ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି 

ଶନିବାର ବାରିପଦା ସଭାରେ ମୋଦି ଉଠାଇଥିଲେ ପିପିଲି ପ୍ରସଙ୍ଗ। ରବିବାର ଇସ୍ତଫା ଦେଲେ ମହାରଥୀ। ଏହା କ’ଣ କାକତାଳୀୟ!

ମୋଦିଙ୍କ ପାଇଁ ବଳି ପଡ଼ିଲେ ନବୀନଙ୍କ କ୍ୟାବିନେଟର କୁହାଳିଆ ମନ୍ତ୍ରୀ ପ୍ରଦୀପ ମହାରଥୀ। ଶନିବାର ଦିନ ବାରିପଦା ସଭାରେ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ବେଶ୍‌ ଗର୍ଜିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରିକି ପିପିଲି ପୀଡ଼ିତାଙ୍କ କଥା ଉଠାଇ ନବୀନ ସରକାର ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେଇ ପାରୁନାହାନ୍ତି ବୋଲି ଉପହାସ କରିଥିଲେ। ଏହାର ପରଦିନ ଏକ ନାଟକୀୟ ଢଙ୍ଗରେ ପ୍ରଦୀପ ମହାରଥୀ ଇସ୍ତଫା ଦେଇଥିବାରୁ ସାଧାରଣରେ ମୋଦି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି।

କାହିଁକି ଇସ୍ତଫା ଦେଲେ ମହାରଥୀ?

ପିପିଲି ଗଣଦୁଷ୍କର୍ମ ମାମଲାରେ ସ୍ଥାନୀୟ କୋର୍ଟର ରାୟ ଉପରେ ପ୍ରତିକ୍ରିୟା ରଖି ଖସିଥିଲେ ପିପିଲି ବିଧାୟକ ତଥା ନବୀନଙ୍କ କ୍ୟାବିନେଟର କୃଷି ଓ ପଞ୍ଚାୟତିରାଜ ଭଳି ଦୁଇଟି ପ୍ରମୁଖ ବିଭାଗର ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ ତାଙ୍କର ଚିରାଚରିତ ନାଟକୀୟ ଢଙ୍ଗରେ କହିଥିଲେ ଯେ ଏହି ରାୟ ଫଳରେ ‘କ୍ଷୀର କ୍ଷୀର ଓ ପାଣି ପାଣି ହୋଇଯାଇଛି।’ ସେ ଆହୁରି କହିଥିଲେ ଯେ ଏହି ଘଟଣାରେ ଉଚିତ ନ୍ୟାୟ ମିଳିଛି। ଏହିଠାରୁ ଆରମ୍ଭ ହୋଇଥିଲା ମହାରଥୀଙ୍କ ଅଡ଼ୁଆ।

ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିନାହିଁ ବରଂ କ୍ରାଇମ୍‌ବ୍ରାଞ୍ଚର ଅଯୋଗ୍ୟତାରୁ ଅପରାଧୀମାନେ ଖସିଯାଇଛନ୍ତି। ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ବେଳେ ନ୍ୟାୟ ମିଳିଛି ବୋଲି କହି ମହାରଥୀ କେବଳ ଉପହାସ କରିନାହାନ୍ତି ବରଂ ଅତ୍ୟନ୍ତ ସମ୍ବେଦନହୀନ ମନ୍ତବ୍ୟ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରଦୀପ ମହାରଥୀଙ୍କ ଉପରେ ଆକ୍ରମଣ କରିବା ସହ ନବୀନଙ୍କୁ ଟାର୍ଗେଟ କରିଥିଲେ।

