍ତି। ଆୟୁଷ୍ମାନ ଭାରତ ଲାଗୁ କରି ମୋଦି ଓଡ଼ିଶାବାସୀଙ୍କୁ ଏହାର ଲାଭ ଉଠାଇବାକୁ ସୁଯୋଗ ଦିଅନ୍ତୁ ବୋଲି ମୋଦି କହିଛନ୍ତି।

ଏହାସହ ମୋଦି ଟୀକାକରଣ, ଉଜ୍ଜଳା କଥା କହିଥିଲେ ମୋଦି। ଦେଶରେ ଟୀକାକରଣ ଯୋଜନା ଆଗେଇ ଚାଲିଥିବା ବେଳେ ୬ କୋଟି ଲୋକଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ଦିଆଯାଇଥିବା ମୋଦି କହିଥିଲେ।

Comment