ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କେ ଚନ୍ଦ୍ରଶେଖର ରାଓଙ୍କ ନବୀନ ନିବାସ ଗସ୍ତ ପରେ ଦିଲ୍ଲୀ ଚଲୋ ଡାକରା ଦେଇଛି ବିଜେଡି।

ଓଡ଼ିଶା ଓ ବିଶେଷ କରି ବିଜେଡି ରାଜନୀତିରେ ଏହା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ମଙ୍ଗଳବାର ଦିନ ନିଜେ ଦିନ ତମାମ ଧାରଣାରେ ବସିବେ। ୨୦୧୪ରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ରାଜ୍ୟର ସ୍ୱାର୍ଥ ନେଇ ବିଭିନ୍ନ ପ୍ରସଙ୍ଗରେ ନବୀନ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସତ, ହେଲେ ସଦଳବଳେ ଦିଲ୍ଲୀରେ ଧାରଣା ଦେବା ଆଗରୁ କେବେ ଦେଖାଯାଇନଥିଲା।

ଏହି ଧାରଣାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ନହେବା ବିରୋଧରେ ପ୍ରତିବାଦ।

ବରିଷ୍ଠ ବିଜେଡି ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ଦିଲ୍ଲୀରେ କହିଛନ୍ତି, “ସ୍ୱାମୀନାଥନ କମିଟିର ସୁପାରିଶ ଅନୁସାରେ ଚାଷୀମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସପି ବୃଦ୍ଧି କରିବା ପାଇଁ ଆମେ ଦାବି କରି ଆସୁଛୁ।”

“ଖୋଦ ଏନଡିଏର ନିର୍ବାଚନ ଇସ୍ତାହାର କହୁଛି ଏମଏସ୍‌ପି ଅନ୍ତତଃ ପକ୍ଷେ ୫୦ ପ୍ରତିଶତ ବୃଦ୍ଧି କରାଯିବ। କିନ୍ତୁ ସରକାର ଏହି ପ୍ରତିଶ୍ରୁତିକୁ ରକ୍ଷା କରି ନାହାନ୍ତି।ଏଣୁ ରାଜଧାନୀ ଦିଲ୍ଲୀରେ ଏହି ରାଲି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଓଡ଼ିଶାର ଚାଷୀମାନଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଅଣାଯିବ”, ଏହା କହିଛନ୍ତି ଭର୍ତ୍ତୃହରି।

କେସିଆର୍-ନବୀନ ଭେଟର ଫଳ?

ଦିଲ୍ଲୀ ରାଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସବୁ ସାଂସଦ ଓ କିଛି ମନ୍ତ୍ରୀଙ୍କ ବ୍ୟତୀତ ବିଭିନ୍ନ ଜିଲ୍ଲାର ଚାଷୀ ଯୋଗଦେବେ ବୋଲି ସ୍ଥିର କରାଯାଇଛି। ଏଥିପାଇଁ ସମସ୍ତେ ଦିଲ୍ଲୀ ଯିବା ଆରମ୍ଭ କରିଛନ୍ତି। ଶୁଣାଯାଉଛି ରାଜଧାନୀ ଦିଲ୍ଲୀରେ ଧାରଣା ଦେବା ନିଷ୍ପତ୍ତି ନିକଟରେ  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ନବୀନ ନିବାସ ଗସ୍ତ ପରେ ନିଆଯାଇଛି। ରାଓ ଦେଶରେ ଏକ ଅଣ-କଂଗ୍ରେସ, ଅଣ-ବିଜେପି ଫ୍ରଣ୍ଟ ଗଠନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କ ସେଥିରେ ନିରବ ସମର୍ଥନ ରହିଛି।