ନିର୍ବାଚନ ମାତ୍ର କିଛି ମାସ ବାକି ଥିବାରୁ ଏ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ କୌଣସି ଅଦଳ ବଦଳ କରିନପାରନ୍ତି ବୋଲି ଆଲୋଚନା ହେଉଥିଲା। କିନ୍ତୁ ପ୍ରତିଦିନ ଚାପ ବଢ଼ିବା ଫଳରେ ତୃତୀୟ ମହଲା ମହାରଥୀଙ୍କୁ ନେଇ ଅଧିକ ରିସ୍କ ନେବାକୁ ହୁଏତ ଚାହିଁଲେ ନାହିଁ। ବିଶେଷକରି ବାରିପଦା ରାଜନୀତି ସଭାରେ ନରେନ୍ଦ୍ର ମୋଦି ପିପିଲି ପ୍ରସଙ୍ଗ ଉଠାଇବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିବା କୁହାଯାଇଛି।

ଯେତେବେଳେ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ସୁରକ୍ଷା ନେଇ ନବୀନଙ୍କୁ ତୀର ମାରିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ପୁରୀଠାରେ ହଜାର ହଜାର ମହିଳାଙ୍କ ମେଳରେ ମିଶନ୍‌ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନବୀନ ମହିଳାଙ୍କ ସୁରକ୍ଷା କଥା ବାରମ୍ବାର କହୁଥିଲେ ମଧ୍ୟ ବାସ୍ତବରେ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି, ଏଭଳି ଅଭିଯୋଗ ଉଠାଇଥିଲେ ମୋଦି।

ରବିବାର ଦିନ ଇସ୍ତଫା

ପ୍ରଦୀପ ମହାରଥୀ ନବୀନ ସରକାରର ଦୁଇଟି ଟାଣୁଆ ବିଭାଗର ମନ୍ତ୍ରୀ ଥିଲେ। ବିଶେଷକରି ନବୀନଙ୍କ ପ୍ରିୟ କାଳିଆ ଯୋଜନା ନିକଟରେ ଆରମ୍ଭ ହୋଇଥିଲା। ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ଆଗାମୀ ନିର୍ବାଚନରେ ଏକ ଗେମଚେଞ୍ଜର ହେବ ବୋଲି ବିଜୁ ଜନତା ଦଳ ବିଚାର କରୁଛି। ତେଣୁ ଏଭଳି ଏକ ସମୟରେ କୃଷି ମନ୍ତ୍ରୀ ପଦ ହରାଇବା ସରକାରଙ୍କ ପାଇଁ ଭଲ କଥା ନୁହେଁ।

ଅନ୍ୟପକ୍ଷରେ ଚାଷୀଙ୍କ ସୁରକ୍ଷା ଅଧିକାର ପାଇଁ ବିଜେଡି ଆରମ୍ଭ କରିଛି ତା’ର ଦିଲ୍ଲୀ ଯାତ୍ରା। ମଙ୍ଗଳବାର ଦିନ ଦଳର ନେତା ଓ କର୍ମୀମାନେ ସଂସଦ ଘେରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏଭଳି ସମୟରେ ମହାରଥୀଙ୍କ ଇସ୍ତଫା ରାଜନୈତିକ ଦୃଷ୍ଟିରୁ ଏକ ବାଧ୍ୟ ବାଧକତା ବୋଲି କହିଲେ ଭୁଲ ହେବନି।

ମହାରଥୀ ଇସ୍ତଫା ଦେବା ପରେ କୃଷି ବିଭାଗ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ପଞ୍ଚାୟତିରାଜ ବିଭାଗ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କୁ ଦିଆଯାଇଛି। ତେବେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଜଣେ ଜଣେ ମନ୍ତ୍ରୀ କିଭଳି ତୁଲାଇବେ ତାହା ଆଗକୁ ଦେଖିବା କଥା।

ମହାରଥୀଙ୍କୁ ଅଡ଼ୁଆ ହେଲା ତୁଣ୍ଡ। ଏପରିକି ତାଙ୍କ ମନ୍ତବ୍ୟ ପାଇଁ ସେ ବିରୋଧୀମାନଙ୍କୁ ଭୁଲ ମାଗିଥିଲେ ମଧ୍ୟ ନିଜର ଚୌକି ରକ୍ଷା କରିପାରିଲେ ନାହିଁ।

Comment