ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରୀ ଅଭିନେତ୍ରୀ ସିମରନ୍‌ଙ୍କ  ମୃତ୍ୟୁ ପରେ ସନ୍ଦେହ ବଢିବାରେ ଲାଗିଛି। ସିମରନଙ୍କ ସ୍ୱାମୀଙ୍କୁ ପୋଲିସ ଜେରା କରୁଛି। ସିମରନ୍‌ଙ୍କ ସ୍ୱାମୀ ଧ୍ରୁବରାଜଙ୍କୁ ଗିରଫ କରିଥିଲା ବଲାଙ୍ଗିର ବେଲପଡ଼ା ପୋଲିସ। ପୋକ୍ସୋ ଆଇନ ଅନୁସାରେ ଧ୍ରୁବରାଜଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଗୋଟିଏ ପଟେ ସିମରନଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହା ସହିତ ସିମରନ୍‌ଙ୍କ ଭଏସ୍‌ ମେସେଜ ମଧ୍ୟ ମିଳିଛି। ଯେଉଁଥିରେ ସେ ଚାପରେ ଥିବା କହିବା ସହିତ ଖୁସି ନଥିବା କହିଥିବା ସୂଚନା ମିଳିଛି। ଏସବୁ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।

କିଛିଦିନ ତଳେ ସିମରନ୍‌ ଧ୍ରୁବରାଜ୍‌ଙ୍କୁ ପ୍ରେମ ବିବାହ ବି କରିଥିଲେ। ମାତ୍ର ୨ମାସ ହେବ ସେମାନଙ୍କ ମଧ୍ୟରେ କିଛି ଝଗଡା ମାରପିଟ୍‌ ହେଉଥିଲା ଓ ସମ୍ପର୍କ ଭଲ ନଥିଲା। ଏପରିକି ସିମରନ୍‌ ନିଜ ସ୍ୱାମୀଙ୍କ ବିରୋଧରେ ଝାରସୁଗୁଡ଼ା ଟାଉନ ଥାନାରେ ଅଭିଯୋଗ ବି କରିଥିଲେ। ଡିସେମ୍ବର ୩୦ରେ ଝାରସୁଗୁଡ଼ା ଟାଉନ ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଜାନୁଆରୀ ୧ରେ ସିମରନ୍‌ କେସିଙ୍ଗାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କହି ଆସିଥିଲେ ଏବଂ ଗୁରୁବାର ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଦେଇଥିବା ଅଭିଯୋଗ ଉପରେ ୧୬୪ରେ ବୟାନ ରେକର୍ଡ କରାଯିବାର ଥିଲା ମାତ୍ର ତା ପୂର୍ବରୁ କେହି ତାଙ୍କୁ ହତ୍ୟା କରିଥିବା ସିମରନ୍‌ଙ୍କ ମା’ ଅଭିଯୋଗ କରିଛନ୍ତି।

ସିମରନ୍‌ ଖୁବ କମ୍‌ ସମୟ ମଧ୍ୟରେ ଅନେ ଲୋକପ୍ରିୟତା ହାସଲ କରିପାରିଥିଲେ। ବିଶେଷ କରି ସେଲଫି ବେବୋ ଗୀତ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ବି ପରିଚିତ କରାଇପାରିଥିଲା। ଏହା ଛଡା ସେ ଅନେକ ହିଟ୍‌ ଗୀତରେ କାମ କରିଥିଲେ। ସେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅତିଥି ଓ ନୃତ୍ୟ ପରିବେଷଣ କରି ଦର୍ଶକ ମନକୁ ଜିତି ପାରିଥିଲେ।

Comment