ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବ ଦାସ ଛାଡ଼ିବେ କଂଗ୍ରେସ। କଂଗ୍ରେସ ଭବନରେ ମନ୍ଥନ, ଝାରସୁଗୁଡ଼ାରେ କମ୍ପନ।

ପଶ୍ଚିମ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ନବକିଶୋର ଦାସଙ୍କୁ ନେଇ ଏବେ ଉଠୁଛି ପଡୁଛି କଂଗ୍ରେସ ଭବନ। କଂଗ୍ରେସ ଛାଡ଼ିବା ସମ୍ପର୍କରେ ନବ ଇସାରା ଦେଇ କଂଗ୍ରେସ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି। ଯଦି ନବ କଂଗ୍ରେସ ଛାଡ଼ନ୍ତି ତାହାଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ। ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ସୁଦୃଢ଼ ହୋଇ ନଥିବା ବୁଝିବାକୁ ହେବ।

କଂଗ୍ରେସ ଘର ଅସଜଡ଼ା। ଏହା ଆମେ କହୁ ନାହୁଁ, ଯେଉଁମାନେ କଂଗ୍ରେସ ରାଜନୀତିକୁ ଅତି ନିକଟରୁ ଭଲଭାବେ ଅନୁଧ୍ୟାନ କରିଛନ୍ତି ସେମାନେ ହିଁ ଏହା କହୁଛନ୍ତି। ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ କାର୍ଯ୍ୟକାଳ ଅମଳରେ କଂଗ୍ରେସ ଯାହା ଥିଲା ଏବେ ସେଇୟା ବୋଲି ରାଜନୀତି ଖଟିରେ ଚର୍ଚ୍ଚା ହେଉଛି।

୨୦୧୪ ନିର୍ବାଚନ କଂଗ୍ରେସ ଜୟଦେବ ଜେନାଙ୍କ ନେତୃତ୍ୱରେ ଲଢ଼ିଥିଲା। ଜୟଦେବଙ୍କ ନେତୃତ୍ୱକୁ ଗ୍ରହଣ କରି ନପାରି ତତ୍କାଳୀନ ବିରୋଧୀ ଦଳ ନେତା ଭୁପିନ୍ଦର ସିଂ ଏବଂ ବ୍ରଜରାଜନଗରର ଟାଣୁଆ ନେତା ଅନୁପ ସାଏ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ନୟାଗଡ଼ ରାଜା ହେମେନ୍ଦ୍ର ନାରାୟଣ ସିଂଙ୍କ ସମେତ ବହୁ ତୃଣମୂଳ ସ୍ତରର ନେତା ବି କଂଗ୍ରେସରୁ ମୁହଁ ଫେରାଇଥିଲେ।

ଫଳରେ ଜୟଦେବଙ୍କୁ ହଟାଇବା ପାଇଁ କଂଗ୍ରେସରେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଥିଲେ କିଛି ନେତା। ୨୦୧୪ ନିର୍ବାଚନ ପରେ ଜୟଦେବ ହଟିଲେ ଏବଂ ତାଙ୍କ ଜାଗାରେ ଆସିଲେ ପ୍ରସାଦ ହରିଚନ୍ଦନ।

ପ୍ରସାଦ ଜଣେ ଯୁବ ନେତା ଏବଂ ନିର୍ବିବାଦୀୟ ନେତା ହୋଇଥିବାରୁ ତାଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ବଢ଼ିବ ବୋଲି ଆଲୋଚନା ହେଲା। କିନ୍ତୁ ତାହା ବି ସଫଳ ହେଲାନି। ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହେବାରୁ ପ୍ରସାଦଙ୍କୁ ସମାଲୋଚନା କରିଥିଲେ ଅନେକ ନେତା। ପ୍ରସାଦଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ବରିଷ୍ଠ ନେତାମାନେ ଦଳ ଛାଡ଼ିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲା ସଭାପତି ଭଗବାନ ଗନ୍ତୟତ ଏବଂ ବରିଷ୍ଠ ନେତା ବିକ୍ରମ ପଣ୍ଡା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଏହାସହ ବହୁ ଜିଲ୍ଲା ଏବଂ ବ୍ଲକ ସଭାପତି ବି କଂଗ୍ରେସ ଛାଡ଼ିଥିଲେ। ବିଜେପୁର ଉପ-ନିର୍ବାଚନରେ ବି କଂଗ୍ରେସ ପ୍ରାର୍ଥୀ ଅମାନତ ହାରିଲେ। ଏହାକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ପିସିସିରେ ପୁଦର୍ଗଠନ କଲେ।

ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ସହ ତାଙ୍କୁ ସହଯୋଗ କରିବା ପାଇଁ ତିନି ଜଣ କାର୍ଯ୍ୟକାରୀ ସଭାପତି ବି ନିଯୁକ୍ତି କଲେ। ହେଲେ କଂଗ୍ରେସ ଘର ସଜଡ଼ା ହୋଇ ନଥିବା ପରି ମନେହେଉଛି। ଯଦି କଂଗ୍ରେସ ଘରକୁ ନିରଞ୍ଜନ ଠିକ୍ ଭାବେ ସଜାଡ଼ିଥାନ୍ତେ ତାହାଲେ ନବଙ୍କ ପରି ଟାଣୁଆ ନେତା ଦଳ ଛାଡ଼ିବାକୁ ସଜବାଜ ହୋଇ ନଥାନ୍ତେ।

