ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀ ଏବଂ ଚାଷ ସମସ୍ୟାକୁ ନେଇ ନୂଆଦିଲ୍ଲୀରେ ଧାରଣା ଦେବ ବିଜେଡି। ୮ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଶନିବାର ସନ୍ଧ୍ୟାରୁ ବିଜେଡିର ତୃଣମୂଳ ସ୍ତରର କର୍ମୀ, କୃଷକ ମୋର୍ଚ୍ଚାର ସଦସ୍ୟମାନେ ଦିଲ୍ଲୀ ଯାତ୍ରା କରିଛନ୍ତି।

ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବିଜେଡି କର୍ମୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଯାତ୍ରା ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ ଯାତ୍ରା ଶୁଭାରମ୍ଭ କରିବା ପରେ ବିଜେଡି କର୍ମୀ ଏବଂ ନେତା ବିଧାନସଭା ପରିସରରୁ ରେଳ ଷ୍ଟେସନକୁ ଶୋଭାଯାତ୍ରାରେ ଆସିଥିଲେ।

“କେନ୍ଦ୍ର ବାରମ୍ବାର ଓଡ଼ିଶାକୁ ଉପେକ୍ଷା କରି ଆସୁଛି। ଚାଷୀ ଏବଂ ଚାଷର ସମସ୍ୟାକୁ ଗୁରୁତ୍ୱ ଦେଉ ନାହାନ୍ତି କେନ୍ଦ୍ର ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଓଡ଼ିଶା ସରକାର ଦାବି କରି ଆସୁଛନ୍ତି। ହେଲେ କେନ୍ଦ୍ର ସରକାର ଶୁଣୁ ନାହାନ୍ତି। ଆମେ ଏନେଇ ଦିଲ୍ଲୀରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେବୁ”, କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା।

ଛାତ୍ର, ଯୁବ, ମହିଳା ଏବଂ କୃଷକ ମୋର୍ଚ୍ଚାର ସଦସ୍ୟମାନେ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି। ୮ ତାରିଖ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ବିଧାୟକ, ସାଂସଦ ଉପସ୍ଥିତ ରହିବେ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବା ଦାବିରେ ବିଜେଡ଼ି ସଂସଦ ଘେରିବ। ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ଵମୀନାଥନ ରିର୍ପୋଟ ଲାଗୁ ପ୍ରସଙ୍ଗ ନେଇ ଦିଲ୍ଲୀ ଯାତ୍ରା କରିଛନ୍ତି ବିଜେଡି କର୍ମୀ।

Comment