ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କୁ ଦିଲ୍ଲୀ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଅଜୟ ମାକେନ ନିଜ ପଦରୁ ଇସ୍ତଫା ଦେବା ପରେ ଶୀଲାଙ୍କୁ ଏହି  ଗୁରୁ ଦାୟିତ୍ୱ ମିଳିଛି।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁରୁଣା ନେତ୍ରୀଙ୍କ ଉପରେ ଭରସା ରଖିଛନ୍ତି।  ଶୀଲାଙ୍କ ନେତୃତ୍ୱରେ ଦଳ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବ।

ଶୀଲା ଦୀକ୍ଷିତ କହିଥିଲେ, “ଦଳ ମତେ ପୁନର୍ବାର ସୁଯୋଗ ଦେବା ସହ ମୋ’ ଉପରେ ଭରସା ରଖିଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି।”

ଗତ ସପ୍ତାହରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅଜୟ ମାକେନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା।

୮୦ ବର୍ଷୀୟା ଶୀଲା ଦୀକ୍ଷିତ ପୂର୍ବରୁ ଲଗାତାର ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କ ସମୟରେ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଚାଲିବା ସହ ଅନେକ ଭିତ୍ତିଭୂମିର ବିକ‌ାଶ ହୋଇଥିଲା। ଶୀଲାଙ୍କ ନିଯୁକ୍ତିକୁ ଅଜୟ ମାକେନ ସ୍ୱାଗତ କରିଛନ୍ତି।

ସେ କହିଛନ୍ତି, “ଶୀଲାଙ୍କ ନେତୃତ୍ୱରେ କଂଗ୍ରେସ ଆଗାମୀ ନିର୍ବାଚନରେ ବିଜେପି ଓ ଆପ୍‌କୁ କଡ଼ା ଟକ୍କର ଦେବ।”

Comment