ନବ କେବଳ କଂଗ୍ରେସର ଅଧ୍ୟକ୍ଷ ନୁହନ୍ତି। ତାଙ୍କୁ ହାଇକମାଣ୍ଡ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଯଦି ନବ ଇସ୍ତଫା ଦିଅନ୍ତି ତାହାଲେ ଦଳ ପାଇଁ ବଡ଼ ମହଙ୍ଗା ହୋଇପାରେ। ପଶ୍ଚିମ ଓଡ଼ିଶାରେ ୨୦୧୯ ନିର୍ବାଚନରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିବ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

“ଏସବୁ କଥା ମୁଁ ବାହାରୁ ଶୁଣିବାକୁ ପାଇଛି। ଏ ଖବର ଶୁଣି ମୁଁ ଦୁଃଖିତ। ଯଦି ସେ ଦଳ ଛାଡ଼ନ୍ତି ତେବେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯାହାର ନେତା ଅଭାବ, ସେମାନେ ବାହାରୁ  ନେତା ନିଅନ୍ତି। ଆଜିକାଲି ରାଜନୀତିରେ ଆଦର୍ଶର ଅଭାବ ଦେଖାଗଲାଣି। ବ୍ୟବସାୟିକ ଫାଇଦା ପାଇଁ ନେତାମାନେ ଦଳବଦଳ କରନ୍ତି। ଦଳ ପରିବର୍ତ୍ତନ କଲେ ଆଉ ଭୋଟ ମିଳିବନି”, ନବଙ୍କ ଇସ୍ତଫା ଚର୍ଚ୍ଚା ପ୍ରସଙ୍ଗରେ ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଜାନୁଆରୀ ୨୫ରେ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ଏହି ସଭାରେ ନବ ଯୋଗ ଦେବେ ନାହିଁ କହିବାରୁ ନବ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଆଗାମୀ ୨୪ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତରେ ଯିବେ। ଏହି ସମୟରେ ନବ ଶଙ୍କ ଫୁଙ୍କି ପାରନ୍ତି ବୋଲି କୁହାଯାଉଛି।

ଏବେ ନବଙ୍କ ରାସ୍ତାରେ ଆଉ ତିନି ବିଧାୟକ ଆସିଛନ୍ତି। ସାଲେପୁର ବିଧାୟକ ପ୍ରକାଶ ବେହେରା, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ତଲସରା ବିଧାୟକ ପ୍ରଫୁଲ୍ଲା ମାଝିଙ୍କ ନାଁ ଉଠୁଛି। ଯଦି ଏହି ତିନି ଜଣ କଂଗ୍ରେସ ଛାଡ଼ନ୍ତି ତାହାଲେ ନିରଞ୍ଜନ କାହାକୁ ନେଇ ୨୦୧୯ ନିର୍ବାଚନ ଲଢ଼ିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ନବଙ୍କୁ ନେଇ ଚର୍ଚ୍ଚା, କିଶୋରଙ୍କ ଶିବିରରେ ଭାଳେଣି!

ନବ ବିଜେଡି ଯିବା ନେଇ ଚର୍ଚ୍ଚା ବଢ଼ିବା ପରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଶିବିରରେ ଭାଳେଣି ପଡ଼ିଛି। ନବ ଯଦି ବିଜେଡିକୁ ଆସନ୍ତି କିଶୋର କ’ଣ କରିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। କାରଣ ନବ-କିଶୋର ହେଉଛନ୍ତି ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ।

କିଶୋର ୧୯୯୦ରେ ଜନତା ଦଳ ଟିକେଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୦୦ ଏବଂ ୨୦୦୪ରେ ବି କିଶୋର ବିଧାୟକ ଜିତିଥିଲେ। ୨୦୦୯ରୁ ନବ ଦାସ କଂଗ୍ରେସରୁ ବାଜିମାତ୍ କରି ଆସୁଛନ୍ତି। ଯଦି ନବ ବିଜେଡି ଆସନ୍ତି ୨୦୧୯ରେ କିଏ ଟିକେଟ ନେବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

“ସେ ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳକୁ ଯିବାକୁ ଚାହୁଁଛନ୍ତି। ବିଜେଡିକୁ ବହୁତ ଲୋକ ଆସୁଛନ୍ତି ସେ ବି ଆସିବେ। କିଛି ଫରକ ପଡ଼ିବନି। ତେବେ ଆଗକୁ କ’ଣ ହେବ ସେ ସମ୍ପର୍କରେ ବିଜେଡି ସଭାପତି ନିଷ୍ପତ୍ତି ନେବେ। ମୁଁ ବିଜେଡି ଗଠନ ଦିନରୁ ଦଳରେ ରହିଛି”, କହିଛନ୍ତି କିଶୋର ମହାନ୍ତି।

Comment