ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବରିଷ୍ଠ ବିଜେଡି ନେତା ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା ସେ କହିଛନ୍ତି। ଗତ କିଛି ଦିନ ଧରି ବିରୋଧୀ ଦଳ ମହାରଥୀଙ୍କୁ ଟାର୍ଗେଟ କରିଆସୁଥିଲେ। ପିପିଲିର ବେବିନା ଗଣ ବଳାତ୍କାର ଘଟଣାରେ ଅଭିଯୁକ୍ତ ଦୁଇ ଭାଇଙ୍କ ଖଲାସ ହେବା ପରେ ମହାରଥୀ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହାକି ତାଙ୍କ ପାଇଁ କାଳ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନିକଟରେ ବାରିପଦାରେ ବେବିନା ପ୍ରସଙ୍ଗ ଉଠାଇ ନବୀନ ସରକାରକୁ ଟାର୍ଗେଟ କରିଥିଲେ। ବେବିନାକୁ ଠିକ୍ ନ୍ୟାୟ ଦିଆଯାଇନାହିଁ ବୋଲି ମୋଦି ଆକ୍ଷେପ କରିଥିଲେ।
ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଓକିଲାତି କରୁଥିବା ବେଳେ ଓ ଆଗାମୀ ନିର୍ବାଚନରେ ମହିଳାମାନଙ୍କ ଭୋଟ ଉପରେ ନବୀନ ପଟ୍ଟନାୟକଙ୍କ ସରକାର ଗୁରୁତ୍ୱ ଦେଉଥିବା ବେଳେ ବେବିନା ଘଟଣା ବାରମ୍ବାର ସରକାରଙ୍କୁ ଅଡ଼ୁଆରେ ପକାଉଥିଲା। ନବୀନ ପୁରୀରେ ମଧ୍ୟ ମିଶନ ଶକ୍ତି ଜରିଆରେ ଭୋଟ ଯୋଗାଡ଼ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବେବିନା ବିବାଦ ବିଜେଡିର ପିଛା ଛାଡୁନଥିଲା।
କୃଷି ମନ୍ତ୍ରୀ ଭାବେ ରବିବାର ଇସ୍ତଫା ଦେଇଥିବା ମହାରଥୀ ଏହାକୁ ମିଶାଇ ଦୁଇ ଥର ପଦତ୍ୟାଗ କରିଛନ୍ତି। ଏକା ପ୍ରସଙ୍ଗରେ ତାଙ୍କୁ ଦୁଇ ଥର ଇସ୍ତଫା ଦେବାକୁ କୁହାଯିବା ଏକ ବିରଳ ଘଟଣା ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି। ଗତ ଥର ମେ ୨୦୧୧ରେ ମହାରଥୀ ମନ୍ତ୍ରୀ ହୋଇଥିଲେ କିନ୍ତୁ ଜାନୁଆରୀ ୨୦୧୨ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ବେବିନା ଦୁଷ୍କର୍ମକାରୀଙ୍କୁ ମହାରଥୀ ଆଶ୍ରୟ ଦେଇଥିବା ଅଭିଯୋଗ ହୋଇଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କାଳେ ଏହା ନବୀନଙ୍କ ଭବମୂର୍ତ୍ତିରେ ଆଞ୍ଚ ଆଣିବ ସେଥିପାଇଁ ମହାରଥୀଙ୍କ ହାତରୁ ମନ୍ତ୍ରୀ ପଦ ଛଡ଼ାଇ ନିଆଯାଇଥିଲା।
ନିକଟରେ ବେବିନା ମାମଲାରେ ଦୁଇ ଜଣ ଅଭିଯୁକ୍ତ ଅତିରିକ୍ତ ଜିଲ୍ଲା ଜଜଙ୍କ ଦ୍ୱରା ଖଲାସ ହୋଇଯିବା ପରେ ମହାରଥୀ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯେ ଶେଷରେ ସତ୍ୟର ଜୟ ହୋଇଛି। ଏହି ମନ୍ତବ୍ୟକୁ ବିଜେପି ପକ୍ଷରୁ କଡ଼ା ପ୍ରତିବାଦ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମଧ୍ୟ ଏହି ମନ୍ତବ୍ୟ ଯୋଗୁଁ ମହାରଥୀଙ୍କ ଇସ୍ତଫା ଦାବି କରାଯାଇଥିଲା। ମହିଳା କଂଗ୍ରେସର କର୍ମୀମାନେ ଏନେଇ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲେ ଓ ପୋଲିସ ସହିତ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା।
ବିଜେପି ମଧ୍ୟ ମହାରଥୀଙ୍କ ଇସ୍ତଫା ଦାବି କରିବା ସହ ନବୀନ ସରକାରଙ୍କର ମହିଳାଙ୍କ ପ୍ରତି ସମ୍ମାନ ନାହିଁ ବୋଲି ଅଭିଯୋଗ ଆଣିଥିଲା। ଖାଲି ସେତିକି ନୁହେଁ ମହାରଥୀଙ୍କ ଇସ୍ତଫା ଦାବି କରି ବିଜେପି ମହିଳା ମୋର୍ଚ୍ଚା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବି ବାହାର କରିଥିଲା। ଅବଶ୍ୟ ଡିସେମ୍ବର ୨୮ ତାରିଖରେ ମହାରଥୀ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ କିନ୍ତୁ ଏହା ବରୋଧୀ ଦଳକୁ ସନ୍ତୁଷ୍ଟ କରିନଥିଲା ଏବଂ ସେମାନେ ତାଙ୍କ ଇସ୍ତାଫାରେ ଅଡ଼ି ବସିଥିଲେ।