ମାପଚୁପ ରାଜନୀତି

ରାଲି ନେଇ ଦିଲ୍ଲୀରେ ଯେଉଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ସେଥିରେ ବିଜେଡି ନେତାମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି ଧାରଣାକୁ ମୋଦି ସରକାରଙ୍କ ବିରୋଧରେ ରଣ ହୁଙ୍କାର ବୋଲି ଧରିବା ଠିକ୍ ନୁହେଁ। ବିଶେଷକରି ଆଗକୁ ନିର୍ବାଚନ ଆସୁଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଗରମ ଦେଖାଇବା ସକାଶେ ବିଜେଡି ଚାହୁଁନାହିଁ।

ରାଜ୍ୟସଭା ସାଂସଦ ଓ ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ  କହିଲେ,”ଆମେ ଚାଷୀଙ୍କୁ ରାଜନୀତି ସହିତ ଯୋଡୁନାହୁଁ।”

ସେହିଭଳି ରାଜ୍ୟସଭା ସଦସ୍ୟ ପ୍ରତାପ ଦେବ କହିଛନ୍ତି, “ଆମେ ଦାବି କରୁଛୁ କେନ୍ଦ୍ର ସରକାର ଏମ୍ଏସପିକୁ କୁଇଣ୍ଟାଲ ପିଛା ୧୭୫୦ ରୁ ୨୯୩୦ ଟଙ୍କାକୁ ବୃଦ୍ଧି କରନ୍ତୁ। ବିହନ, ସାର ଆଦି ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ନ୍ୟୁନତମ ମୂଲ୍ୟ ନିହାତି ବଢ଼ିବା ଆବଶ୍ୟକ। କିନ୍ତୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ରାଜି ନୁହଁ।”

ଦିଲ୍ଲୀରେ ଏହି ସମାବେଶ ଆୟୋଜନ ଏଭଳି ଏକ ସମୟରେ ହେଉଛି ଯେତେବେଳେ ଅମିତ ଶାହଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ତା’ର ପ୍ରଭାବକୁ ବିସ୍ତାରିତ କରିବା ପାଇଁ ବଦ୍ଧପରିକର। ଶାହଙ୍କ ମିଶନ ୧୨୦ ଅନ୍ତର୍ଗତ  ବିଗତ ଚାରି ବର୍ଷ ଧରି ବିଜେପି ତାର ଉଦ୍ୟମକୁ ଜାରି ରଖିବା ସହ ଶାସକ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି।

ସମଦୂରତ୍ୱ ନା ଲୋକଦେଖାଣିଆ?

ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରାବର କହି ଆସିଛନ୍ତି ଯେ ଉଭୟ କଂଗ୍ରେସ ଓ ବିଜେପିଠାରୁ ଦଳ ସମାନ ଦୂରତା ରକ୍ଷା କରିବ। କିନ୍ତୁ ଅସଲରେ ୨୦୧୪ ପରଠାରୁ  ବିଜେପିକୁ ବିଭିନ୍ନ ସମୟରେ ସାହାଯ୍ୟ କରିବା ପାଇଁ ସହଯୋଗର ହାତ ବଢ଼ାଇ ଆସିଛି ବିଜେଡି। ବିମୁଦ୍ରାକରଣ, ଜିଏସ୍‌ଟି ଓ ଅନାସ୍ଥା ପ୍ରସ୍ତାବ ଭଳି ବିଭିନ୍ନ ପ୍ରସଙ୍ଗରେ ବିଜେଡି ମୋଦି ସରକାରଙ୍କୁ ସଂକଟରୁ ଉଦ୍ଧାର କରି ଆସୁଛି। ଖାଲି ସେତିକି ନୁହେଁ, ଅତୀତରେ ବାମପନ୍ଥୀ ଦଳ ପକ୍ଷରୁ ଦିଲ୍ଲୀରେ କରାଯାଇଥିବା ସମ୍ମିଳନୀରେ ବିଜେଡି ଯୋଗ ଦେଇନାହିଁ। ଏଥିରୁ ସ୍ପଷ୍ଟ ଯେ ବିଜେଡି ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଆପଣେଇଛି।

LEAVE A REPLY

Please enter your comment!
Please enter your name here